ଶିଶୁଙ୍କ ପୋଷଣ ସାଧନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଅଙ୍ଗନବାଡ଼ିରେ ‘ମାଣ୍ଡିଆ ଲଡୁ’ ଓ ‘ସ୍ପିରୁଲିନା ଚିକି’ ବଣ୍ଟନ ଆରମ୍ଭ

Advertisment
ଶିଶୁଙ୍କ ପୋଷଣ ସାଧନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଅଙ୍ଗନବାଡ଼ିରେ ‘ମାଣ୍ଡିଆ ଲଡୁ’ ଓ ‘ସ୍ପିରୁଲିନା ଚିକି’ ବଣ୍ଟନ ଆରମ୍ଭ

ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଏହାର ଶୁଭାରମ୍ଭ କରିଛନ୍ତି। ‘‘ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୁଷ୍ଟି ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକି ବଣ୍ଟନ ଆରମ୍ଭ ହୋଇଛି। ଏଥିପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହି ଯୋଜନା ଫଳରେ ସାନ ସାନ ପିଲାମାନଙ୍କର ଯେଉଁଠି ପୁଷ୍ଟିଗତ ସମସ୍ୟା ରହିଥିଲା ତାହା ଏବେ ଦୂର ହୋଇପାରିବ’’, କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।publive-image

ଏହି ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଏସପି ସାଗରିକା ନାଥ, ଡିଏମଏଫ ସିଇଓ ରସାଇ ଲାଗୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ, ୱାସନର ଜିଲ୍ଲା ସଂଯୋଜକ ଅର୍ପଣ ଦାସ ଏବଂ ଜିଲ୍ଲା ତଥା ଡିଏମଏଫର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ‘‘ଜିଲ୍ଲାର ଦୁଇଟି ବ୍ଳକରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକିର ପାଇଲଟ୍ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିବାରୁ ପିଲାମାନଙ୍କ ପାଇଁ ଏହା ସେମାନଙ୍କ ଘରେ ପହଞ୍ଚାଯାଉଛି। ଉଭୟ ମାଣ୍ଡିଆ ଓ ସ୍ପିରୁଲିନାରେ ପୋଷଣ ଶକ୍ତି ଭରପୂର ହୋଇ ରହିଛି। ତେଣୁ ଶିଶୁଙ୍କ କ୍ଷେତ୍ରରେ ଯେଉଁ ଅପପୁଷ୍ଟି, ଓଜନ ଓ ଉଚ୍ଚତା ହ୍ରାସ ଭଳି ସମସ୍ୟା ରହିଥିଲା ତାହା ଏହାଦ୍ୱାରା ଦୂର ହୋଇପାରିବ। ଏହି ଦୁଇଟି ବ୍ଲକରେ ପିଲା ଏବଂ ଅଭିଭାବକଙ୍କ ମତାମତ ନେବା ପରେ ଯାଇ ଜିଲ୍ଲାର ଅନ୍ୟ ବ୍ଲକକୁ ଏହି କାର୍ଯ୍ୟକ୍ରମକୁ ସଂପ୍ରସାରଣ କରାଯିବ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାରେ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ଅଭିନବ କାର୍ଯ୍ୟକ୍ରମ
ହେମଗିରି ବ୍ଳକରେ ମାଣ୍ଡିଆ ଲଡୁ ଏବଂ ଲେଫ୍ରିପଡ଼ା ବ୍ଳକରେ ସ୍ପିରୁଲିନା ଚିକି
ସ୍ୱାଧୀନତା ଦିବସ ଅବସରରେ ପାଇଲଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ
ମାଣ୍ଡିଆ ଲଡୁ ପ୍ରସ୍ତୁତ କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ
ସ୍ପିରୁଲିନା ବ୍ୟବହାର କରିବାରେ ସୁନ୍ଦରଗଡ଼ ରାଜ୍ୟରେ ପ୍ରଥମ ଜିଲ୍ଲା

