Deccan Chronicle
ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ବଡ଼ଦିନ ଓ ଆଗକୁ ନୂଆବର୍ଷ ଉତ୍ସାହ ଥିବା ବେଳେ ସୀମାନ୍ତ ଜଙ୍ଗଲରେ ପୁଲିସ ବାହିନୀ ପକ୍ଷରୁ ବଡ଼ ଅପରେସନ୍ ଆରମ୍ଭ ହୋଇଛି। ତୁମୁଡ଼ିବନ୍ଧ ଥାନା ଅଧୀନ ସିର୍ଲା ପଞ୍ଚାୟତ କେହେଲିଗୁଡ଼ା ନିକଟ କରୁଗାଡେଙ୍ଗ ଜଙ୍ଗଲରେ ମାଓବାଦୀ-ପୁଲିସ ମୁହାଁମୁହିଁ ସ୍ଥିତିରେ। ସିର୍ଲା ନିକଟସ୍ଥ ଗୁଡ୍ରି, ବୁଡାକାମ୍ବା, ଗଞ୍ଜୁସୁଗା, ପାଟାଙ୍ଗସୁଗା, କରୁଗ୍ଲଙ୍ଗା ଓ କେହାଲଗୁଡା ଆଦି ଜଙ୍ଗଲକୁ କନ୍ଧମାଳ ପୁଲିସ ସହିତ ଏସ୍ଓଜି ଓ ସିଆର୍ପିଏଫ୍ର ପ୍ରାୟ ୧୨ ପ୍ଲାଟୁନ୍ ଫୋର୍ସ ଘେରି ରହିଛନ୍ତି। ସିର୍ଲା ଜଙ୍ଗଲରେ ମାଓ ସଂଗଠନ କେକେବିଏନ୍ର ଏକ ବିଶାଳ କ୍ୟାମ୍ପ୍ ରହିଥିବା ପୁଲିସକୁ ସୂଚନା ମିଳିବା ପରେ ଗତ ତିନିଦିନ ଧରି କମ୍ବିଂ ଅପରେସନ୍ ଜାରି ରଖିଛି। ଆଜିଠାରୁ କମ୍ବିଂରେ ଅଧିକ ସଂଖ୍ୟାରେ ସିଆରପିଏଫ୍ ଓ ଏସ୍ଓଜି ଯବାନ ସାମିଲ ହୋଇଥିବା ଓ ଅପରେସନ୍କୁ ବ୍ୟାପକ କରା ଯାଇଥିବା ଜଣାଯାଇଛି।
ପୁଲିସ ସୂଚନା ମୁତାବକ, ଗତ ୧୪ ତାରିଖରେ ଓଡ଼ିଶା ପୁଲିସ ଡିଜି ସୁନୀଲ ବଂଶଲ କନ୍ଧମାଳ ଆସି ମାଓଦମନ ଅଭିଯାନର ସମୀକ୍ଷା କରିଥିଲେ। ମାଓ ମୁକାବିଲା ପାଇଁ ସେ ଜିଲ୍ଲାରେ ମୁତୟନ ସିଆର୍ପିଏଫ୍, ବିଏସ୍ଏଫ୍ କ୍ୟାମ୍ପ୍କୁ ଯାଇ ଯବାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହାର ଦିନକ ପରେ ଗତ ୧୫ ତାରିଖରେ ମାଓ ମୁକାବିଲା ପାଇଁ କନ୍ଧମାଳ ସୀମାନ୍ତ ବୌଦ୍ଧ ଜିଲ୍ଲାର ନଳିକୁମ୍ପା ଜଙ୍ଗଲରେ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେଥିରେ ବହୁ ମାଓ ସାମଗ୍ରୀ ଜବତ ହେବା ସହ ପୁଲିସ ଟିମ୍ ୩ଟି ଆଇଇଡିକୁ ମଧ୍ୟ ନିଷ୍କ୍ରିୟ କରିଥିଲା। କମ୍ବିଂ ପରେ ବହୁ ବ୍ୟାଟେରି, ରକେଟ୍ ଲଞ୍ଚର୍, ଔଷଧ, ଟିଫିନ୍ ବୋମା, ପୋଷାକ ଓ ଖାଦ୍ୟ ସାମଗ୍ରୀ ସମେତ ୧୨ଟି ଆଇଇଡି, ୪ଟି ଜିଲେଟିନ୍, ୪ଟି ହ୍ୟାଣ୍ଡ୍ଗ୍ରେନେଡ୍, ୨ଟି ଏସ୍ପିଜିଏଲ୍, ବିଦ୍ୟୁତ୍ ତାର ଓ ବାରୁଦ ପ୍ୟାକେଟ ସହ ବହୁ ସାମଗ୍ରୀ ଜବତ ହୋଇଥିଲା। ହେଲେ ସେଠରୁ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସକ୍ଷମ ହୋଇଥିଲେ।
ସେହି କ୍ୟାମ୍ପ୍ରୁ ମାଓ ପଲଟଣ ଖସିଯିବା ପରେ ସିର୍ଲା ଜଙ୍ଗଲକୁ ପଳାଇ ଆସି ଏଠାରେ କ୍ୟାମ୍ପ କରିଥିଲେ। ଏଠାରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ପୁଣି ସଂଗଠିତ ହୋଇ କିଛି ଅଘଟଣ ଘଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ ଅନୁମାନ କରୁଛି। ଏ ନେଇ କନ୍ଧମାଳ ଏସ୍ପି ସୂଚନା ପାଇ ଗତ ଦୁଇଦିନ ତଳେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଗତକାଲି ପୁଲିସ ଓ ମାଓବାଦୀ ମୁହାମୁହିଁ ହୋଇଥିବା ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିଲେ। ପୁଲିସ ପାଲଟା ଜବାବ ଦେବାକୁ ଯାଇ ଆଜି ଅପରେସନ୍କୁ ଆହୁରି ଜୋର୍ଦାର୍ କରିଛି। ଏହି ଅପରେସନ୍ରେ ପୁଲିସକୁ ବଡ଼ ସଫଳତା ମିଳିପାରେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୨୦୨୦, ଜୁଲାଇ ୪, ୬ ଓ ୨୨ରେ ସିର୍ଲା ଜଙ୍ଗଲରେ ମାଓବାଦୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ହେଲେ ତିନି ଦିନର ଅପରେସନ୍ରେ ୭ ମାଓବାଦୀ ପ୍ରାଣ ହରାଇଥିଲେ। ସେବେଠାରୁ ଏହି ଜଙ୍ଗଲରେ ମାଓବାଦୀ ଏତେଟା ସକ୍ରିୟ ନଥିଲେ। ପୁଣି ତିନିବର୍ଷ ପରେ ସିର୍ଲା ଜଙ୍ଗଲରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳିଛି।
Follow Us