ପାଟଣାଗଡ଼/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଲାଲ କରିଡର ଭାବେ ପରିଚିତ ହରିଶଙ୍କର ଠାରେ ଶୁକ୍ରବାର ପୁଣି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ହରିଶଙ୍କର ମନ୍ଦିର ପରିସରସ୍ଥ ଭୋଗ ବିକ୍ରୟ କେନ୍ଦ୍ର ଓ ଡିଅର ପାର୍କ ନିକଟରେ ବ୍ୟାନର ଲାଗିଥିଲା। ଏହାକୁ ଦେଖି ସଂପୃକ୍ତ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ମନ୍ଦିର ପରିସରରେ ଲାଗିଥିବା ବ୍ୟାନରରେ ଜନ ଆନ୍ଦୋଳନରେ ଫାସିବାଦୀକୁ ବିରୋଧ କରିବା, ସୁପ୍ରିମ କୋର୍ଟଙ୍କ ଆଦିବାସୀ ବିରୋଧୀ ଫଇସଲାକୁ ରଦ୍ଦ କରିବା, ଦନ୍ତେୱାଡ଼ା କିରନ୍ଦୁଲରେ ଏନଏମଡିସିକୁ ନିଜ କମ୍ପାନିକୁ ଦେବା ଫଇସଲାକୁ ବିରୋଧ କରିବା, ଯିଏ ହିଟଲରୀ ଶାସନ କରିବ ସେ ହିଟଲର ଭଳି ମରିବ ଆଦି ଉଲ୍ଲେଖ ରହିଥିଲା। ଡିଅରପାର୍କ ଠାରେ ଲାଗିଥିବା ବ୍ୟାନରରେ କେତେକ ନାମ ଉଲ୍ଲେଖ କରାଯାଇ ପୁଲିସ ଇନଫରମରଙ୍କୁ ଦର୍ଶାଇ ଚେତାବନୀ ଦିଆଯାଇଛି। ଏଥିରେ ରେଙ୍ଗାଲି ଗ୍ରାମର କାର୍ତ୍ତିକ, ଘୁଚାପାଲିର ଟଙ୍କ, ତେଲେନପାଲି ଗ୍ରାମର ନାଇ(ଭଣ୍ଡାରୀ), ପୁଲିସ ଗାଡ଼ିର ଡ୍ରାଇଭର ଫାଲ, ନାକଡେରା ଗ୍ରାମର ପବିତ୍ର, ଖୁରିପାନି ଗ୍ରାମର ଥବିର ଓ କାହ୍ନୁଙ୍କୁ ଧମକ ଦିଆଯାଇଛି। ଏହି ଲାଲ ରଙ୍ଗର ମାଓ ବ୍ୟାନରର ତଳେ ବିବିଏମ ଡିଭିଜନାଲ କମିଟି, ଭାକପା (ମାଓବାଦୀ) ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ହରିଶଙ୍କର ମହୋତ୍ସବ ପୂର୍ବରୁ ହରିଶଙ୍କର ମନ୍ଦିର ପରିସରରେ ମାଓ ବ୍ୟାନର ଲାଗିଥିଲା। ହରିଶଙ୍କର ଯାତ୍ରା ସରିବା ପରେ ଏପ୍ରିଲ ୨୮ ତାରିଖରେ ଖୁରିପାନି ଗ୍ରାମର ତ୍ରିଲୋଚନ ନାମକ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ପୁଣି ଶୁକ୍ରବାର ହରିଶଙ୍କର ଠାରେ ଦୁଇଟି ବ୍ୟାନର ଲାଗିଥିବା ଦେଖି ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଛନ୍ତି।
ଲାଲ କରିଡରରେ ପୁଣି ଲାଗିଲା ମାଓ ବ୍ୟାନର, ପୁଲିସ ଇନ୍ଫର୍ମର୍ ଦର୍ଶାଇ ହତ୍ୟା ଧମକ
Advertisment
Follow Us