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ‘‘ସ୍ପିରୁଲିନା ଚିକି ପାଇଁ ମହୀଶୂରରେ ଥିବା ‘ସେଣ୍ଟର ଫର ନ୍ୟୁଟ୍ରିସନ’ ସଂସ୍ଥା ସହ ଓଡ଼ିଶା ସରକାର ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି। ବହୁ ଗବେଷଣା ପରେ ପ୍ରକ୍ରିୟାକରଣ କରାଯାଇ ସ୍ପିରୁଲିନାକୁ ଶିଶୁଙ୍କ ଖାଦ୍ୟରେ ସାମିଲ କରାଯାଇଛି। ଆଗାମୀ ଦିନରେ ସୁନ୍ଦରଗଡ଼ରେ ସ୍ପିରୁଲିନା ଚାଷ କରିବାର ଲକ୍ଷ୍ୟ ରହିଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଯେତିକି ମାଣ୍ଡିଆ ଅମଳ ହେଉଛି ତାକୁ ଆମେ ଟିଡିକଲ ମାଧ୍ୟମରେ ଅଧିଗ୍ରହଣ କରୁଛୁ। ଏଥିରୁ ମାଣ୍ଡିଆ ଲଡୁ ପ୍ରସ୍ତୁତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଗାଇ ଦିଆଯାଉଛି।’’

publive-image

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ହେମଗିରି ବ୍ଲକରୁ ଆସିଥିବା ୫ ଜଣ ମା’ଙ୍କୁ ମାଣ୍ଡିଆ ଲଡୁ ଏବଂ ଲେଫ୍ରିପଡ଼ା ବ୍ଲକରୁ ଆସିଥିବା ୫ ଜଣ ମା’ଙ୍କୁ ସ୍ପିରୁଲିନା ଚିକି ପ୍ରଦାନ କରାଯାଇଥିଲା। ସେହିପରି ମାଣ୍ଡିଆରୁ ପ୍ରସ୍ତୁତ ଲଡୁଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା। ସ୍ପିରୁଲିନାଯୁକ୍ତ ଚିକି ଏବଂ ବାଦାମ ଲଡୁ ପ୍ରସ୍ତୁତି ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହାର ପ୍ରସ୍ତୁତି ପାଇଁ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମାଣ୍ଡିଆରେ ପ୍ରଚୁର ମାତ୍ରାରେ ପୋଷଣ ଶକ୍ତି ରହିଥିବାରୁ ଶିଶୁମାନଙ୍କ ସକାଳ ଜଳଖିଆରେ ବେସନ ଲଡୁ ସହିତ ଏହାକୁ ସାମିଲ କରାଯାଇଛି। ସପ୍ତାହରେ ୪ଟି ଲେଖାଏଁ ମାଣ୍ଡିଆ ଲଡୁ ପ୍ରତି ଶିଶୁଙ୍କୁ ଦିଆଯିବ। ହେମଗିରି ବ୍ଲକର ୨୧୪ଟି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୩ ହଜାରରୁ ଅଧିକ ଶିଶୁ ଏଥିରେ ଉପକୃତ ହେବେ। ବର୍ତ୍ତମାନ କରୋନା ପରିସ୍ଥିତି ପାଇଁ ମାଣ୍ଡିଆ ଲଡୁ ମିକ୍ସ ପ୍ରସ୍ତୁତ କରାଯାଇ ପିଲାମାନଙ୍କୁ ଦିଆଯାଉଛି। ଅଭିଭାବକମାନେ ଏଥିରୁ ଲଡୁ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେଇପାରିବେ। ସେହିପରି ୭ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଏବଂ ୩ରୁ ୬ ବର୍ଷ ବୟସର ଶିଶୁଙ୍କୁ ସ୍ପିରୁଲିନା ଚିକି ପ୍ରଦାନ କରାଯାଉଛି। ଲେଫ୍ରିପଡ଼ା ବ୍ଲକର ୨୧୩ଟି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୫ ହଜାରରୁ ଅଧିକ ଶିଶୁ ଏଥିରେ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe