ପାରିବାରିକ କଳହର କରୁଣ ପରିଣତି : ବିୟୁଟି ପାର୍ଲରରେ ପତ୍ନୀଙ୍କୁ ହାଣି ଥାନାରେ ବିଷ ପିଇଲେ ସ୍ବାମୀ

Advertisment
ପାରିବାରିକ କଳହର କରୁଣ ପରିଣତି : ବିୟୁଟି ପାର୍ଲରରେ ପତ୍ନୀଙ୍କୁ ହାଣି ଥାନାରେ ବିଷ ପିଇଲେ ସ୍ବାମୀ

ବସ୍ତା-୨: ପାରିବା‌ରିକ କଳହର କରୁଣ ପରିଣତି । ପତ୍ନୀଙ୍କୁ କଟୁରିରେ ହାଣି ଗୁରୁତର କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସ୍ବାମୀ ବିଷ ‌ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ।

ବାଲିଆପାଳ ଥାନା ଅଧୀନ ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅଧୀନ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ଝଗଡ଼ା ଏତେ ଉଗ୍ର ହୋଇଥିଲା ଯେ ମାମଲା ଥାନାରେ ପହଞ୍ଚିଥିଲା। ହେଲେ ଆପୋସ ସମାଧାନ ହୋଇପାରି ନଥିଲା। ଏପରି ସମୟରେ ଜୟନ୍ତୀ ସ୍ବାମୀ ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ନରହି ବାପଘରକୁ ଚାଲିଯାଇଥିଲେ। ସେ ସିଂଲା ଥାନା ସମ୍ମୁଖରେ ଏକ ବିୟୁଟି ପାର୍ଲର କରିଥିଲେ।

ତେବେ କୌଣସି କଥାକୁ ନେଇ ଆଜି ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଏକ କଟୁରି ଧରି ବିୟୁଟି ପାର୍ଲରରେ ପହଞ୍ଚିଥିଲେ ଏବଂ ପତ୍ନୀ ଜୟନ୍ତୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଜୟନ୍ତୀଙ୍କ ବାମ କାନ୍ଧ ସହ ମୁହଁ ଓ ହାତରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ସ୍ଥାନୀୟ ଲୋକ ସଂଗେ ସଂଗେ ବସ୍ତା ଡାକ୍ତରଖାନା ନେଇଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ବର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ  ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଆକ୍ରମଣ କରିଥିବା କଟୁରି ସହ ସିଂଲା ଥାନାରେ ଆତ୍ମସମର୍ପଣ କରିଥିଲେ। ତେବେ କେହି କିଛି ବୁଝିବା ଆଗରୁ ସେଠାରେ ସେ ସାଙ୍ଗରେ ଆଣିଥିବା ବିଷ ପିଇ ଦେଇଥିଲେ। ଫଳରେ ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଖବର ଲେଖାହେବା ଯାଏ କୌଣସି ମାମଲା ରୁଜୁ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe