ପୁରୀ: ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବ ହୋଇଛି | ସେହିପରି ଦୁଇଦିନ ହେଲା ପହୁଡ଼ ନୀତି ହୋଇପାରିନି | ନୀତିକାନ୍ତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ମିଳିଥିବା ସୂଚନା ମୁତାବକ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ରଥଯାତ୍ରା ପରଠାରୁ ତିନି ରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ।
ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବାର ଥିଲା। ତେବେ ଭୋର ୫ଟାରେ ହେବାକୁ ଥିବା ମଙ୍ଗଳ ଆଳତି ନୀତି ବିଳମ୍ବ ହୋଇଥିବାରୁ ଅନ୍ୟ ସବୁ ନୀତି ମଧ୍ୟ ବିଳମ୍ବିତ ହେବ ବୋଲି କୁହାଯାଉଛି |
Follow Us