ଦୁର୍ଦ୍ଦାନ୍ତ ମାଓନେତା ପାପା ରାଓଙ୍କ ମୃତ୍ୟୁ : ମୁଣ୍ଡରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି, ୭୬ ସିଆରପିଏଫ‌୍ ଯବାନଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

Advertisment
ଦୁର୍ଦ୍ଦାନ୍ତ ମାଓନେତା ପାପା ରାଓଙ୍କ ମୃତ୍ୟୁ : ମୁଣ୍ଡରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି, ୭୬ ସିଆରପିଏଫ‌୍ ଯବାନଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

ମାଲକାନଗିରି : କିଛି ଦିନର ବ୍ୟବଧାନ ପରେ ମାଓବାଦୀ ସଂଗଠନକୁ ପୁଣି ଏକ ଧକ୍କା ଲାଗିଛି। ବହୁଦିନ ଧରି ଅସୁସ୍ଥ ଥିବା ଦଳର ଜଣେ ଦୁର୍ଦ୍ଦାନ୍ତ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ସଂଗଠନ କିମ୍ବା ପୁଲିସ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେବେ ଗୁଇନ୍ଦା ସୂଚନା ଏବଂ ଅନ୍ୟ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳ‌ରୁ ଅପରେଟ୍ କରୁଥିବା ପାପା ରାଓ ମାଓ ସଂଗଠନର ମେରୁଦଣ୍ଡ ଭଳି ଥିଲେ। ପୁଲିସ ଏବଂ ସୁରକ୍ଷା କର୍ମୀଙ୍କ ଘନଘନ ଅପରେସନ ସତ୍ତ୍ବେ ଆଦୌ ବିଚଳିତ ହେଉ ନଥିବା ଏହି ଦୁର୍ଦାନ୍ତ ମାଓବାଦୀର ମୁଣ୍ଡରେ ରହିଥିଲା ୨୫ଲକ୍ଷ ଟଙ୍କାର ପୁରସ୍କାର। ତେବେ କିଡ୍‌ନି ଜନିତ ରୋଗରେ ଆକ୍ରାନ୍ତ ହେବାପରେ ଚଳପ୍ରଚଳ ଏକ ପ୍ରକାର କମାଇ ଦେଇଥିଲେ ପାପା ରାଓ। କିଛି ଦିନ ତଳେ ସଂକ୍ରମଣ ହେବାରୁ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତେଣୁ ଚିକିତ୍ସା ନିମନ୍ତେ ସରପଞ୍ଚପାରା ସ୍ଥିତ ଶ୍ବଶୁରଙ୍କ ଘରକୁ ଚାଲି ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତ‌ାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାପା ରାଓଙ୍କ ମୃତ୍ୟୁ ନେଇ ସୁକମା ଏସ୍‌ପି ସଲଭ ସିହ୍ନା କହିଛନ୍ତି ଯେ ଏମିତି କିଛି ଖବର ସେ ପାଇଛନ୍ତି। କିନ୍ତୁ ଠୋସ୍ ପ୍ରମାଣ କିମ୍ବା ତଥ୍ୟ ମିଳିନଥିବାରୁ ଠିକ୍ ରୂପେ କିଛି କୁହାଯାଇ ପାରିବନି। ସଂଗଠନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁ ଜଣା ପଡ଼ିବ ବୋଲି ସେ କହିଛନ୍ତି। ତିନି ବର୍ଷ ତଳେ ଏମିତି ହିଁ ପାପା ରାଓଙ୍କ ମୃତ୍ୟୁ ନେଇ ଖବର ମିଳିଥିଲା। ଜଙ୍ଗଲରେ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ସାମ୍ନାକୁ ଆସିଥିଲେ।

ମାଓନେତା ରମାନ୍ନାଙ୍କ ବିଶ୍ବସ୍ତ ତଥା ଡାହାଣ ହାତ ଥିଲେ ପାପା ରାଓ। ରାମାନ୍ନାଙ୍କ ମୃତ୍ୟୁ ପରେ ତାଙ୍କୁ ସଂଗଠନର ସମସ୍ତ ଦାୟିତ୍ବ ଦିଆଯାଇଥିଲା। ବହୁ ହିଂସାକାଣ୍ଡରେ ସିଧାସଳଖ ସଂପୃକ୍ତ ରହିଥିବା ବେଳେ ତାଡ଼ମେଟଲା ଜଂଗଲରେ ଆମ୍ବୁସ ଲଗାଇ ୭୬ଜଣ ସିଆରପିଏଫ‌୍ ଯବାନଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଭାବେ ପାପା ରାଓଙ୍କ ନାଁ ସାମ୍ନାକୁ ଆସିଥିଲା। ଏପରିକି ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇବା ସହ ତାଙ୍କ ବିରୋଧରେ ଅନେକ ସଂଗିନ ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ସୁକମା ଜିଲ୍ଲା ଅନ୍ତର୍ଗତ ନିର୍ମଲାଗୁଡା ଗାଁରେ ପାପା ରାଓଙ୍କ ଜନ୍ମ। ଛତିଶଗଡ଼ର ବସ୍ତର ସଂଗଠନରେ ସାମିଲ ହେବାପରେ ଆଉ ପଛକୁ ଫେରି କେବେ ଚାହିଁ ନଥିଲେ ଏହି ମାଓନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe