ନିରାଶ ହୋଇ ଫେରିଲେ ବହୁ ଭକ୍ତ: ଅପରାହ୍ଣ ୩ଟା ୫ରେ ସନ୍ଧ୍ୟା ଆଳତି

Advertisment

୫ଟା ୧୫ରେ ଦର୍ଶନ ବନ୍ଦ, ୭ଟାରେ ରାତ୍ର ପହୁଡ଼

୫ଟା ୧୫ରେ ଦର୍ଶନ ବନ୍ଦ, ୭ଟାରେ ରାତ୍ର ପହୁଡ଼

ନିରାଶ ହୋଇ ଫେରିଲେ ବହୁ ଭକ୍ତ: ଅପରାହ୍ଣ ୩ଟା ୫ରେ ସନ୍ଧ୍ୟା ଆଳତି

ପୁରୀ: ରାତି ପାହିଲେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ। ଏହାପୂର୍ବରୁ ଆଜି ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ସନ୍ଧ୍ୟା ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଆଜି ବଡ଼ଦାଣ୍ଡରେ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତ ମେଡିକାଲ୍‌ ଛକରୁ ଧାଡ଼ିରେ ରହି ମହାପ୍ରଭୁଙ୍କ ଶେଷ ଆଡ଼ପମଣ୍ଡପ ଦର୍ଶନର ସୌଭାଗ୍ୟ ଅର୍ଜିଛନ୍ତି। ଅପରପକ୍ଷେ ଅପରାହ୍ନ ୩ଟାରେ ସନ୍ଧ୍ୟା ଆଳତି ଓ ସୂର୍ଯ୍ୟାସ୍ତ ପୂର୍ବରୁ ସନ୍ଧ୍ୟାଦର୍ଶନକୁ ବନ୍ଦକରି ଦିଆଯାଇଥିବାରୁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସନ୍ଧ୍ୟା ଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ବାହାରେ ମାଳମାଳ ପୁଲିସ ଜଗି ରହିଥିଲେ। କିନ୍ତୁ, ଭିତରେ ସେଭଳି ବ୍ୟବସ୍ଥା ନଥିଲା। ଆଜି ପରିମାଣିକ ଦର୍ଶନ ବନ୍ଦ ରହିଥିବାରୁ ଗର୍ଭଗୃହ ବଦଳରେ ସବୁ ଭକ୍ତ ଏକକାଳୀନ ବାହାରୁ ଦର୍ଶନ କରିଥିଲେ। ଏଥିପାଇଁ ବ୍ୟାରିକେଡ୍‌ରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଭକ୍ତମାନେ ଦର୍ଶନ ପାଇଁ କଲବଲ ହୋଇଥିଲେ। ଠେଲାପେଲା ହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ, ସଅଳ ଦର୍ଶନ ବନ୍ଦକୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା। କିଛି ଭକ୍ତ ଏ ନେଇ ପ୍ରଶାସନକୁ ବି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଆଜି ନୀତିକାନ୍ତି ସଅଳ ସମ୍ପନ୍ନ ହୋଇଛି। ବହୁଦିନ ପରେ ଆଜି ରାତି ୩ଟା ୨୦ରୁ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୭ଟା ସୁଦ୍ଧା ରାତ୍ର ପହୁଡ଼ ହୋଇଛି। ଭକ୍ତଙ୍କ ମହାପ୍ରସାଦ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସନ୍ଧ୍ୟାପୂର୍ବରୁ ଆଜି ତିନିଟି ଭୋଗମଣ୍ଡପ ଉଠିଛି। ନାକଚଣା ଦ୍ବାରଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରସାଦ ନେଇଛନ୍ତି। ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ଶେଷ ହେଉଥିବାରୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ପ୍ରବଳ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe