ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଇଫ୍‌କୋ ପରିଚାଳନା ନିର୍ଦ୍ଦେଶକ

କଟକ-ପାରାଦୀପ ମେଟ୍ରୋ ଟ୍ରେନ୍, ସୁପର ସ୍ପେସାଲିଟି ହସ୍ପିଟାଲ ସଂକ୍ରାନ୍ତରେ ଆଲୋଚନା

ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଇଫ୍‌କୋ ପରିଚାଳନା ନିର୍ଦ୍ଦେଶକ

ଜଗତସିଂହପୁର: ବିଶ୍ୱର ସର୍ବ ବୃହତ ସମବାୟ ସଂସ୍ଥା ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅୱସ୍ଥି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଇଫକୋ ପାରାଦୀପ ୟୁନିଟର ନିର୍ଦ୍ଦେଶକ ତଥା ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ଡ. ଅୱସ୍ଥି ଇଫକୋ ସାର କାରଖାନାର ଓଡ଼ିଶାର କୃଷି କ୍ଷେତ୍ରରେ ଅବଦାନ ଉପରେ ଗୁରୁତ୍ୱାରୋପ କରି ଇଫ୍‌କୋ ନାନୋ ତରଳ ସାର, ଡିଏପି ଏବଂ ୟୁରିଆ ସାର ଉତ୍ପାଦନ ସଂପର୍କରେ ତଥ୍ୟ ରଖିଥିଲେ।

ଦେଶର ଖାଦ୍ୟ ନିରାପତ୍ତାରେ ପାରାଦୀପ ୟୁନିଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ସହ ଡ. ଅୱସ୍ଥିଙ୍କ ବୈଠକରେ ଇଫକୋର ନୂତନ ପୁଞ୍ଜି ବିନିଯୋଗ ଏବଂ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ସହିତ ପାରାଦୀପରେ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟ୍‌, ନାନୋ ଫର୍ଟିଲାଇଜର୍ ପ୍ଲାଣ୍ଟ ଏବଂ ନଦୀ ଭିତ୍ତିକ ବନ୍ଦର ଜେଟି ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। କଟକ ଏବଂ ପାରାଦୀପ ମଧ୍ୟରେ ଯାତାୟାତ ସୁବିଧା ସୁଦୃଢ଼ କରିବା ପାଇଁ ସେ ଏକ ନୂତନ ମେଟ୍ରୋ ରେଳର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ସ୍ୱାସ୍ଥ୍ୟସେବା ବୃଦ୍ଧି ପାଇଁ ପାରାଦୀପରେ ଏକ ଆଧୁନିକ ଡାକ୍ତରଖାନା ତଥା ସୁପର ସ୍ପେସାଲିଟି ହସ୍ପିଟାଲର ପ୍ରତିଷ୍ଠା ସହ ଶିଳ୍ପାନୁଷ୍ଠାନର ଆର୍ଥିକ ଅନୁଦାନପ୍ରାପ୍ତ ତଥା ପରିଚାଳିତ ହେଉଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନଙ୍କୁ ନିୟୋଜିତ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe