ଶଳାକୁ ବାଇକରୁ ପେଲି ଦେଇ ଯୁବତୀଙ୍କୁ ନେଇ ଫେରାର ହୋଇଗଲା ଭିଣୋଇ

ଶଳାକୁ ବାଇକରୁ ପେଲି ଦେଇ ଯୁବତୀଙ୍କୁ ନେଇ ଫେରାର ହୋଇଗଲା ଭିଣୋଇ

ଧଉଳି: ପ୍ରଥମ ପତ୍ନୀ ଥାଇ ଦ୍ବିତୀୟ ବିବାହ ପାଇଁ ମନ ବଳାଇଥିଲା ସ୍ବାମୀ। ସପ୍ତାହ ତଳେ ଆଉ ଜଣେ ଯୁବତୀଙ୍କ ସହ ଫେରାର ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି ପରେ ଫେରାର ପ୍ରେମୀଯୁଗଳଙ୍କୁ ଠାବ କରିଥିଲେ। ଅଭିଯୁକ୍ତ ଯୁବକଙ୍କୁ ଜୋର ଜବରଦସ୍ତି ବାଇକରେ ବସାଇ ଶଳା ଓ ତାଙ୍କ ସାଙ୍ଗ ଥାନାକୁ ନେଉଥିଲେ। ହେଲେ ଲିଙ୍ଗିପୁର ଟ୍ରାଫିକ ଛକ ନିକଟରେ ପୁଲିସକୁ ଦେଖି ଜଣେ ବାଇକରୁ ଓହ୍ଲାଇ ପଡ଼ିଥିଲା। ଏହି ସୁଯୋଗରେ ସଳାକୁ ବାଇକରୁ ଫିଙ୍ଗି ଦେଇ ଭିଣୋଇ ପ୍ରେମିକାକୁ ନେଇ ଫେରାର ହୋଇଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ପୁରୀ ସତ୍ୟବାଦୀ ଥାନା ଅଧୀନ ବଳପୁର ଗ୍ରାମର ସୁଦର୍ଶନ ଭୋଇ(୩୦) ବିବାହିତ। ତାଙ୍କର ଦେଢ଼ ବର୍ଷର ଝିଅ ଓ ୩ ବର୍ଷର ପୁଅଟିଏ ଅଛି। ହେଲେ ସୁଦର୍ଶନଙ୍କର ଉକ୍ତ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ସପ୍ତାହରେ ସୁଦର୍ଶନ ଉକ୍ତ ଯୁବତୀଙ୍କ ସହ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ପରିବାର ଲୋକ ଏସଂପର୍କରେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏପଟେ ସୁଦର୍ଶନଙ୍କ ପତ୍ନୀଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି କଟକରେ ରହୁଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଶଳା କୁନା ଭୋଇ ଓ ତାଙ୍କ ସହ ଅନ୍ୟଜଣେ ସାଙ୍ଗ  ସୁଦର୍ଶନଙ୍କୁ ବାଇକ ମଝିରେ ବସାଇ ସତ୍ୟବାଦୀ ଥାନାକୁ ନେଉଥିଲେ। ହେଲେ ବାଟରେ ଲିଙ୍ଗିପୁର ଟ୍ରାଫିକ ପୋଷ୍ଟ ନିକଟରେ ସୁଦର୍ଶନ କୁନାକୁ ବାଇକରୁ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲା। ଏସଂପର୍କରେ ବାଇକ ମାଲିକ ପୁରୀ ଜିଲ୍ଲା ସଦର ଥାନା ଅଧୀନ ଢୋଲ ଗ୍ରାମର ସଂଜୟ ଭୋଇ ଧଉଳି ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଫୋନ ନମ୍ବର ଟ୍ରାକିଂ କରି ସୁଦର୍ଶନକୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ଘଟଣା ଧଉଳି ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe