ମାନସ ସ୍ବାଇଁ ହତ୍ୟାକାଣ୍ଡ: ଭୁବନେଶ୍ବରରେ ଖୋଜାଚାଲିଛି ମେମୋରି କାର୍ଡ

Advertisment

ଫେବ୍ରୁଆରି ୫ରେ ହୋଇଥିଲା ମାଷ୍ଟରପ୍ଲାନ୍, କାଠଫାଳିଆରେ ଛେଚି ମାରିଥିଲେ

ଫେବ୍ରୁଆରି ୫ରେ ହୋଇଥିଲା ମାଷ୍ଟରପ୍ଲାନ୍, କାଠଫାଳିଆରେ ଛେଚି ମାରିଥିଲେ

ମାନସ ସ୍ବାଇଁ ହତ୍ୟାକାଣ୍ଡ: ଭୁବନେଶ୍ବରରେ ଖୋଜାଚାଲିଛି ମେମୋରି କାର୍ଡ

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଭୁବନେଶ୍ବରରେ ମେମୋରି କାର୍ଡ ଖୋଜୁଛି କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ୱେବ୍‌ପୋର୍ଟାଲରେ କାମ କରୁଥିବାବେଳେ ମାନସ ବିଭିନ୍ନ ସମୟରେ କିଛିବନ୍ଧୁ ଓ ସହଯୋଗୀଙ୍କ ଘରେ ରହୁଥିଲେ। ଆଜି ଭୁବନେଶ୍ବରର ସେହିସବୁ ସ୍ଥାନରେ କ୍ରାଇମବ୍ରାଞ୍ଚ୍‌ ଦିନସାରା ଚଢ଼ାଉ କରିଛି। କିନ୍ତୁ ରାତିପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ ମେମୋରି କାର୍ଡ ଲାଗିପାରିନାହିଁ। ଯେଉଁ ୬୦ଟି କ୍ଷୁଦ୍ର ଭିଡିଓ ଓ ବାହାଘର ଭିଡିଓ ହତ୍ୟାକାଣ୍ଡ ପଛର ପ୍ରମୁଖ କାରଣ କୁହାଯାଉଛି, ସେହି ଭିଡିଓ ଏଯାଏ କ୍ରାଇମବ୍ରାଞ୍ଚ ଜବତ କରିପାରି ନାହିଁ। ଫଳରେ, ଅଶ୍ଳୀଳ ଭିଡିଓକୁ ନେଇ ଏକ ବଡ଼ ରହସ୍ୟ ଲୁଚିଯିବାର ଆଶଙ୍କା ପ୍ରକାଶ ପାଇଛି।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବାପରେ କ୍ରାଇମବ୍ରାଞ୍ଚ୍‌ ‘ମେମୋରି କାର୍ଡ’ ଉପରେ ଗୁରୁତ୍ବ ଦେଇଛି। ଗତକାଲି ମାନସଙ୍କ ନୟାଗଡ଼ର ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପୋଖରୀ ଗାଁରେ କ୍ରାଇମବ୍ରାଞ୍ଚ୍‌ ଯାଞ୍ଚ କରିଥିଲା।

ରାତିଯାଏ ଯାଞ୍ଚ୍‌ ହୋଇଥିଲେ ବି ତାଙ୍କ ଘରୁ କୌଣସି ମେମୋରି କାର୍ଡ ମିଳିନଥିବା କ୍ରାଇମବ୍ରାଞ୍ଚ ଆଜି ସ୍ପଷ୍ଟ କରିଛି। ଏହାପରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ସୁନ୍ଦରପଦାର ଦୟାଲ ଆଶ୍ରମକୁ ଯାଇଥିଲେ। ସେଠାରୁ ଅଭିଯୁକ୍ତମାନେ ମାନସଙ୍କୁ ହତ୍ୟା କରିବାରେ ବ୍ୟବହୃ୍ତ ଆଉ ଏକ କାଠଫାଳିଆକୁ ଜବତ କରିଥିଲେ। ଏହାପୂର୍ବରୁ ୩ଟି ଠେଙ୍ଗା ଜବତ ହୋଇଥିଲା। ମାନସଙ୍କୁ ହତ୍ୟା କଲାପରେ ରକ୍ତ ଲଗା କାଠଫାଳିଆ ସମେତ ଠେଙ୍ଗା ଜଣେ କେୟାରଟେକର୍‌ ଝରକା ଫାଙ୍କରେ ବାହାରକୁ ଫିଙ୍ଗି ଦେଇଥିବା କ୍ରାଇମବ୍ରାଞ୍ଚକୁ ଶର୍ମିଷ୍ଠା କହିସାରିଥିଲେ। ଶର୍ମିଷ୍ଠାଙ୍କ ସହ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ଝୁନା ଭୋଇ ବି ହତ୍ୟାରେ ବ୍ୟବହୃତ ଏହି ଚାରିଟି ସାମଗ୍ରୀକୁ ଚିହ୍ନଟ କରିଛି। ଏଥିସହ, ପୂରା ହତ୍ୟାକାଣ୍ଡର ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି। ମାନସ ମେମୋରି କାର୍ଡ ନଦେବାରୁ ଫେବ୍ରୁଆରି ୫ ତାରିଖରେ ହତ୍ୟା ଷଡ଼୍‌ଯନ୍ତ୍ର ପାଇଁ ଶର୍ମିଷ୍ଠା ହିଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିବା ଝୁନା ବୟାନ ଦେଇଛି।

କ୍ରାଇମମବ୍ରାଞ୍ଚ ଏହାକୁ କଟକ ବଡ଼ ଡାକ୍ତରଖାନା ଏଫଏମଟି (ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି) ବିଭାଗର ପ୍ରଫେସରଙ୍କ ନିକଟରେ ଦାଖଲ କରିଛି। କାଠ ଫାଳିଆ ଓ ଠେଙ୍ଗାରେ ବାରମ୍ବାର ଆଘାତ ଦେଇଥିବାରୁ ମୃତ୍ୟୁ ସମ୍ଭାବନା ଥିବା ଏଫ୍‌ଏମ୍‌ଟିର ପ୍ରଫେସର କ୍ରାଇମବ୍ରାଞ୍ଚ ନିକଟରେ ମତ ରଖିଛନ୍ତି। କାରଣ, ମାନସଙ୍କ ଦେହରେ ଯେଉଁ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି ଏବଂ ପଞ୍ଜରା ହାଡ଼ଭାଙ୍ଗି ଶରୀର ଭିତରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।
ଅନ୍ୟପଟେ ଆଜି ସୁଦ୍ଧା ହତ୍ୟାକାଣ୍ଡ ପଛରେ ଥିବା ମେମୋରି କାର୍ଡ ମିଳି ନଥିବା ବେଳେ ଏଥିରେ କି ପ୍ରକାର ତଥ୍ୟ ଥିଲା ସେ ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe