Times of India
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ରାସ୍ତାର କୁସୁମପୁର ଠାରୁ ଜେଲଗୁଡ଼ା ଛକ ପର୍ଯ୍ୟନ୍ତ ଆଜି ବହୁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ବହୁ ପୋଷ୍ଟର ରାସ୍ତା କଡ଼ ଜଂଗଲ ମଧ୍ୟରେ ବିଛାଇ ଦିଆ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର ସବୁ ମୈନପୁର - ନୂଆପଡ଼ା ଡିଭିଜନାଲ୍ କମିଟି ତରଫରୁ ମରାଯାଇଥିବା ବେଳେ ପୋଷ୍ଟର ମାଧ୍ୟମରେ ଏ ଅଂଚଳର ଆଦିବାସୀ ଚାଷୀଙ୍କୁ ଶୋଷଣ କରୁଥିବା ସାହୁକାର, ବେପାରୀଙ୍କୁ ଚେତାବନୀ ଦିଆଯାଇଅଛି।
ସୂଚନା ଅନୁଯାୟୀ ସ୍ଥାନୀୟ ଅଂଚଳରେ ଜଂଗଲ କାଟିବାକୁ ବିରୋଧ କରି କେତେବେଳେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଉଛି ତ ପୁଣି କେତେବେଳେ ଆଦିବାସୀଙ୍କ ଜମିକୁ ଚାଷ କରୁଥିବା ବଙ୍ଗାଳୀ ଲୋକଙ୍କୁ ବିରୋଧ କରି ମାଓ ପୋଷ୍ଟର ମରାଯାଉଛି। ଜଂଗଲ କାଟି ସଫା କରୁଥିବା ଲୋକଙ୍କୁ ଚେତାବନୀ ଦେବା ସହିତ ଗତ ଦିନରେ ଲକ୍ଷ୍ମଣପୁର ଗ୍ରାମର ଜଣେ ଯୁବକଙ୍କୁ ମାଓବାଦୀ ମାନେ ହତ୍ୟା କରିଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହି ପରିପେକ୍ଷିରେ ଆଜି ସକାଳୁ ହାତିଗାଁ ରାସ୍ତାର କୁସୁମପୁର ଠାରୁ ଜେଲଗୁଡ଼ା ଛକ ପର୍ଯ୍ୟନ୍ତ କିଛି ମାଓ ପୋଷ୍ଟର ବିଛାଇ ଦିଆ ଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟରରେ ସିଧା ସଳଖ ଏ ଅଂଚଳର ସାହୁକାର ଓ ବେପାରୀଙ୍କୁ ଟାର୍ଗେଟ କରିଛନ୍ତି।
ଯେଉଁ ବେପାରୀ ଗରୀବ ଚାଷୀଙ୍କୁ ଚଢା ଦରରେ ବିହନ , ସାର , କୀଟନାଶକ ଓ କୃଷି ଉପକରଣ ବିକ୍ରୀ କରୁଛନ୍ତି ସେମାନଙ୍କୁ ମାଓବାଦୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ଚାଷୀଙ୍କ ଉପରେ ଚଢା ସୁଧ ଲଗାଇବା ବନ୍ଦ କରିବା ସହିତ ସେମାନଙ୍କ ଉପରେ ରହିଥିବା ଋଣ ଛାଡ଼ କରିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଆଦିବାସୀଙ୍କ ଜମିକୁ ବନ୍ଧକ ନେଇଥିବା ବଙ୍ଗାଳୀ ଓ ବାହାର ଲୋକ ତୁରନ୍ତ ଛାଡ଼ିବା ସହିତ ସେମାନଙ୍କ ଅମଳ ଫସଲକୁ ଉଚ୍ଚିତ ମୂଲ୍ୟରେ କିଣିବାକୁ ଏହି ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ମୁଖ୍ୟତଃ ଗରୀବ ଚାଷୀଙ୍କୁ ଚାଷ ସମୟରେ ସାର ଓ ବିହନ ଯୋଗାଇ ଅମଳ ଫସଲକୁ ଦେଢ଼ା ସୁଧରେ କିଣି ନେଉଥିବା ସାହୁକାର ଓ ବେପାରୀଙ୍କୁ ମାଓବାଦୀ ମାନେ ପୋଷ୍ଟର ମାଧ୍ୟମରେ କଡ଼ା ଚେତାବନୀ ଦେଇଛନ୍ତି। ଏହି ମାଓ ପୋଷ୍ଟର ସମ୍ପର୍କରେ ସ୍ଥାନୀୟ ପୁଲିସ ନିକଟରେ ସୂଚନା ରହିଥିବା ସହିତ ଏ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
Follow Us