ସୁନ୍ଦରଗଡ଼ ଜିଲ୍ଲା ଦେଖିଛି ଏକାଧିକ ରେଳ ଦୁର୍ଘଟଣା

ସୁନ୍ଦରଗଡ଼ ଜିଲ୍ଲା ଦେଖିଛି ଏକାଧିକ ରେଳ ଦୁର୍ଘଟଣା

ରାଉରକେଲା: ପୂର୍ବାପେକ୍ଷା ଏବେ ଟ୍ରେନ୍‌ ଦୁର୍ଘଟଣା ବଢ଼ିବାରେ ଲାଗିଛି। କେତେବେଳେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଛି ତ କେତେବେଳେ କପଲିଂ ଭାଙ୍ଗୁଛି; ପୁଣି କେତେବେଳେ ପାଣ୍ଟୋ ଭାଙ୍ଗିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଜିଲ୍ଲାରେ ଏଭଳି ଅନେକ ଦୁର୍ଘଟଣାର ନଜିର ରହିଛି। ‌ସୌଭାଗ୍ୟବଶତଃ ଯାତ୍ରୀ ମୃତାହତ ହୋଇନାହାନ୍ତି। କିନ୍ତୁ କ୍ଷୟକ୍ଷତି କୋଟି ଟପିଛି। କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ତଥାପି, ନିୟମିତ ବ୍ୟବଧାନରେ ଏଭଳି ଅଘଟଣା ଘଟିଚାଲିଛି। ଏନେଇ ଏକ ସ୍ବତନ୍ତ୍ର ରିପୋର୍ଟ..

ଅଳ୍ପକେ ବର୍ତ୍ତିଥିଲା ଉତ୍କଳ ଏକ୍ସପ୍ରେସ୍‌

ଗତ ମେ’ ୨ ତାରିଖ ସକାଳ ପ୍ରାୟ ୮ଟା। ଉତ୍କଳ ଏକ୍ସପ୍ରେସ୍‌ ଗନ୍ତବ୍ୟ ପଥରେ ବାହାରିଥିଲା। ତେବେ ଉତ୍କଳ ଏକ୍ସପ୍ରେସ୍‌ ଚଳାଚଳ କରୁଥିବା ରାସ୍ତା, ଅର୍ଥାତ୍‌ ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗର ସୋନୁଆ ଓ ଟୁନିଆ ଷ୍ଟେସନ ମଧ୍ୟରେ ଥିବା ରେଳଧାରଣାରେ ଏକ ଫାଟ ଦେଖିବାକୁ ମିଳିଥିଲା। ରେଳ କର୍ମଚାରୀ ଫାଟକୁ ଠାଉରେଇ ନେଇ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ରେଳବାଇ ଟେକ୍ନିକାଲ ଟିମ୍‌ ପହଞ୍ଚି ରେଳଧାରଣା ଫାଟକୁ ମରାମତି କରିଥିଲେ। ତେବେ ରାଉରକେଲା ଷ୍ଟେସନ‌ରେ ଦୀର୍ଘ ସମୟଧରି ଟ୍ରେନ୍‌ ଅଟକି ରହିଥିଲା। ନିର୍ଦ୍ଧାରିତ ସମୟଠାରୁ ଢ଼େର୍‌ ବିଳମ୍ବରେ ଉତ୍କଳ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଛାଡ଼ିଥିଲା।

publive-image

୧୮ ଘଣ୍ଟା ଭିତରେ ଦୁଇଥର ଛିଣ୍ଡିଲା ପାଣ୍ଟୋ

ପ୍ରତିଦନ ଭଳି ଗତ ଫେବ୍ରୁଆରି ୧୧ ତାରିଖରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ରାଉରକେଲାକୁ ଆସୁଥିଲା। ତେବେ କୌଣସି କାରଣରୁ ବନ୍ଧମୁଣ୍ଡା ଲିଙ୍କ୍‌-ବି କ୍ୟାବିନ ନିକଟରେ ଉକ୍ତ ଟ୍ରେନ୍‌ର ପାଣ୍ଟୋ ଭାଙ୍ଗିଯାଇଥିଲା। ଫଳରେ ସେଠାରେ ହିଁ ଟ୍ରେନ୍‌ ଅଟକି ରହିଥିଲା। ପ୍ରାୟ ୩ ଘଣ୍ଟାର କସରତପରେ ପାଣ୍ଟୋକୁ ମରାମତି କରାଯାଇଥିଲା। ମରାମତି ସମ୍ପନ୍ନ ହେବାପରେ ଟ୍ରେନ୍‌ ହାଟିଆ ଅଭିମୁଖେ ବାହାରିଥିଲା। ଏହି ଘଟଣାର ପ୍ରାୟ ୧୮ ଘଣ୍ଟା ପୂର୍ବେ, ଅର୍ଥାତ୍‌ ୧୦ ତାରିଖ ଭୋର୍‌ ସମୟରେ ଆଲାପୁଝାରୁ ଧନବାଦକୁ ଯାଉଥିବା ଆଲ୍ଲେପ୍ପି ଏକ୍ସପ୍ରେସ ମଧ୍ୟ ସମାନ କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇରହିଥିଲା। ଆଲ୍ଲେପ୍ପି ଏକ୍ସପ୍ରେସ୍‌ ଉକ୍ତ ଦିନ ଭୋର୍‌ ପ୍ରାୟ ୨.୦୫ ମିନିଟ୍‌ରେ ରାଉରକେଲା ଷ୍ଟେସନ ଛାଡ଼ି ଧାନବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମାତ୍ର ଟ୍ରେନ୍‌ଟି ବନ୍ଧମୁଣ୍ଡାର କ୍ୟୁ’ କ୍ୟାବିନରେ ପହଞ୍ଚିବା ପରେ ଭୋର୍‌ ପ୍ରାୟ ୨.୨୦ ମିନିଟ୍‌ରେ ଇଞ୍ଜିନ୍‌ର ପାଣ୍ଟୋ ଭାଙ୍ଗି ଯାଇଥିଲା। ବିଭାଗୀୟ କର୍ମଚାରୀ ପ୍ରାୟ ୪ ଘଣ୍ଟା ଧରି ପାଣ୍ଟୋ ମରାମତି କାର୍ଯ୍ୟରେ ଲାଗିଥିଲେ ମଧ୍ୟ ସଫଳ ହୋଇନଥିଲେ। ନୂଆ ଇଞ୍ଜିନ ଖଞ୍ଜାଯିବାପରେ ଟ୍ରେନ୍‌ ନିର୍ଦ୍ଧାରିତ ପଥରେ ବାହାରିଥିଲା।

ଦୁଇ ମାଲବାହୀ ଟ୍ରେନ୍‌ ଘସାଘସି

ରାଉରକେଲା ଇସ୍ପାତ କାରଖାନାରୁ ଖଣିଜପଦାର୍ଥ ଅନଲୋଡ୍‌ କରି ଫେରୁଥିବାବେଳେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୨୦ ତାରିଖ‌ରେ ଏହି ଘଟଣା ଘଟିଥିଲା। ଦୈନିକ ୨/୩ଟି ଟ୍ରେନ୍‌ରେ ଆର୍‌ଏସ୍‌ପିକୁ ଖଣିଜପଦାର୍ଥ ପରିବହନ କରାଯାଇଥାଏ। ଆର୍‌ଏସ୍‌ପି ଭିତରକୁ ଯାଇଥିବା ରେଳପଥରେ ଏହି ଟ୍ରେନ୍‌ ଯାଇଥାଏ। ପ୍ରତିଦିନି ଭଳି ଉକ୍ତ ଦିନ ପ୍ରାୟ ୧୨ଟାରେ ଏକ ଖାଲି ମାଲବାହୀ ଟ୍ରେନ୍‌ରେ ଆର୍‌ଏସ୍‌ପି ଲାଇନ୍‌ରେ ରେଲୱେ ୟାର୍ଡ‌୍‌କୁ ଫେରୁଥିଲା। ଏତିକିବେଳେ ଲାଇନ୍‌ଚ୍ୟୁତ ହୋଇ ୟାର୍ଡ‌୍‌ରେ ଥିବା ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ସହ ଘସି ହୋଇଯାଇଥିଲା। ଫଳରେ ୩ଟି ବଗି ଓଲଟିପଡ଼ିଥିଲା।

publive-image

୨୨ କିଲୋମିଟର ପଛକୁ ଗଡ଼ିଥିଲା ମାଲବାହୀ
ଲୁହାପଥର ବୋଝେଇ ଟ୍ରେନ୍‌ ପ୍ରାୟ ୨୨ କିଲୋମିଟର ପଛକୁ ଗଡ଼ିବା ଓ ବଗି ଲାଇନଚ୍ୟୁତ ହେବା ଭଳି ଘଟଣା ଦେଖିବାକୁ ମିଳିଥିଲା ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ। ସନ୍ଧ୍ୟା ପ୍ରାୟ ୭ଟା। ରାଉରକେଲାକୁ ଆସିବାକୁ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌ ବରସୁଆଁ ରେଳ ଷ୍ଟେସନରେ ଛିଡ଼ା ହୋଇଥିଲା। ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଜଣେ ସଣ୍ଟର୍‌ ଓ ଜଣେ ଟୋକନ୍‌ ପୋର୍ଟର ନିଜ ନିଜ କାମ ସଂପାଦନ କରୁଥିଲେ। ଏତିକିବେଳେ ଟ୍ରେନ୍‌ ଟି ହଠାତ୍‌ ରୋଲିଂ ହୋଇଯାଇଥିଲା‌। ରେଳଧାରଣା ଗଡ଼ାଣିଆ ଥିବାରୁ ଟ୍ରେନ୍‌ଟି ପଛକୁ, ଅର୍ଥାତ୍‌ ବିମଳାଗଡ଼ ରେଲୱେ ୟାର୍ଡ ଆଡ଼କୁ ଗଡ଼ିଥିଲା। କିଛି ସମୟପରେ ଟ୍ରେନ୍‌ର ବେଗ ପ୍ରାୟ ୧୧୦ କିଲୋମିଟର ଛୁଇଁଥିଲା। ଦୁର୍ଘଟଣା ଏଡ଼ାଇବାକୁ ବିମଳାଗଡ଼ ରେଲୱେ ୟାର୍ଡ୍‌ରେ ଲାଇନଚ୍ୟୁତ କରିବାକୁ ପ୍ରୟାସ କରାଯାଇଥିଲା; କିନ୍ତୁ ସେତେବେଳକୁ ଟ୍ରେନ୍‌ ବେଗ ଧରିସାରିଥିବାରୁ ଏହା ସମ୍ଭବ ହୋଇନଥିଲା। ବିମଳାଗଡ଼ ରେଲୱେ ୟାର୍ଡ୍‌ ପହଞ୍ଚିବାର ପ୍ରାୟ ୩ କିଲୋମିଟର ପୂର୍ବରୁ ଟ୍ରେନ୍‌ର ୧୭ଟି ବଗି ଆପେ ଆପେ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଟ୍ରେନ୍‌ ୟାର୍ଡ୍‌କୁ ପହଞ୍ଚିବାର ପ୍ରାୟ ଦେଢ଼ କିଲୋମିଟର ପୂର୍ବରୁ ଆଉ ୨୧ଟି ବଗି ବିଚ୍ଛିନ୍ନ ହୋଇଯାଇଥିଲା। ଅବଶିଷ୍ଟ ୨୧ଟି ବଗି ସହ ଉକ୍ତ ଟ୍ରେନ୍‌ଟି ରେଲୱେ ୟାର୍ଡ୍‌ରେ ପଶିଥିଲା। ଟ୍ରେନ୍‌ ୪ ନମ୍ବର ଟ୍ରାକ୍‌ରେ ଆସିବାପରେ ବଗିଗୁଡ଼ିକୁ ଇଞ୍ଜିନଠାରୁ ବିଛିନ୍ନ କରାଯାଇଥିଲା। ତେବେ ବିମଳାଗଡ଼ ରେଲୱେ ୟାର୍ଡ୍‌ରେ ବଗି ବିଛିନ୍ନ କରାଯିବାବେଳେ ଶେଷ ୩ଟି ବଗି ୩ ନମ୍ବର ଟ୍ରାକ୍‌ରେ ଛିଡ଼ା ହୋଇଥିବା ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ରେଳଧାରଣା ଉଠିଯାଇଥିଲା। ଏହାସହ ବିମଳାଗଡ଼ ରେଲୱେ ୟାର୍ଡ୍‌ର ୫ଟି ଟ୍ରାକ୍‌ର ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଥିଲା। କ୍ଷୟକ୍ଷତିର ପ୍ରକୃତ ପରିମାଣ ପାଖାପାଖି କୋଟିଏ ଟପିଥିଲା। ସମସ୍ତ ମରାମତି କାର୍ଯ୍ୟ ଶେଷହେବାକୁ ପ୍ରାୟ ସପ୍ତାହେ ଲାଗିଥିଲା।

ମାଲଗୋଦାମରେ ଓଲଟିଥିଲା

ପାନପୋଷ ଓ ରାଉରକେଲା ରେଳ ଷ୍ଟେସନ ମଝିରେ ଥିବା ମାଲଗୋଦାମରେ ଓଲଟି ପଡ଼ିଥିଲା ସିମେଣ୍ଟ୍‌ ବୋଝେଇ ମାଲବାହୀ ଟ୍ରେନ୍‌। ୨୦୧୯ ମସିହା ମେ’ ୧୫ ତାରିଖ। ରାୟପୁରରୁ ପଶ୍ଚିମବଙ୍ଗକୁ ଏକ ସିମେଣ୍ଟ୍‌ ବୋଝେଇ ମାଲବାହୀ ଟ୍ରେନ୍‌ ଯାଉଥିଲା। ତେବେ ମାଲଗୋଦାମ ନିକଟରେ ହଠାତ୍‌ ଦୁଇଟି ବଗି ଓଲଟିପଡ଼ିଥିଲା। ଫଳରେ ମୁମ୍ବାଇ-ହାଓଡ଼ା ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଘାତ ହୋଇଥିଲା। ଏକାଧିକ ଏକ୍ସପ୍ରେସ୍‌, ପାସେଞ୍ଜର୍‌ ଟ୍ରେନ୍‌ ବିଭିନ୍ନ ରେଳ ଷ୍ଟେସନରେ ଛିଡ଼ା ହୋଇ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe