କନ୍ଧମାଳ-ଗଞ୍ଜାମ ସୀମାରେ ପୁଣି ମାଓବାଦୀ ସକ୍ରିୟ: ୧୭ ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପ ବନ୍ଦ ଥିଲା

ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଏବେ ପୁଣି କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାରେ ସକ୍ରିୟ ହୋଇଛନ୍ତି ମାଓବାଦୀ। ଯାହା ଏବେ ପୁଲିସ ପାଇଁ  ନୂଆ ଆହ୍ବାନ ସୃଷ୍ଟି କରିଛି। ଏକଦା ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ବରେ....

naxal

ଫୁଲବାଣୀ: ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଏବେ ପୁଣି କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାରେ ସକ୍ରିୟ ହୋଇଛନ୍ତି ମାଓବାଦୀ। ଯାହା ଏବେ ପୁଲିସ ପାଇଁ  ନୂଆ ଆହ୍ବାନ ସୃଷ୍ଟି କରିଛି। ଏକଦା ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ବରେ ସିପିଆଇଏମ୍‌ଏଲ୍‌ ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବେଶ୍‌ ସକ୍ରିୟ ଥିଲା। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌ ମାମଲା ହେଉ କି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା ହେଉ, କିନ୍ତୁ ସବ୍ୟସାଚୀଙ୍କ ଗିରଫଦାରୀ ପରେ କନ୍ଧମାଳ ସମେତ ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲା। ବିଶେଷକରି କନ୍ଧମାଳ-ଗଞ୍ଜାମ ଏବଂ କନ୍ଧମାଳ-ଗଜପତି ସୀମାରେ ଗତ ୨୦୦୮ ମସିହା ପରଠାରୁ କୌଣସି ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳି ନଥିଲା। ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ-ଦାରିଙ୍ଗିବାଡ଼ି ଏବଂ ଗଞ୍ଜାମ ସୀମାନ୍ତବର୍ତ୍ତୀ ରଣବା ମାଣିକେଶ୍ବର ପଞ୍ଚାୟତର ଗେବିଙ୍ଗିଆ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ଥିବା ଘଟଣା ପୁଲିସ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ଗତକାଲି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ଜଣେ ଏସ୍‌ଓଜି ଯବାନ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଦୁଇ ତିନି ଜଣ ମାଓବାଦୀ ମଧ୍ୟ ପୁଲିସ ଗୁଳିରେ ଆହତ ହୋଇଛନ୍ତି। 

ମାଓନେତା ସବ୍ୟସାଚୀଙ୍କ ଗିରଫଦାରୀ ପରେ କନ୍ଧମାଳରେ ମୁଖ୍ୟତଃ ଅନ୍ୟ ଦୁଇ ମାଓ ଗୋଷ୍ଠୀ ସକ୍ରିୟ ହୋଇ ପଡ଼ିଲେ। କନ୍ଧମାଳ-ବୌଦ୍ଧ ଏବଂ କନ୍ଧମାଳ-କଳାହାଣ୍ଡି ସୀମାରେ କେକେବିଏନ୍‌ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ସକ୍ରିୟ ରହିଥିବା ବେଳେ କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-ଗଜପତି ସୀମାରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ସକ୍ରିୟ ରହିଛି। ଗୋଟିଏ ପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ, ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଥିବାବେଳେ ଅନ୍ୟପଟେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି, ବାଲିଗୁଡ଼ାର ଖମନଖୋଲ, ବାରଖମା, କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଇଲାକା କୋଟଗଡ଼ର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି ଏବଂ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ଇଲାକା ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁ, ମୋହନା, ଅଡ଼ବା ଜଙ୍ଗଲରେ ବି ମାଓବାଦୀମାନେ ସକ୍ରିୟ ରହିଛନ୍ତି। କହିବାକୁ ଗଲେ, ଏବେ କନ୍ଧମାଳ ଜିଲ୍ଲାକୁ ଚାରିପଟେ ମାଓବାଦୀ ‌ଘେରାବନ୍ଦୀ କରି ରଖିଛନ୍ତି। 

ଗତବର୍ଷ ପୁଲିସ ଟପ୍‌ ମାଓନେତା ଦସୁରୁକୁ ନିପାତ କରିବା ପରେ ମାଓବାଦୀମାନେ ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗକୁ ଅପେକ୍ଷା କରିଥିବା କଥା କୁହାଯାଉଛି। ପୁଲିସ ଏହି ଆହ୍ବାନକୁ କିଭଳି ମୁକାବିଲା କରିବ ତାହା ଆଗାମୀ ସମୟ କହିବ। ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬ ମସିହା ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ଭାବେ ମାଓବାଦୀଙ୍କୁ ନିପାତ କରି ଦେଶକୁ ମାଓମୁକ୍ତ କରିବାର ଯେଉଁ ସଂକଳ୍ପ ନିଆଯାଇଛି, ତାହାର ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe