ରାୟଗଡ଼ା/ବାଲିକୁଦା (ଶିବ ପ୍ରସାଦ ଦୋରା): ସର୍ତ୍ତମୂଳକ ଭାବେ ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିବାକୁ ମାଓନେତା ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ ଚିଠି ଜାରି କରି ପ୍ରକାଶ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେନ୍ତୁଲିବେଲାରୀ ଗ୍ରାମରେ ବାସ କରୁଥିବା ନିଖିଲଙ୍କ ମା’ ସରସ୍ବତୀ ରାଉତ ଓ ବାପା ନରହରି ରାଉତ ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଥିବା ଜଣାପଡିଛି।
ଆଜି ‘ସମ୍ବାଦ’ର ପ୍ରତିନିଧିଙ୍କୁ ନିଖିଲଙ୍କ ମା’ କୋହ ଭରା ସ୍ବରରେ କହିଛନ୍ତି ଯେ ତାଙ୍କ ବଡପୁଅ ୧୬/୧୭ ବର୍ଷ ତଳେ କାହାକୁ କିଛି ନକହି କୁଆଡ଼େ ଚାଲିଯାଇଥିଲେ। ଲୋକ ସେ ମାଓବାଦୀ ହୋଇଯାଇଥିବା କହୁଥିବା ବେଳେ ସେମାନଙ୍କ ପାଖରେ କିନ୍ତୁ କୌଣସି ଖବର ନାହି। ଆପଣ କ’ଣ ପୁଅ ଫେରୁ ବୋଲି ଚାହୁଁଛନ୍ତି କି ବୋଲି ପଚାରିବାରୁ ସେ କହିଥିଲେ, ପୁଅ ଫେରୁବୋଲି କିଏ ବା ନ ଚାହିଁବ? ଆମେ ଏହି ଭଙ୍ଗା ଘରେ ରହି ଖାଉଛୁ। ଆମ ସହ କୌଣସି ଯୋଗାଯୋଗ ନାହିଁ କିମ୍ବା କାହାକୁ ପଚାରିଲେ କିଏ କିଛି କହି ପାରୁନାହାନ୍ତି। ପୁଅ ଆମକୁ କୁଆଡେ ଯାଇଛି କିଛି କହିନାହିଁ। ଏହି ବୁଢ଼ା ବୟସରେ ଆମେ ଅନ୍ଧ ହୋଇ ବସିଛୁ। ପିଲାଟାକୁ କେମିତି ଫେରାଇ ଆଣିଲେ ଆମେ ଟିକେ ଶାନ୍ତିରେ ରହିପାରିବୁ ବୋଲି ନିଖିଲଙ୍କ ମାଁ ସରସ୍ବତୀ କହିଛନ୍ତି। ସରକାର ଦୁନିଆ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ମୋ ପୁଅକୁ ଭଲରେ ଭଲରେ ଫେରାଇବା ଆଣିବା ପାଇଁ କୋହାଭରା ସ୍ବରରେ ନିଖିଲଙ୍କ ମାଁ ସରକାରଙ୍କ ଠାରେ ନିବେଦନ କରିଛନ୍ତି। ଆମ ପାଖରେ ଘର ଦ୍ବାର ନାହିଁ। ଆମେ କରିପାରୁନୁ। ଆମେ ଖଟି ପାରୁନୁ। ସାନ ପୁଅର ବାହାଘର ମଧ୍ୟ ହୋଇପାରୁନି। ଏଣୁ ସରକାର ମୋ ପୁଅକୁ ଫେରାଇଆଣିବା ପାଇଁ ସାହାଯ୍ୟ କରନ୍ତୁ ବୋଲି ନିଖିଲଙ୍କ ମା’ ଶ୍ରୀମତୀ ସରସ୍ବତୀ କୋହଭରା ସ୍ବରରେ କହିଛନ୍ତି।
ଲୁହ ଗଡ଼ାଉଛନ୍ତି ବାପା
ନିଖିଲଙ୍କ ବାପା ନରହରି ରାଉତ ମଧ୍ୟ ଲୁହ ଗଡାଇ ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ନିଖିଲଙ୍କ ଭାଇ ତ୍ରିଲୋଚନ ରାଉତ ମଧ୍ୟ ନିଜ ବଡ ଭାଇକୁ ଭଲରେ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
କ’ଣ ଲେଖିଛନ୍ତି ନିଖିଲ-ଇନ୍ଦୁ?
ସୂଚନାଯୋଗ୍ୟ, ଗତକାଲି ଗଣମାଧ୍ୟମ ନିକଟକୁ ନିଖିଲ ଓଡ଼ିଶା-ଛତିଶଗଡ଼ ପୁଲିସର ମୋଷ୍ଟ୍ ୱାଣ୍ଟେଡ୍ ଦୁଇ ଟପ୍ କ୍ୟାଡର୍ ଆତ୍ମସମର୍ପଣ କରିବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ରଖିଛନ୍ତି ୪ଟି ସର୍ତ୍ତ। ଏହା ପୂରଣ କରିବା ଦିଗରେ ସରକାର ପଦକ୍ଷେପ ନେଲେ ଦୁଇ ଦଶନ୍ଧିର ମାଓ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ହାତଲେଖା ଚିଠି ଜାରି କରିଛନ୍ତି ବଂଶଧାରା- ଘୁମୁସର-ନାଗାବଳୀ ମାଓ ଡିଭିଜନ୍ର ମୁଖ୍ୟ ତଥା ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ ନିରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ରଶ୍ମିତା ଲେଙ୍କା ଓରଫ ଅଙ୍କିତା ଓରଫ ଇନ୍ଦୁ। ଗଣମାଧ୍ୟମ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ନିଖିଲ ଦେଇଥିବା ଚିଠିରେ ଲେଖିଛନ୍ତି, ବିଗତ ସାଢ଼େ ତିନି ଦଶକ ଧରି ବିଶେଷ କରି ଏଲ୍ପିଜି ନୀତି ଲାଗୁ ହେବା ପରେ ଆମ ପାର୍ଟି ନେତୃତ୍ବରେ ଚାଲିଥିବା ସଂଘର୍ଷ ଯୋଗୁଁ ଦେଶରେ ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଭୌଗୋଳିକ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି।
ନକ୍ସଲ ଦଂପତିଙ୍କ ଦାବି
ଆତ୍ମସମର୍ପଣ ପାଇଁ ନିଖିଲ ରଖିଥିବା ୪ଟି ପ୍ରମୁଖ ଦାବି ମଧ୍ୟରେ ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଶ୍ରେଣୀ ପାଇଁ ଚାଲିଥିବା ଆନ୍ଦୋଳନକୁ ପ୍ରତିବନ୍ଧକ ନ ଲଗାଇବାକୁ ସୁଯୋଗ, ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ନିୟୋଜିତ ନ କରିବା, ସିପିଆଇ ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ଆଜାଦ, ସବ୍ୟସାଚୀ ପଣ୍ଡାଙ୍କୁ ବହୁ ବର୍ଷ ହେଲା ଜେଲ୍ରେ ବନ୍ଦୀ ରଖିଥିବାରୁ ପ୍ରତିଶ୍ରୁତି ମୁତାବକ ଆତ୍ମସମର୍ପଣ ନୀତି କାର୍ଯ୍ୟକାରୀ, ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ ନ କରି ଜନମତକୁ ସମ୍ମାନ ଦେବା ପାଇଁ ନିଖିଲ ଉଲ୍ଲେଖ କରିଛନ୍ତି। ଆମ ଆତ୍ମସମର୍ପଣ ନିଷ୍ପତ୍ତ ପାଇଁ ସଶସ୍ତ୍ର ବିପ୍ଳବୀ, ଶୁଭଚିନ୍ତକ, ସମର୍ଥକ, ସହକର୍ମୀ ଓ ଉପୀଡ଼ିତ ଲୋକଙ୍କ ପାଖରେ ନିଃସର୍ଭ କ୍ଷମା ପ୍ରାର୍ଥନା କରୁଛୁ। ସଶସ୍ତ୍ର ସଂଘର୍ଷ ନୁହେଁ, ଜନବାଦୀ ରାସ୍ତାରେ ଆନ୍ଦୋଳନ ଚଳାଇବା ସମୟ ଉପଯୋଗୀ ହେବ ବୋଲି ନିଖିଲ ଉଲ୍ଲେଖ କରିଛନ୍ତି। ନିଖିଲଙ୍କ ସହ ପତ୍ନୀ ଓ ଅନ୍ୟ କିଛି ସହଯୋଗୀ ଆତ୍ମସର୍ମପଣ କରିବାର ସମ୍ଭାବନା ଥିବାରୁ ଏହି ସୁଯୋଗ ଓଡ଼ିଶା ପୁଲିସ ପାଇଁ ମାଓ ଦମନରେ ସହାୟକ ହେବ ବୋଲି ବିଚାର କରାଯାଉଛି।
Follow Us