ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁର: ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

ଭିଜିଲାନସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଘଟଣା ଦିନ ଅପରାହ୍ଣ ୨ଟାରେ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ। ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ। ମାନସୀଙ୍କୁ ଦେବାପୂର୍ବରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାନସ୍ ଅଧିକାରୀମାନେ ଜବତ କରିଥିଲେ। ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଇଛି। ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରାଯାଇଛି।

ଅଭିଯୋଗକାରୀଙ୍କ ଏତଲା ଆଧାରରେ ଭିଜିଲାନ୍ସ ସେଲ୍ ପକ୍ଷରୁ ଧାରା ୭/୧୨ ପିସି ଆକ୍ଟ, ୧୯୮୮ ଅନୁସାରେ କେସ୍ ୫/୧୨.୫.୨୦୨୨ ରୁଜୁ କରାଯାଇଛି। ମାନସୀ ଏବଂ ମୁକେଶଙ୍କ ଜରିଆରେ ଅଧିକ ତଦନ୍ତ ଜାରି ରହିଛି। ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ ଜେଠୱା କହିଛନ୍ତି ଯେ, ଭିଜିଲାନ୍ସ ଅଧିକାରୀମାନଙ୍କ ଉପରେ ଏବେ ନଜର ରଖାଯାଇଛି। ଏଥିପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଭିଜିଲାନ୍ସ ସେଲ୍ ଡିଭିଜନରେ ଏକ ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ ଖୋଲାଯାଇଛି। ଏହି ୟୁନିଟ୍ ଭିଜିଲାନ୍ସ ଅଧିକାରୀମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟିରଖୁଛି। ଯିଏ ବି ଦୁର୍ନୀତି କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଜେଠୱା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe