ମାନସୀଙ୍କ କୋହ: ‘ନିର୍ଯାତନା ସହିଥିଲେ ଭଲ ହୋଇଥାନ୍ତା’

Advertisment

ରୋଗଶଯ୍ୟାରେ ବାପା, ଚିକିତ୍ସା ପାଇଁ ଅର୍ଥ ନାହିଁ

ରୋଗଶଯ୍ୟାରେ ବାପା, ଚିକିତ୍ସା ପାଇଁ ଅର୍ଥ ନାହିଁ

ମାନସୀଙ୍କ କୋହ: ‘ନିର୍ଯାତନା ସହିଥିଲେ ଭଲ ହୋଇଥାନ୍ତା’

ବଲାଙ୍ଗୀର: ତାମିଲନାଡ଼ୁରେ ଇଟାଭାଟି ମାଲିକ ଓ ତାର ଗୁଣ୍ଡାମାନେ ଆକ୍ରମଣ କରିଥିବା ଘଟଣାକୁ ସହ୍ୟ କରି ଦେଇଥିଲେ ଭଲ ହୋଇଥାନ୍ତା। ପ୍ରତିବାଦ କରିବା ମୋତେ ମହଙ୍ଗା ପଡ଼ିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ମାନସୀ ବରିହା। ଏକଦା ସାହସୀ ଆଦିବାସୀ ଯୁବତୀ ବୋଲି ବିଭିନ୍ନ ଗଣମାଧ୍ୟମ ଓ ବିଭିନ୍ନ ସଂସ୍ଥାରୁ ସାବାସି ପାଇବା ପରେ ମୁଁ ଉତ୍‌ଫୁଲ୍ଲିତ ହୋଇ ପଡ଼ିଥିଲି। ସବୁଆଡ଼ୁ ଆଶ୍ବାସନା ମତେ ଆଶ୍ବସ୍ତ କରିଥିଲା। ଭାବିଥିଲି ଆମର ଏଥର ଆଉ ଦୁଃଖ ଦୁର୍ଦ୍ଦଶା ରହିବ ନାହିଁ। ଯେହେତୁ ମତେ ସମସ୍ତ‌େ ଭଲ କାମ କରିଛୁ ବୋଲି କହି ପ୍ରଶଂସା କରିଥିଲେ ଓ ମୋତେ ଭଲ ଭାବରେ ରହିବାର ସୁଯୋଗ ମିଳିବ ବୋଲି କହିଥିଲେ, ମୁଁ ସେଥିରେ ଆତ୍ମହରା ହୋଇ ପଡ଼ିଥିଲି। ମାତ୍ର ଏହି ଘଟଣା ପରଠୁ ମୋର ଦୁଃଖ ବଢ଼ିଯାଇଛି। ମାସକୁ କେବଳ ୧୫ କେଜି ଚାଉଳ ହିଁ ଆମ ପରିବାରର ଜୀବନଧାରଣର ଏକମାତ୍ର ଆଶା ଓ ଭରସା ପାଲଟିଛି। ବାପା ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ସବୁବେଳେ ପଡ଼ୁଛନ୍ତି। ତାଙ୍କ ପାଇଁ ଔଷଧପତ୍ର ଯୋଗାଡ଼ କରିବା ପାଇଁ ମଧ୍ୟ ମୁଁ ଅସହାୟ। କେବଳ ୧୫ କେଜି ଚାଉଳରେ କିପରି ଘର ଚଲାଇବି ବୋଲି କହିଛନ୍ତି ମାନସୀ। ଏହି ଘଟଣା ପରେ ଦାଦନ ଖଟିଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ଗାଁର ଅନ୍ୟମାନେ ଦାଦନ ଖଟିବାକୁ ଯାଇ ରୋଜଗାର କରୁଛନ୍ତି। ଆମେ ଦୁଃଖକଷ୍ଟରେ ରହୁଛୁ ବୋଲି ମାନସୀ କହିଛନ୍ତି।

ପ୍ରଶାସନ ଏହି ପରିବାରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଉଛି। ମାନସୀଙ୍କ ଦୁର୍ଦ୍ଦଶା ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କିଛି ଗଣମାଧ୍ୟମ ତାଙ୍କୁ ଯୋଗାଯୋଗ କରିଥିଲେ ସିନା ପ୍ରଶାସନ ତଥାପି ନିରବ ରହି ଯାଇଥିଲା। ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ମାନସୀ ଓ ତାଙ୍କ ବାପାଙ୍କୁ ଲେବର କାର୍ଡ ଦିଆଯାଇଥିବା ବେଳେ ଶ୍ରମିକ ସହାୟତା ପାଣ୍ଠିରୁ କିଛି ସାହାଯ୍ୟ ମିଳିନାହିଁ। ବାପା ଟିକୁନୁ ବରିହାଙ୍କୁ ଯଦି ବାର୍ଦ୍ଧକ୍ୟ ଭତ୍ତା ମିଳନ୍ତା, ହୁଏତ ଅବସ୍ଥାରେ କିଛିଟା ସୁଧାର ହୁଅନ୍ତା ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe