ମେଳାରେ ଆମ୍ବ ଦର ଆକାଶ ଛୁଆଁ; ଗ୍ରାହକଙ୍କ ଦେଖା ନାହିଁ, କମ୍ ଦରରେ କିଣି ଚଢ଼ା ଦରରେ ବିକ୍ରି ଅଭିଯୋଗ

Advertisment
ମେଳାରେ ଆମ୍ବ ଦର ଆକାଶ ଛୁଆଁ; ଗ୍ରାହକଙ୍କ ଦେଖା ନାହିଁ, କମ୍ ଦରରେ କିଣି ଚଢ଼ା ଦରରେ ବିକ୍ରି ଅଭିଯୋଗ

ରାୟଗଡ଼ା: ଓରମାସ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଆମ୍ବ ମେଳାର ଶୁଭାରମ୍ଭ ହୋଇଛି। ଏହି ମେଳାକୁ ଜିଲ୍ଲାପାଳ ସ୍ବଧାଦେବ ସିଂ ଉଦଘାଟନ କରିଥିଲେ। ଏହି ମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ତେବେ ଏହି ମେଳାରେ ଚାରି ପାଞ୍ଚଟି ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ବିଶେଷକରି କାଶୀପୁର ଅଂଚଳରୁ କିଛି ଆମ୍ବ ଆସିଥିବା ବେଳେ ବହୁ ଆମ୍ବ ମୁନିଗୁଡା ବ୍ଲକରୁ ଆସିଥିଲା। ଆମ୍ବ ମେଳାରେ ଯେଉଁ ଆମ୍ବ ବିକ୍ରି ହେଉଛି, ସେହି ଆମ୍ବ ବଜାରରେ କମ୍ ଦାମରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଥିଲା। ବଜାରରେ ୨୦ରୁ ୩୦ ଟଂକା ଆମ୍ବ ପ୍ରତି କିଲୋ ରହିଥିବା ବେଳେ ଆମ୍ବ ମେଳାରେ ୫୦ ଟଂକାରୁ ଉର୍ଦ୍ଧ୍ବ ରହିଛି। ଓରମାସ ନିଜର ଏଫପିଓ ଜରିଆରେ ଆମ୍ବ କମ୍ ଦରରେ ଖରିଦ କରିଛି। ଜିଲ୍ଲାରେ ଚାରୋଟି ଏଫପିଓ ରହିଛି। ସେଗୁଡିକ ହେଲା କୋଲନରା, ବିଷମକଟକ, ମୁନିଗୁଡା ଏବଂ କାଶୀପୁର ବ୍ଲକରେ। ଏହି ଏଫପିଓ(ଫାରମର ପ୍ରଡୁସର ଅରଗାନାଜେସନ)ରେ ଜଣେ ଜଣେ ସିଇଓ ରହିଛନ୍ତି।ଏମାନେ ଚାଷୀଙ୍କ ଠାରୁ ଆମ୍ବ ଖରିଦ କରି ମେଳା ଏବଂ ବଜାରକୁ ପଠାନ୍ତି। ତେବେ ଚଳିତ ବର୍ଷ ଆମ୍ବ ଭଲ ହୋଇନଥିବା ବେଳେ କାଳ ବୈଶାଖୀରେ ବହୁ ଆମ୍ବ ଝଡି ପଡିଛି।

publive-image

ଚାଷୀ ଆମ୍ବକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଓରମାସ ତରଫରୁ ବିଭିନ୍ନ ପ୍ରକାର ଆମ୍ବକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦ ଟଂକାରେ ବିକ୍ରି କରିଥିବା ଦେଖିବାକୁ ମିଳିଛି। ସ୍ବୟଂ ସହାୟକ ଗୋଷ୍ଠୀମାନେ ସେହି ଆମ୍ବକୁ ୪୦ କିମ୍ବା ୫୦ ଟଂକାରେ ବିକ୍ରି କରୁଛନ୍ତି। ଯଦି ଗ୍ରାହକଙ୍କ ସଂଖ୍ୟା ବଢିବ ତେବେ ଆମ୍ବର ଦାମ ମଧ୍ୟ ବଢିପାରେ ବୋଲି ଆଲୋଚନା ହେଉଛି। ତେବେ ପ୍ରଥମ ଦିନରେ ଗ୍ରାହକମାନଙ୍କର ଦେଖା ମିଳିନଥିଲା। ହୁଏତ ପ୍ରଚାର ପ୍ରସାର ଅଭାବରୁ ଲୋକେ ଆମ୍ବ ମେଳା ସଂପର୍କରେ ଅବଗତ ହୋଇନଥିବାରୁ ମେଳାରେ ଲୋକଙ୍କର ଭିଡ ଦେଖିବାକୁ ମିଳିନଥିଲା। ଚଢା ଦରରେ ଆମ୍ବ ବିକ୍ରି ହେଉଥିବାରୁ ଲୋକେ ମୁହଁ ଫେରାଇ ନେଉଥିବା ଲକ୍ଷ୍ୟ କରାଯାଇଛି। ରାୟଗଡା ବଜାରରେ ଆଦିବାସୀ ମହିଳାମାନେ ପ୍ରାୟ ୧୦ରୁ ୨୦ କିଲୋମିଟର ଚାଲି ଚାଲି ଆମ୍ବ କିଲୋ ପ୍ରତି ୨୦ରୁ ୩୦ ଟଂକାରେ ବିକ୍ରି କରୁଥିବା ବେଳେ ଆନ୍ଧ୍ର ଆମ୍ବ ମଧ୍ୟ ୩୦ ଟଂଙ୍କ କିଲୋରେ ବିକ୍ରି ହେଉଛି। ତେବେ ମେଳାରେ କାହିଁକି ଏତେ ଟଂକା ଦେଇ ଆମ୍ବ କିଣିବେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।ତେବେ ଏହି ମେଳା ଆଗକୁ ଲୋଙ୍କୁ ଆକୃଷ୍ଟ କରିପାରୁଛି କି ନାହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe