ପୋଖରୀଗୋଛା ପିଙ୍ଗୁ ଜଙ୍ଗଲରେ ମାଓ ଆଡ଼ା! କନ୍ଧମାଳରେ କମ୍ବିଂ ପରେ ବାଣିଗୋଛାରେ କୋକୁଆ ଭୟ

Advertisment
ଭଉଣୀ ଡାକରାରେ ନକ୍ସଲ ସଂଗଠନ ଛାଡ଼ିଲେ ହାର୍ଡକୋର ମଲ୍ଲା

localnewsofindia.com

ଦଶପଲ୍ଲା : କିଛିଦିନ ଧରି ଦଶପଲ୍ଲା ଅଂଚଳରେ ମାଓବାଦୀଙ୍କ ଗତିବିଧି ବଢ଼ି ଚାଲିଥିବା ନେଇ ଆଲୋଚନା ଜୋର୍ ଧରିଥିବା ବେଳେ ଏବେ ପୋଖରୀଗୋଛାର ପିଙ୍ଗୁ ଜଙ୍ଗଲରେ ମାଓବାଦୀମାନେ ଆଡ଼ା ଜମାଇଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ଏ ପଟେ ଦୁଇଦିନ ତଳେ କନ୍ଧମାଳରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ କିଛି ମାଓବାଦୀ ନିଜର ସୁରକ୍ଷା ପାଇଁ ଦଶପଲ୍ଲା ଅଂଚଳକୁ ଚାଲି ଆସିଥିବା ନେଇ ଚର୍ଚ୍ଚା ହେଉଛି।

ମକର ସଂକ୍ରାନ୍ତିରେ ବାଣିଗୋଛା ମକର ମେଳାରେ କିଛି ସନ୍ଦିଗ୍ଧ ଯୁବକଙ୍କ ଚଳପ୍ରଚଳ ନେଇ ସ୍ଥାନୀୟ ଅଂଚଳବାସୀଙ୍କଠାରୁ ଶୁଣିବାକୁ ମିଳିଥିବା ବେଳେ ଗତକାଲି ସଂଧ୍ୟାରେ ବାଣିଗୋଛା ଅଂଚଳକୁ କିଛି ମାଓବାଦୀ ପଳାଇଆସି ଆଡ଼ା ଜମାଇବା ସହ ଉକ୍ତ ଅଂଚଳରେ କିଛି ବଡ଼ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା କୁହାଯାଉଛି। ପରିସ୍ଥିତି ଏଭଳି ହୋଇଛି ଯେ ଯାତ୍ରାକୁ ଆସିଥିବା ବ୍ୟବସାୟୀ ଏବଂ ଅଂଚଳବାସୀ ଗତକାଲି ରାତିରେ ବାହାରକୁ ପାଦ ବାହାର କରି ନଥିଲେ। କିଛି ପୁଲିସ କର୍ମଚାରୀ ମଧ୍ୟ ଦଶପଲ୍ଲା ପଳାଇ ଆସିବା ସହ କିଛି ପୁଲିସ କର୍ମଚାରୀ ସେମାନଙ୍କ ପରିବାର ଧରି ନିରାପଦ ସ୍ଥାନକୁ ଚାଲି ଯାଇଥିଲେ। ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସତେ ଯେପରି କେତେବେଳେ ଯେ ମାଓବାଦୀମାନେ ଅଘଟଣ ଘଟାଇବେ ତାହା କହିବା ମୁସ୍କିଲ୍ ହୋଇ ପଡ଼ିଛି। ସ୍ଥାନୀୟ କିଛି ବ୍ୟକ୍ତିଙ୍କ କହିବା ଅନୁଯାୟୀ ବାଣିଗୋଛା ସୀମାନ୍ତ ତଥା ବୌଦ୍ଧ ଜିଲ୍ଲା ତଳଗାଁ ଅଞ୍ଚଳରେ ସନ୍ଦିଗ୍ଧ କିଛି ବ୍ୟକ୍ତି ଲାଲ୍ ପତାକା ଧରି ଚଳପ୍ରଚଳ କରୁଛନ୍ତି। ଏପଟେ ପୋଖରୀଗୋଛାର ପିଙ୍ଗୁ ଜଙ୍ଗଲରେ ଏକ ମାଓ ସଂଗଠନ ୮ ଦିନ ହେବ ଆଡ଼ା ଜମାଇଥିବା ମଧ୍ୟ କୁହାଯାଉଛି। ଏହି ସଂଗଠନରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପୁରୁଷ ଏବଂ ମହିଳା ରହିଥିବା ବେଳେ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଥା ହେଉଛନ୍ତି, ଯାହାକୁ ନେଇ କିଛି ବନ କର୍ମଚାରୀ ଭୟରେ ଜଙ୍ଗଲ ମାଡ଼ୁ ନାହାନ୍ତି। ଏହି ଜଙ୍ଗଲଟି ବିରିଗଡ଼ ପାହାଡ ସହ ପୋଖରୀଗୋଛାଠାରୁ ଆରମ୍ଭ କରି କଳସାଖମଣ, ବାଣିଗୋଛା ଏବଂ ଗସ୍‌ମା ପ୍ରଭୃତି ଅଂଚଳକୁ ସଂଯୋଗ କରୁଥିବା ବେଳେ ଏବେ ଏହି ଅଂଚଳକୁ ସେମାନେ ନିରାପଦ ସ୍ଥାନ ଭାବେ ବାଛି ନେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe