ନବରଙ୍ଗପୁର ସଭା ମଣ୍ଡପରେ ଗଙ୍ଗା ଜଳ ସିଞ୍ଚନ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ: କଂଗ୍ରେସ

Advertisment
ନବରଙ୍ଗପୁର ସଭା ମଣ୍ଡପରେ ଗଙ୍ଗା ଜଳ ସିଞ୍ଚନ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ: କଂଗ୍ରେସ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସର ଶହେ ବର୍ଷ ପୂର୍ତି ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା କମିଟି ପକ୍ଷରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ଯୁବ ନେତା କହ୍ନେୟା କୁମାର, ଗୁଜୁରାଟର ବିଧାୟକ ଜିଗନେଶ ମେୱାନି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ସରକାରଙ୍କ ମନ୍ତ୍ରୀ ଲକ୍ଷ୍ମୀ କାୱାସି ପ୍ରମୁଖ ଯୋଗ ଦେଇଥିଲେ। ମାତ୍ର ସମାବେଶର ସଫଳତାରେ ଇର୍ଷା ପରାୟଣ ହୋଇ କିଛି ଅସାମାଜିକ ଯୁବକ ଜାତିଆଣ ମନ୍ତବ୍ୟ ଦେବା ସହିତ ସଭାସ୍ଥଳକୁ ଗଙ୍ଗାଜଳ ସିଞ୍ଚନ କରୁଥିବା ଭିଡିଓ ଭାଇରାଲ କରିଛନ୍ତି। ଏହି ଘଟଣା ନବରଙ୍ଗପୁର ଜିଲ୍ଲାର ଦଳିତ ଆଦିବାସୀଙ୍କ ଭିତରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ତେଣୁ କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଞ୍ଚନ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କଂ‌ଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଗୁରୁବାର ଦିନ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା କହିଛନ୍ତି ଗଙ୍ଗାଜଳ ସିଞ୍ଚନ କରି ଦଳିତ ଆଦିବାସୀଙ୍କ ସମ୍ମାନ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଥାନାରେ ମାମଲା ଦାୟର କରାଯାଇଛି। ସଂପୃକ୍ତ ବ୍ୟକ୍ତିମାନେ ବିଶ୍ବହିନ୍ଦୁ ପରିଷଦ ଓ ବିଜେପି ଦଳର ଇଙ୍ଗିତରେ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ସ୍ଥାନୀୟ ଜିଲ୍ଲା ଏସ୍‌ପି ଓ ଜିଲ୍ଲା ପ୍ରଶାସନ ନିଜ ଆଡ଼ୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରି ନାହାନ୍ତି। ତେଣୁ ଦଳିତ ନିର୍ଯାତନା ଆଇନ ଅନୁଯାୟୀ ଦୋଷୀମାନଙ୍କୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କଂଗ୍ରେସ ପକ୍ଷରୁ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀ‌ରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖପାତ୍ର ଅମିୟ ପାଣ୍ଡବ ଓ ଜୟନ୍ତ ଭୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe