କନ୍ଧମାଳ ପୁଲିସକୁ ପୁଣି ମାଓ ଚ୍ୟାଲେଞ୍ଜ୍‌

୨୧ ତାରିଖ ବନ୍ଦ ପାଇଁ ତୁମୁଡ଼ିବନ୍ଧ ଅଞ୍ଚଳରେ ପୋଷ୍ଟର୍‌

କନ୍ଧମାଳ ପୁଲିସକୁ ପୁଣି ମାଓ ଚ୍ୟାଲେଞ୍ଜ୍‌

ତୁମୁଡିବନ୍ଧ : କନ୍ଧମାଳରେ ମାଓ ଗତିବିଧି ଜାରି ରହିଛି। କେକେବିଏନ୍‌ ସଂଗଠନକୁ ସୁଦୃଢ଼ କରିବାକୁ ଛତିଶଗଡ଼ ମାଓ କ୍ୟାଡର୍‌ଙ୍କ ଆଡୁ ଗୋପନ କ୍ୟାମ୍ପ୍‌ ଠାବ ହେବା ପରେ ପୁଲିସର ମାଓ ଦମନ ଅପରେସନ୍‌କୁ ପୁଣି କ୍ରିୟାଶୀଳ କରା ଯାଇଥିଲା। ପୁଲିସ ଡିଜି ଓ ସିଆର୍‌ପିଏଫ୍‌ ଉଚ୍ଚ ପଦାଧିକାରୀ ବାଲିଗୁଡ଼ାରେ ପହଞ୍ଚି ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ହେଲେ କିଛି ଦିନର ନିରବତା ପରେ ପୁଣି ଥରେ କନ୍ଧମାଳ ଜିଲ୍ଲା ତୁୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। କୁର୍ତ୍ତମଗଡର ମଟକଡି ଘାଟିର କିଛି ଗଛ ଉପରେ ଲାଲ୍‌ ଓ ନୀଳ ରଙ୍ଗର ସ୍ୟାହିରେ ଲେଖା ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ଏହି ପୋଷ୍ଟର୍‌ରେ ଅକ୍ଟୋବର ୨୧ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଆହ୍ଵାନ ଦିଆଯାଇଛି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ନଦୀବନ୍ଧ ନିର୍ମାଣକୁ ବିରୋଧ ପାଇଁ ଦାବି କରାଯାଇଛି। ମହାନଦୀ ପାଣିକୁ ଶିଳ୍ପ ସଂସ୍ଥାଙ୍କୁ ନ ଦେଇ ଚାଷୀଙ୍କୁ ଦେବାକୁ ଦାବି ହୋଇଛି। ଏଭଳି ପୋଷ୍ଟର ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଦେଇ ଯାଇଥିବା ୫୯ନମ୍ବର ଜାତୀୟ ରାଜପଥର କୁର୍ତ୍ତମଗଡ଼ ନିକଟ ମଟକଡ଼ି ଘାଟି ପାର୍ଶ୍ୱ ଗଛ ମାନଙ୍କରେ ଲାଗିଥିଲା। ଏନେଇ ତୁମୁଡିବନ୍ଧ ଥାନା ପକ୍ଷରୁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତ ସହିଦ ସପ୍ତାହ ପାଳନ ବେଳେ ଏହି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲଗାଇବା ସହ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ଏଭଳି ପୋଷ୍ଟର ଲାଗିବା ଜିଲ୍ଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ଭଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe