ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସାରି ଫେରିବା ବାଟରେ ଶରଧାବାଲିରେ ପ୍ରବଳ ଭିଡ଼ ଯୋଗୁଁ ଭକ୍ତଙ୍କ ମୃତ୍ୟୁ

ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସାରି ଫେରିବା ବାଟରେ ଶରଧାବାଲିରେ ପ୍ରବଳ ଭିଡ଼ ଯୋଗୁଁ ଭକ୍ତଙ୍କ ମୃତ୍ୟୁ

ପୁରୀ/କାକଟପୁର: ମହାପ୍ରଭୁଙ୍କ ଆଡ଼ପ ଦର୍ଶନ (ନବମୀ ସନ୍ଧ୍ୟା) ପାଇଁ ଭକ୍ତ ଯାଇଥିଲେ ଶ୍ରୀଗୁଣ୍ଡିଚା ମନ୍ଦିର। କିନ୍ତୁ ସେଠାରେ ମହାପ୍ରଭୁଙ୍କ ଦର୍ଶନ ପରେ ତାଙ୍କର ଜୀବନ ଚାଲିଯାଇଛି। ନବମୀ ସନ୍ଧ୍ୟା ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି। ମୃତ ବ୍ୟକ୍ତି ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ(୮୨)। ସେ ଥିଲେ ଜଣେ ବରିଷ୍ଠ କଂଗ୍ରେସ ନେତା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ।

ସୂଚନା ଅନୁସାରେ ଶ୍ରୀ ଖୁଣ୍ଟିଆ ଆଜି ଦିନ ୧୧ଟା ବେଳେ କାକଟପୁରସ୍ଥିତ ନିଜ ଘରୁ ସପରିବାର ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ। ଅପରାହ୍‌ଣରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜିଉମାନଙ୍କ ଦର୍ଶନ ସାରି ମନ୍ଦିର ବାହାରକୁ ଆସୁଥିଲେ। ନବମୀ ଅବସରରେ ଶରଧାବାଲିରେ ପ୍ରବଳ ଭିଡ଼ ଯୋଗୁଁ ଅସୁସ୍ଥତା ଅନୁଭବ କରି ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥି‌ଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲକ୍ଷ୍ମୀଧରଙ୍କ ମୃତ୍ୟୁ ଖବର ଶୁଣି ବଡ଼ପୁଅ ସୌମ୍ୟକାନ୍ତ ଖୁଣ୍ଟିଆ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି। ସ୍ବର୍ଗତ ଖୁଣ୍ଟିଆଙ୍କ ପରିବାରରେ ପତ୍ନୀ, ୨ ପୁଅ, ପୁତ୍ରବଧୁ, ନାତିନାତୁଣୀ ଓ ଝିଅ ଅଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟରେ ଗୁଣ୍ଡିଚା ମନ୍ଦିରରେ ଏଭଳି ଅଘଟଣ ପ୍ରଥମ ଥର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକ ଭାବେ ଚାକିରିରୁ ଅବସର‌ ନେଲା ପରେ ଲକ୍ଷ୍ମୀଧର ଖୁଣ୍ଟିଆ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ କାକଟପୁର ବ୍ଲକ କଂଗ୍ରେସ କମିଟି  ସଭାପତି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe