ସମ୍ବଲପୁର: କିଛିଦିନ ବ୍ୟବଧାନରେ ହୀରାକୁଦରେ ପୁଣି ଜଣେ ଯୁବକ ଅଭୟ ଦାସ (୨୦)ଙ୍କୁ ହତ୍ୟା କରାଯାଇଛି। ଅଭୟଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଫୋନ୍‌ରେ ଡାକି ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ ଉପରେ ହତ୍ୟା କରାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ସୂଚନା ଅନୁସାରେ, ଅଭୟ ଗତକାଲି ତାଙ୍କ ବଡ଼ମା’ଙ୍କୁ ନେଇ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାକୁ କୌଣସି କାମରେ ଆସିଥିଲେ। ଏହି ସମୟରେ ଅଭୟଙ୍କ ପାଖକୁ ବାରମ୍ବାର ଫୋନ୍ କଲ୍ ଆସିଥିଲା। ଫୋନ୍ କଲ୍‌ରେ ଜଣେ ଯୁବତୀ ବୁର୍ଲା ଆସିବାକୁ ଡାକିଥିଲେ। ବଡ଼ମା’ଙ୍କୁ ଘରେ ଛାଡ଼ି ସନ୍ଧ୍ୟା ୫ଟାରେ ଅଭୟ ବୁର୍ଲାକୁ ଯାଇଥିଲେ। କିନ୍ତୁ, ସନ୍ଧ୍ୟା ସମୟରୁ ଅଭୟଙ୍କ ମୋବାଇଲ ଫୋନ୍‌ ବନ୍ଦ ହୋଇ ଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ। ଅଭୟ ଘରକୁ ନଆସିବା ଓ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ଥିବାରୁ ଅଭୟଙ୍କ ବାପା ରଘୁନାଥ ସାହୁ ଆଜି ସକାଳେ ବୁର୍ଲା ଯାଇ ଖୋଜାଖୋଜି କରିଥିଲେ। ବୁର୍ଲାରେ ରହୁଥିବା ଅଭୟଙ୍କ ସାଙ୍ଗମାନଙ୍କ ଘରକୁ ମଧ୍ୟ ଯାଇଥିଲେ। କିନ୍ତୁ, ଅଭୟଙ୍କର କୌଣସି ସନ୍ଧାନ ପାଇନଥିଲେ। ରଘୁନାଥ ହୀରାକୁଦରୁ ଫେରିବା ସମୟରେ ଲକ୍ଷ୍ମୀଡୁଙ୍ଗୁରି ପାଖରେ ଅଭୟଙ୍କ ସ୍କୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖୋଜାଖୋଜି କରିବା ପରେ କିଛି ଦୂରରେ ଅଭୟଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ସନ୍ଦେହ ହେବାରୁ ଅଭୟଙ୍କ ବାପା ପାହାଡ଼ ଉପରକୁ ଚଢ଼ିଥିଲେ।

Advertisment

Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ

ରାସ୍ତାଠୁ ପ୍ରାୟ ଶହେ ମିଟର ଦୂର ପାହାଡ଼ ଉପରେ ଅଭୟଙ୍କ ମୃତଦେହ ପଡ଼ିଥିବା ରଘୁନାଥ ଦେଖିବାକୁ ପାଇଥିଲେ। ପରେ ରଘୁନାଥ ତାଙ୍କର ଜଣେ ବନ୍ଧୁଙ୍କୁ ଡାକି କ୍ଷେତରାଜପୁର ଥାନାରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଏତଲା ଦେଇଥିଲେ। ଅଭୟଙ୍କୁ ଫୋନ କରି ଡାକି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କ୍ଷେତରାଜପୁର ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ଅଭୟଙ୍କୁ ହତ୍ୟା କରାଯାଇଥିବା ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅନିଲ ପ୍ରଧାନ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଭୟଙ୍କ ସହିତ ବୁର୍ଲାର ଜଣେ ଯୁବତୀଙ୍କର ପ୍ରେମ ସଂପର୍କ ରହିଥିଲା। କିଛିଦିନ ତଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ପ୍ରେମ ପ୍ରତାରଣା କିମ୍ବା ଅନର୍‌ କିଲିଂ ଯୋଗୁ ଅଭୟଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