ମଙ୍ଗଳଦୀପ ଅଗରବତୀର ବଜାର ପ୍ରବେଶ

Advertisment

ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ , ଶ୍ରୀମନ୍ଦିରରୁ ବାହାରୁଥିବା ଫୁଲ, ତୁଳସୀରୁ ପ୍ରସ୍ତୁତ ହୋଇଛି ଏହି ସୁଗନ୍ଧିତ ଧୂପ, ପ୍ରତିଷ୍ଠିତ କଂପାନି ଆଇଟିସି ଏହାର ଉତ୍ପାଦକ

ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ , ଶ୍ରୀମନ୍ଦିରରୁ ବାହାରୁଥିବା ଫୁଲ, ତୁଳସୀରୁ ପ୍ରସ୍ତୁତ ହୋଇଛି ଏହି ସୁଗନ୍ଧିତ ଧୂପ, ପ୍ରତିଷ୍ଠିତ କଂପାନି ଆଇଟିସି ଏହାର ଉତ୍ପାଦକ

ମଙ୍ଗଳଦୀପ ଅଗରବତୀର ବଜାର ପ୍ରବେଶ

ପୁରୀ : ଚଳିତ ରଥଯାତ୍ରା ଅବସରରେ ରାଜ୍ୟ ସରକାରଙ୍କ ଓରମାସ୍‌ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଦେଶର ଜଣାଶୁଣା କଂପାନି ଆଇଟିସି ଏହାର ନୂଆ ଅଗରବତୀ ବ୍ରାଣ୍ଡ ‘ମଙ୍ଗଳଦୀପ’ର ବଜାର ପ୍ରବେଶ କରାଇଛି। ଶ୍ରୀମନ୍ଦିରରୁ ବାହାରୁଥିବା ଫୁଲ ଓ ତୁଳସୀରୁ ପ୍ରସ୍ତୁତ ହୋଇଛି ଏହି ସୁଗନ୍ଧିତ ଅଗରବତୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଇଟିସି ପକ୍ଷରୁ ତୁଳସୀ ଓ ନିମ୍ବର ଅଗରବତୀ ପ୍ୟାକ୍ ଏବଂ କସ୍ତୁରୀ, ଚନ୍ଦନ ମିଶ୍ରଣଯୁକ୍ତ ଅଗରବତୀ ପ୍ୟାକ୍‌ର ବଜାର ପ୍ରବେଶ କରାଯାଇଥିଲା। ଏହି ନୂଆ ଅଗରବତୀ ପ୍ରସ୍ତୁତି ପାଇଁ ଆଇଟିସି ଓଡ଼ିଶାର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ନେଇଛି। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଅଗରବତୀ ପ୍ରସ୍ତୁତ କରି ବଜାର ପ୍ରବେଶ କରାଇବା ସହ ମହିଳାମାନଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ପାରିଛି ବୋଲି କମ୍ପାନିର ବିଜନେସ୍‌ ମୁଖ୍ୟ ରବି ରାୟଭରମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଶ୍ରୀମନ୍ଦିରରୁ ବାହାରୁଥିବା ଫୁଲ, ତୁଳସୀର ସୁପରିଚାଳନା ପାଇଁ ଆଇଟିସି କମ୍ପାନିକୁ ଏହାର ନିଲାମ ଦେବା ପରେ ଆଇଟିସି ମହାପ୍ରଭୁଙ୍କ ଫୁଲ, ତୁଳସୀରୁ ଅଗରବତୀ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା। ଏ ବାବଦରେ ଆଇଟିସି ଶ୍ରୀମନ୍ଦିର ପ୍ରଶାସନକୁ ଦେୟ ବି ଦେଉଛି। ଶ୍ରୀମନ୍ଦିର ପ୍ରଶାସନର ଆୟବୃଦ୍ଧିରେ ଏହା ସହାୟକ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe