ଫୁଲବାଣୀ/ଦାରିଙ୍ଗବାଡ଼ି/କୋଟଗଡ଼: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଗତକାଲି କନ୍ଧମାଳ ଗସ୍ତର ୨୪ ଘଣ୍ଟା ନବିତୁଣୁ ଲାଲ୍ବାହିନୀ ସେମାନଙ୍କ ସ୍ଥିତି ଜାହିର୍ କରିଛନ୍ତି। ଆଉ ପୁଲିସବାହିନୀକୁ ଖୋଲାଖୋଲି ଚ୍ୟାଲେଞ୍ଜ୍ ଦେଇଛନ୍ତି। ଆଜି ଦାରିଙ୍ଗବାଡ଼ି ଓ କୋଟଗଡ଼ ଥାନା ଇଲାକାର ଏକାଧିକ ସ୍ଥାନରେ ମାଓବାଦୀମାନେ ପୋଷ୍ଟର୍ ଓ ଲାଲ୍ବ୍ୟାନର୍ ଲଗାଇଛନ୍ତି। ୫୯ ନମ୍ବର ଜାତୀୟ ରାଜପଥର ସିମନବାଡ଼ି ଟୋଲ୍ଗେଟ୍, ବୁଡ଼ାଗୁଡ଼ା ଛକ ଏବଂ କୋଟଗଡ଼ର ବଣ୍ଡାପିପିଲି ଅଞ୍ଚଳରେ ଏମସ୍ତ ପୋଷ୍ଟର୍ ଓ ବ୍ୟାନର୍ ଦେଖିବାକୁ ମିଳିଛି। ସେହିପରି ୧୨ ଦଫା ଦାବି ନେଇ ଆସନ୍ତାକାଲି ସିପିଆଇ ମାଓବାଦୀ ପକ୍ଷରୁ ଆସନ୍ତାକାଲି କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଗରିବ ଓ ଆଦିବାସୀ ପରିବାରକୁ ଆବାସ ଯୋଜନାରେ ସାମିଲ କରି ପିଡିଏସ୍ ଚାଉଳ ସମେତ ତେଲ, ଲୁଣ ଓ ଡାଲି ମାଗଣାରେ ପ୍ରଦାନ କରିବା, ଦରଦାମ୍ ବୃଦ୍ଧିକୁ ରୋକିବା, ସବୁ ଗାଁକୁ ପକ୍କାରାସ୍ତା ନିର୍ମାଣ, ପାନୀୟଜଳ ଓ ବିଦ୍ୟୁତ୍ ସେବା ଯୋଗାଇ ଦେବା, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇବା, ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ସହ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ନିର୍ମାଣ, ବନ୍ଦ ହୋଇଥିବା ସ୍କୁଲ୍କୁ ଖୋଲିବା ସହ ଶିକ୍ଷକ ପଦବି ପୂରଣ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ କରିବା ସହ ମୁକ୍ତ ଉଚ୍ଚଶିକ୍ଷା, ବିସ୍ଥାପନ ନୀତି ବନ୍ଦ କରିବା, ବକ୍ସାଇଟ୍, କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଦିଆଯାଇଥିବା ଲିଜ୍କୁ ବାତିଲ କରିବା, ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶିକ୍ଷକଙ୍କ ଦାବି ପୂରଣ କରିବା ଲାଗି ପୋଷ୍ଟର୍ରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ କନ୍ଧମାଳ-ବୌଦ୍ଧ ଓ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ନେଇ କନ୍ଧମାଳ ଏସ୍.ପି. ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।
ତେବେ ବ୍ୟାନର୍ ଓ ପୋଷ୍ଟର୍କୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବିଶେଷକରି ଗତ କିଛିବର୍ଷ ଧରି ଦାରିଙ୍ଗିବାଡ଼ି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଶୂନ୍ୟ ରହିଥିଲା। ତେବେ ଆଜି ହଠାତ୍ ସେମାନଙ୍କ ଉପସ୍ଥିତିକୁ ନେଇ ଜନସାଧାରଣ ଅସୁରକ୍ଷିତ ହୋଇପଡ଼ିଛନ୍ତି। ସୂଚନା ଥାଉକି, ଗତ ଗୁରୁବାର ରାତିରେ ମାଓବାଦୀମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ଗତକାଲି ରାଜ୍ୟ ପୁଲିସ ଡିଜି ଶ୍ରୀ ବଂଶଲଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି (ଅପରେସନ୍) ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆର୍ପିଏଫ୍ କମାଣ୍ଡେଣ୍ଟ୍ ସଞ୍ଜୀବ କୁମାର, ବିଏସ୍ଏଫ୍ ଆଇଜି ଦିନେଶ କୁମାର ଶର୍ମା ପ୍ରମୁଖ ମାଓ ଗତିବିଧି ସଂପର୍କରେ ଫୁଲବାଣୀରେ ସମୀକ୍ଷା କରି ଫେରିଥିଲେ। ଯାହାର ୨୪ ଘଣ୍ଟା ନିବିତୁଣୁ, ମାଓବାଦୀମାନେ ପୋଷ୍ଟର୍ ଓ ଲାଲବ୍ୟାନର୍ ମାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us