ହୃଦ୍‌ଘାତରେ ନକ୍ସଲ ସଂଗଠନର ଆଗଧାଡ଼ିର ନେତା ରାମାନ୍ନାଙ୍କ ମୃତ୍ୟୁ

ଦଣ୍ଡକାରଣ୍ୟ ଜୋନାଲ କମିଟି ସଚିବ ଥିଲେ, ମୁଣ୍ଡ ପାଇଁ ଥିଲା ୨ କୋଟି ଟଙ୍କାର ପୁରସ୍କାର

ହୃଦ୍‌ଘାତରେ ନକ୍ସଲ ସଂଗଠନର ଆଗଧାଡ଼ିର ନେତା ରାମାନ୍ନାଙ୍କ ମୃତ୍ୟୁ

ମାଲକାନଗିରି : ନକ୍ସଲ ସଂଗଠନର ଆଗଧାଡ଼ିର ନେତା ରାମାନ୍ନା ଓରଫ ରାମକ୍ରିଷ୍ଣନଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ପାଇଁ ରାମାନ୍ନା ଥିଲେ ମୋଷ୍ଟ ୱାଣ୍ଟେଡ। ଏକାଧିକ ଥର ପୁଲିସ ପକ୍ଷରୁ ଗିରଫ ପାଇଁ ପ୍ରୟାସ ହୋଇଥିଲେ ହେଁ ପ୍ରତ୍ୟେକ ଥର ସେ ଚକମା ଦେଇ ଖସି ଯାଉଥିଲେ। ଶେଷରେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ପୁଲିସ ଆଶ୍ବସ୍ତ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ହେଲା, ବୟସର ଅପରାହ୍ନରେ ପହଞ୍ଚିବା ପରେ ରାମାନ୍ନ ବସ୍ତର ଜଙ୍ଗଲରେ ରହୁଥିଲେ। କିଛିଦିନ ହେଲା ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଉନ୍ନତ ଚିକିତ୍ସା ପରିବର୍ତ୍ତେ ଗିରଫ ଭୟରେ ସେ ବିଶେଷ ଚଳପ୍ରଚଳ କରୁ ନ ଥିଲେ। ଆତ୍ମଗୋପନ କରି ସଂଗଠନର ସଦସ୍ୟଙ୍କ ସହ ଶେଷ ପର୍ଯ୍ୟନ୍ତ ରହିଥିଲେ। ଶେଷରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଭାରତ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲେ ରାମାନ୍ନା। ଦୀର୍ଘ ବର୍ଷ ଧରି ସେ ସଂଗଠନ ସହ ଜଡ଼ିତ ଥିଲେ। ଯୁବ ଅବସ୍ଥାରେ ହିଁ ମାଓ ସଂଗଠନରେ ସାମିଲ ହୋଇ ବହୁ ହିଂସା ଘଟଣାରେ ସଂପୃକ୍ତ ରହିଥିଲେ। ତାଙ୍କ କାର୍ଯ୍ୟକୁ ଦେଖି ସେଣ୍ଟ୍ରାଲ କମିଟିର ସୁପାରିସ ଯୋଗୁଁ ନିୟମିତ ବ୍ୟବଧାନରେ ପଦୋନ୍ନତି ମିଳିଥିଲା। କିଛି ବର୍ଷ ପୂର୍ବରୁ ହିଁ ତାଙ୍କୁ ଦଣ୍ଡକାରଣ୍ୟ ଜୋନାଲ କମିଟି ସଚିବ ଭାବେ ‌ପଦୋନ୍ନତି ଦିଆଯାଇଥିଲା। ସେହିପରି ସେଣ୍ଟ୍ରାଲ କମିଟିର ସଦସ୍ୟ ଭାବେ ଦାୟିତ୍ବ ଦେଇ ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଉଥିଲା। ଦଣ୍ଡକାରଣ୍ୟ ଅଞ୍ଚଳରେ ସମସ୍ତ ନକ୍ସଲ କାର୍ଯ୍ୟକଳାପ ତାଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ କାର୍ଯ୍ୟକାରୀ କରାଯାଉଥିଲା। ତୃଣମୂଳ ସ୍ତରରେ ସଂଗଠନ ପାଇଁ କାମ କରି ଉପରୋକ୍ତ ୪ଟି ରାଜ୍ୟରେ ସଂଗଠନକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦ୍ବାରା ପ୍ରଭାବିତ ହୋଇ ଏହି ଅଞ୍ଚଳର ବହୁ ଯୁବକ, ଯୁବତୀ ସଂଗଠନକୁ ଆସିଥିଲେ।

ଧୀରେ ଧୀରେ ସଂଗଠନ ଦୁର୍ବଳ ହେବାରେ ଲାଗିଥିବା ବେଳେ ଜଙ୍ଗଲ ଭିତରୁ ତାଙ୍କ ମୃତ୍ୟୁ ଖବର ଆସିବା ପୁଲିସର ମନୋବଳକୁ ଦୃଢ଼ କରିଛି। ଯାହାକୁ ନେଇ ଏବେ ଚାରୋଟି ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚାରି ରାଜ୍ୟରେ ରାମାନ୍ନା ବଡ଼ ବଡ଼ ହିଂସା ଘଟାଇଥିବାରୁ ଦୁଇ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏପରିକି ଅଧିକାଂଶ ଘଟଣାର ମାଷ୍ଟର ମାଇଣ୍ଡ ଭାବେ ବହୁ ମାମଲା ବିଭିନ୍ନ ଥାନାରେ ରହିଛି। ତେବେ ରାମାନ୍ନାର ମୃତ୍ୟୁକୁ ନେଇ ଏପର୍ଯ୍ୟନ୍ତ ସଂଗଠନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ପୁଲିସ ବି ଏହି ଖବରକୁ ନେଇ ମୁହଁ ଖୋଲୁନାହିଁ। ତଥାପି ରାମାନ୍ନାଙ୍କ ମୃତ୍ୟୁ ହୋଇ ସାରିଥିବା ବିଶ୍ବସ୍ତ ସୂତ୍ରରୁ ନିଶ୍ଚିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe