ନକଲି ଋଣ ଆପ୍‌ରେ ଠକେଇ; ଦିଲ୍ଲୀରେ ଠକ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ନକଲି ଋଣ ଆପ୍‌ରେ ଠକେଇ; ଦିଲ୍ଲୀରେ ଠକ ଗିରଫ, ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ନୂଆଦିଲ୍ଲୀ/ଭୁବନେଶ୍ବର: ଅର୍ଥନୈତକ ଅପରାଧ ଶାଖା (ଇଓଡବ୍ଲୁ )ହାତରେ ଠକ ଧରାପଡିଛି। ଅଭିଯୁକ୍ତ ଠକ ନକଲି ଋଣ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେବା ନାଁରେ ଠକୁଥିଲା। ଗିରଫ ଅଭିଯୁକ୍ତ ହେଲା ନୀତିନ ମଲ୍ଲିକ। ପୁଲିସ ନୀତିନକୁ ଦିଲ୍ଲୀରେ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ବର ଆଣିଛି। ତେବେ ନୀତିନକୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ନୀତିନ ଲୋକଙ୍କୁ ଋଣ ଦେବା ବାହାନାରେ ନକଲି ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଥିଲା। ଏହି ଆପ୍‌ ମାଧ୍ୟମରେ ଅନେକ ଲୋକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଠକେଇ ନେଇ ପୁଲିସ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ନୀତିନ ଦିଲ୍ଲୀ‌ରେ ଗିରଫ ହେଲା ପରେ ଇଓଡବ୍ଲୁ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ବର ଆଣିଛି।

ଇଓଡବ୍ଲୁ କହିଛି, ନୀତିନର ଅନ୍ତର୍ଜାତୀୟ ରାକେଟ ସହ ସମ୍ପର୍କ ରହିଛି। ରାକେଟର ମାଷ୍ଟରମାଇଣ୍ଡ ଚାଇନାରୁ ଅପରେଟ କରୁଛି। ଚାଇନାର ୩ ବଡ ସଂସ୍ଥାଙ୍କ ସହ ନୀତିନର ସମ୍ପର୍କ ରହିଛି। ମାସକୁ ଭଲ ଦରମା ପାଉଥିଲା ନୀତିନ। ଠକ ନୀତିନ ଜାଲରେ ଫସିଥିଲେ ଶକ୍ତି ପ୍ରସାଦ ଦାସ, ଯିଏକି କ୍ରେଡିଟ ଗୋଲ୍ଡ ଆପ ଡାଉନଲୋଡ କରି ଟଙ୍କା ହରାଇଥିଲେ।

ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ଠକ ୧୦ଟି ଋଣ ଆପ୍‌ରେ ଠକୁଥିଲେ। ଅଭିଯୁକ୍ତ ପାଖରୁ ଲାପଟପ୍‌, ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ ହୋଇଛି। ଠକ ନୀତିନ ବିଭିନ୍ନ କମ୍ପାନିର ସିମକାର୍ଡ ବ୍ୟବହାର କରୁଥିଲା। ଭାରତର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଠକେଇର ଜାଲ ବିଛାଇ ଥିଲା। ମୁମ୍ବାଇ ପୁଲିସ ସମେତ ବହୁ ରାଜ୍ୟର ପୁଲିସ ନୀତିନକୁ ଖୋଜୁଥିଲେ। ରିମାଇଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଇଓଡବ୍ଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe