ତେଲ ପକାଇବାକୁ କଲବଲ: କେଉଁଠି କିଏ ଟାଙ୍କି ଟେକି ଆଣୁଛି ତ କେଉଁଠି ୧୦୦ ଟଙ୍କାର ତେଲ ପାଇଁ ୧୫୦୦ ଟଙ୍କା ଖର୍ଚ୍ଚ କରୁଛି..

ବାଲେଶ୍ବର ଘଟଣା ପରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେବା ଉପରେ କଟକଣା ଲାଗିବା ପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ କିଛି ଅଜବ ଚିତ୍ର ସାମ୍ନାକୁ ଆସୁଛି

New Project (25)

ଭୁବନେଶ୍ବର: ହାତରେ ନଥିଲା ବୋତଲ କି ଜାର୍, ହାତରେ ଥିଲା ଟାଙ୍କି ମାନେ ଗାଡ଼ି ଟାଙ୍କି । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ୍ ମନା ହେବା ପରେ ଯେତେବେଳେ ଗାଡ଼ି ଖରାପ ହୋଇଛି ଠିକ୍ ସେତେବେଳେ ଜଣେ ଲୋକ ଗାଡ଼ିର ଟାଙ୍କି ଧରି ସିଧା ପେଟ୍ରୋଲ ପମ୍ପରେ ହାଜର ହୋଇଛନ୍ତି । ଯାହା ଯେତିକି ରୋଚକ ହୋଇଛି ସେତିକି ଚର୍ଚ୍ଚାରେ ବି ରହିଛି । 

ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ପାଇଁ କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ କିଛି ଅଜବ ଚିତ୍ର ସାମ୍ନାକୁ ଆସୁଛି । କିଏ ଗାଡିରୁ ଟାଙ୍କି ଖୋଲି ଆଣି ପେଟ୍ରୋଲ ପକାଉଛି ତ ଆଉ କିଏ ପାଣି ପମ୍ପ ଆଣି ତେଲ ଭରୁଛି। କଟକ ଜିଲ୍ଲା ବଡ଼ମ୍ବାର ମାଣିଆବନ୍ଧ ଓ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏଭଳି କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ବଡମ୍ବା ମାଣିଆବନ୍ଧ ଅଞ୍ଚଳରେ ତେଲ ଭରିବାକୁ ଗାଡିରୁ ଟାଙ୍କି ଖୋଲି ଆଣିଲେ ପେଟ୍ରୋଲ ପମ୍ପ। ମାଣିଆବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାଇକର ଟାଙ୍କିକୁ ଖୋଲି  ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ସେପଟେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପେଟ୍ରୋଲ ଟାଙ୍କିକୁ ଆସିଲା ପାଣି ପମ୍ପ। ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବାରଣ କରାଯାଇଥିବା ବେଳେ ବାଲିପାଟଣାର ବସନ୍ତମାଳ ତେଲ ଟାଙ୍କିରୁ ଆସିଛି ଦୃଶ୍ୟ। ଯେଉଁଠି ଜଣେ ଚାଷୀଙ୍କର ପାଣି ପମ୍ପରୁ ପେଟ୍ରୋଲ ସରିଯିବା ପରେ ଚାଷୀ ଜଣକ ସାଇକେଲରେ ପାଣି ପମ୍ପ ଆଣି ପେଟ୍ରୋଲ ଭରିଛନ୍ତି । ପୂର୍ବରୁ ଚାଷୀ ଜଣକ ବୋତଲ କିମ୍ବା ଜାରକିନରେ ପେଟ୍ରୋଲ ନେଇ ପାଣି ପମ୍ପ ଚଲାନ୍ତି । କିନ୍ତୁ ବୋତଲରେ ପେଟ୍ରୋଲ ବାରଣ ପରେ ଚାଷୀ ଜଣକ ବାଧ୍ୟ ହୋଇ ପାଣି ପମ୍ପଟିକୁ ତେଲ ଟାଙ୍କିକୁ ଆଣି ପେଟ୍ରୋଲ ଭରିଛନ୍ତି ।

ସେପଟେ କଟକରେ ବାଇକରେ ୧୦୦ ଟଙ୍କାର ତେଲ ପକାଇବା ପାଇଁ ଏକ ଭ୍ୟାନରେ ବାଇକକୁ ବୋହି ବୋହି ପେଟ୍ରୋଲ ପମ୍ପ ଆଣିବାକୁ ପଡିଛି । ମାନେ ୧୦୦ ଟଙ୍କାର ତେଲ ପକାଇବା ପାଇଁ ଚାଳକ ଜଣଙ୍କୁ ୧୫୦୦ ଟଙ୍କାର ଭଡା ଦେବାକୁ ପଡିଛି । ରାସ୍ତାରେ ଯାଉଥିବା ବେଳେ ବାଇକରୁ ତେଲ ସରିଯିବା ପରେ ବାଇକକୁ ସିଧା ଟାଟ ଏସିରେ ବୋହି ପେଟ୍ରୋଲ ପମ୍ପ ଆଣିଛନ୍ତି । କାରଣ ପୂର୍ବରୁ ଯେଉଁ ବୋତଲରେ ତେଲ ନେବାର ସୁବିଧା ଥିଲା ଏବେ ତା ଉପରେ କଟକଣା ଲାଗିଛି । ତେବେ ବାଲେଶ୍ବର ଘଟଣା ପରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେବା ଉପରେ କଟକଣା ଲାଗିବା ପରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe