ଆଜି ବି ଆମ୍ବ ଟାକୁଆ!

Advertisment
ଆମ୍ବ ଉତ୍ପାଦନ ୨୦% କମିବ: ଜଳବାୟୁ ପରିବର୍ତ୍ତନର ପ୍ରଭାବ

ରାୟଗଡ଼ା: କାଶୀପୁର ବ୍ଲକ୍‌ର ଦେଢ଼ ଲକ୍ଷ ଜନସଂଖ୍ୟାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ହୋଇଛନ୍ତି ୧.୩୬ ଲକ୍ଷ। ସଭିଁଙ୍କୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି ସରକାର। ଏଥିସହ କୋଭିଡ୍‌ ପରଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅତିରିକ୍ତ ଭାବେ ଚାଉଳ ପାଉଛନ୍ତି ୧୧୭୫୬୮ ହିତାଧିକାରୀ। ତଥାପି କାଶୀପୁର ବ୍ଲକବାସୀଙ୍କ ଭୋକ ମେଣ୍ଟାଉଛି ଆମ୍ବ ଟାକୁଆ ଓ ଅଖାଦ୍ୟ! ପରମ୍ପରାଗତ ଖାଦ୍ୟ ପ୍ରଣାଳୀକୁ ଆଦିବାସୀ, କନ୍ଧ ଓ ଝୋଡ଼ିଆ ସଂପ୍ରଦାୟ ଛାଡ଼ି ପାରୁନଥିବାରୁ ଝାଡ଼ାବାନ୍ତି ସହ ଅନ୍ୟ ରୋଗରେ ପୀଡ଼ିତ ହୋଇ ଅକାଳରେ ଜୀବନ ହାରୁଛନ୍ତି।

ଦୀର୍ଘ ୪ ଦଶନ୍ଧି ଧରି ଝାଡ଼ାବାନ୍ତି, ଅନାହାର ମୃତ୍ୟୁର ଇଲାକା ଭାବେ ଜାତୀୟସ୍ତରରେ ଚର୍ଚ୍ଚାରେ ରହିଛି କାଶୀପୁର। ବ୍ଲକ୍‌ର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କ ପ୍ରିୟ ଖାଦ୍ୟ ଆମ୍ବ ଟାକୁଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଜାଉ। ଟଙ୍କିକିଆ ଚାଉଳ ଯୋଜନା କାର୍ଯ୍ୟକାରୀ ହେବାପରେ ଗରିବ ସୀମାରେଖା ତଳେ ବାସ କରୁଥିବା କାଶୀପୁର ବ୍ଲକର ୪୩ ହଜାର ୨୬୦ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ହୋଇଛନ୍ତି। ଏହାସତ୍ତ୍ବେ ଭାତ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟକୁ ଆଦିବାସୀ, କନ୍ଧ ଏବଂ ଝୋଡ଼ିଆ ସଂପ୍ରଦାୟ ସାଧାରଣତଃ ଗ୍ରହଣ କରିପାରିନାହାନ୍ତି। ଅଧିକାଂଶ ସମୟ ଆମ୍ବ ଟାକୁଆ, ମାଣ୍ଡିଆରୁ ପ୍ରସ୍ତୁତ ଜାଉ ଏବଂ ମହୁଲରୁ ପ୍ରସ୍ତୁତ ମଦ୍ୟପାନ କରି ରହୁଛନ୍ତି। ଯାହା ଗତ ସପ୍ତାହକ ମଧ୍ୟରେ ଟିକିରି ପଞ୍ଚାୟତରେ ଝାଡ଼ାବାନ୍ତିର ଶିକାର ହୋଇ ୫ ଜଣଙ୍କ ମୃତ୍ୟୁ ଘଟଣାରୁ ସ୍ପଷ୍ଟ। ତେବେ, ଗୁରୁବାର ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଟିକିରି ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆଙ୍କ ପରିବାର ୫ ବର୍ଷ ହେଲା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଜଣାପଡ଼ିଛି। ରାସନ କାର୍ଡ ହଜି ଯାଇଥିବାରୁ ୫ ବର୍ଷ ହେଲା ରାସନ ସାମଗ୍ରୀ ପାଉନାହାନ୍ତି ରଜନୀଙ୍କ ପରିବାର। ସେହିପରି ମୃତ ଅଞ୍ଜନ ଝୋଡ଼ିଆଙ୍କ ପରିବାର ମଧ୍ୟ ରାସନ ସାମଗ୍ରୀରୁ ବଞ୍ଚିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe