ନୂଆପଡ଼ା ଜିଲ୍ଲାରେ ଖୋଲିନି ମଣ୍ଡି: କପା ଚାଷୀ ଅଭାବୀ ବିକ୍ରିର ଶିକାର

ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ଦୁଃଖର ଅନ୍ତ ହେଉନାହିଁ। କେତେବେଳେ ନକଲି ସାର ଯୋଗୁ କ୍ଷତି ସହୁଛନ୍ତି ତ କେତେବେଳେ ରୋଗପୋକ ଦାଉ ସାଧୁଛି। ଅନେକ ସମୟରେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି।

fhshsh

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ଦୁଃଖର ଅନ୍ତ ହେଉନାହିଁ। କେତେବେଳେ ନକଲି ସାର ଯୋଗୁ କ୍ଷତି ସହୁଛନ୍ତି ତ କେତେବେଳେ ରୋଗପୋକ ଦାଉ ସାଧୁଛି। ଅନେକ ସମୟରେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି। ବର୍ତ୍ତମାନ ଜିଲ୍ଲାରେ କପା ଅମଳ ହୋଇ ସାରିଥିବା ବେଳେ ବଜାର ବ୍ୟବସ୍ଥା ନାହିଁ। ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ଉପାୟ ନପାଇ ଅତି କମ୍‌ ଦରରେ ଦଲାଲ ହାତରେ କପାକୁ ଟେକି ଦେଉଛନ୍ତି।

ଚାଷୀମାନଙ୍କ କହିବା ଅନୁସାରେ, ଜିଲ୍ଲାରେ ଚଳିତବର୍ଷ ଲଗାତାର ଜଳବାୟୁ ପରିବର୍ତ୍ତନ ହେତୁ ସ୍ୱଳ୍ପ ବୃଷ୍ଟିପାତ ହୋଇଥିଲା। ତଥାପି ଚାଷୀମାନେ ଧାରକରଜ କରି ବହୁ କଷ୍ଟରେ ଚାଷକାମ ଆଗେଇ ନେଇଥିଲେ। କପା ଫସଲ ବି ଭଲ ହେଲା। ଗତ ପ୍ରାୟ ଏକମାସ ହେଲା କପା ଅମଳ ଆରମ୍ଭ ହେଲାଣି। ଗତ ତିନି ବର୍ଷରେ ହୋଇଥିବା କ୍ଷତି ଏଥର କିଛିଟା ଭରଣା ହେବ ବୋଲି ଚାଷୀମାନେ ଆଶା ରଖିଛନ୍ତି। ହେଲେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କପା ମଣ୍ଡି ଖୋଲି ନାହିଁ। ଫଳରେ ଚାଷୀମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଅନ୍ୟ ଅଞ୍ଚଳ‌ରୁ ଦଲାଲମାନେ ଜିଲ୍ଲାକୁ ଆସି କପାଚାଷୀଙ୍କଠାରୁ ବହୁ କମ୍ ଦରରେ କପା କିଣିନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।  ସେଥିପାଇଁ ଜିଲ୍ଲା ପ୍ରଶାସନ ଶୀଘ୍ର କପା ମଣ୍ଡି ଖୋଲିବାକୁ ସେମାନେ ଦାବି କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ପ୍ରାୟ ୧୯ ହଜାର ୪୯୫ ହେକ୍ଟରରେ କପା ଚାଷ ହୋଇଛି। ନୂଆପଡ଼ା ବ୍ଲକ୍‌ରେ ୨୭୨୦ ହେକ୍ଟର, କୋମନା ବ୍ଲକ୍‌ରେ ୧୦ ହଜାର ୧୮୦ ହେକ୍ଟର, ବୋଡ଼େନ ବ୍ଲକ୍‌ରେ ୧୫୫୧ ହେକ୍ଟର, ଖଡ଼ିଆଳ ବ୍ଲକ୍‌ରେ ୩୦୨୦ ହେକ୍ଟର ଓ ସିନାପାଲି ବ୍ଲକ୍‌ରେ ୨୦୨୪ ହେକ୍ଟର କପା ଚାଷ ହୋଇଛି। ବର୍ତ୍ତମାନ ସରକାରୀ ମୂଲ୍ୟ କୁଇଣ୍ଟାଲ ପିଛା ୭୫୨୧ ଟଙ୍କା ଥିବା ବେଳେ ଦଲାଲମାନେ କମ୍ ଦାମରେ କିଣି ମାଲାମାଲ ହେଉଛନ୍ତି। ଚାଷୀମାନେ ଉଚିତ ମୂଲ୍ୟ ପାଉ ନ ଥିବାରୁ କେମିତି ରଣ ଟଙ୍କା ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି।

 ବର୍ତ୍ତମାନ ପ୍ରଶାସନ କପା ମଣ୍ଡି ଖୋଲିବାରେ ବିଳମ୍ବ କରୁଥିବା ବେଳେ ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇଥିବା ଚାଷୀ ମହେନ୍ଦ୍ର ଶବର, ପରମାନନ୍ଦ ଶବର ପ୍ରମୁଖ ଅଭିଯୋଗ କରିଛନ୍ତି। ଏହା ଉପରେ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠୀ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ଜିଲ୍ଲାରେ କପା ମଣ୍ଡି ଆରମ୍ଭ ହେବ। ଚାଷୀମାନଙ୍କୁ ଦଲାଲ କବଳରୁ ରକ୍ଷା କରିବା ପାଇଁ ସଚେତନ କରାଯାଇଛି। ଚଳିତ ବର୍ଷ ବହୁ ପରିମାଣରେ କପା ଉତ୍ପାଦନ ହୋଇଛି। ୧୫୫ କୋଟି ଟଙ୍କାର କପା ଚାଷୀଙ୍କଠାରୁ କ୍ରୟ କରାଯିବା ଲକ୍ଷ୍ୟ ରହିଥିବା ଶ୍ରୀ ସେଠୀ କହିଛନ୍ତି। ସେହିପରି ଆର୍‌ଏମ୍‌ସି ସଂପାଦକ ଆର୍ଯ୍ୟ ମୁଦୁଲିଙ୍କୁ ପଚାରିବାରୁ ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ କପା ମଣ୍ଡି ଆରମ୍ଭ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe