‘ମୂଳପୋଛ ହେବେ ମାଓବାଦୀ’

ଯବାନଙ୍କ ଗୁଳିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ୧୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ପୁଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ବୁଧବାର ନୂଆପଡ଼ା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି।

sfsfsfs

ନୂଆପଡ଼ା/ଭବାନୀପାଟଣା: ଯବାନଙ୍କ ଗୁଳିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ୧୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ପୁଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ବୁଧବାର ନୂଆପଡ଼ା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ନୂଆପଡ଼ା ଏସ୍‌ପି ଅଫିସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଖୁରାନିଆ କହିଥିଲେ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶା-ଛତିଶଗଡ଼ ରାଜ୍ୟରୁ ମାଓବାଦୀ ସମ୍ପୂର୍ଣ୍ଣ ଭାବେ ଦମନ କରାଯିବ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୨୦୨୪ ମସିହାରେ ବହୁସଂଖ୍ୟାରେ ମାଓବାଦୀ ନିପାତ ହେବା ସହ ଯବାନଙ୍କୁ ସଫଳତା ମିଳିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଅପରେସନ ଜୋର୍‌ଦାର ଚାଲିଛି। ଗତ ଅକ୍ଟୋବର ମାସରେ ମାଓବାଦୀମାନେ ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। ଏହାକୁ ଦେଖି ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ନୂଆପଡ଼ା ଜିଲ୍ଲାର ଭାଓସିଲ, ଢେକୁନପାନି, ଗର୍ଜନପାଣିଠାରେ କ୍ୟାମ୍ପ କରାଯାଇଥିଲା। ଏଥିରେ ସିଆର୍‌ପିଏଫ୍‌, ଏସ୍‌ଓଜି, ରାଜ୍ୟ ପୁଲିସକୁ ମଧ୍ୟ ନିୟୋଜିତ କରାଯାଇଥିଲା। କିଛି ଦିନ ତଳେ ଗରିଆବନ୍ଧା-ନୂଆପଡ଼ା ସୀମାନ୍ତରେ ମାଓବାଦୀମାନେ ଏକତ୍ର ହେଉଥିବା ନୂଆପଡ଼ା ଏସ୍‌ପିଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଉଭୟ ରାଜ୍ୟ ଯବାନଙ୍କ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ସାମିଲ ହୋଇଥିଲେ। ୧୯ ତାରିଖରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। 

ଉଭୟ ରାଜ୍ୟ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନ୍‌ପୁର ଥାନା ଅଧୀନ କୁଲାରିଘାଟ ଜଙ୍ଗଲରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ। ୨୦ ତାରିଖରେ ୨ ଜଣ ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା। ୨୧ ତାରିଖରେ ପୁଣି ଗୁଳି ବିନିମୟ ହୋଇଥିବା ବେଳେ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ମୋଟ୍‌ ୧୬ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ କୁଖ୍ୟାତ ମାଓବାଦୀ ନେତା ଚଲପତି ଓ ମେନପୁର୍‌ ଡିଭିଜନ୍‌ର କ୍ୟାଡର୍‌ ନେତା ଗୁଡୁଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା ଚାଲିଛି। ଏହି ଅଭିଯାନରେ ଓଡ଼ିଶାର ଏସ୍‌ଓଜି ଯବାନ ଧର୍ମେନ୍ଦ୍ର ଭୋଇ, ସିଆର୍‌ପିଏଫ୍‌ର କୋବ୍ରା ଯବାନ ନୀରଜ କୁମାର ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଉଭୟ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଏହି ୨ ଯବାନ ସାହସିକତାର ସହ ଲଢ଼ିଥିବାରୁ ତାଙ୍କ ପରିବାରଙ୍କୁ ଡିଜିପି ଧନ୍ୟବାଦ ଜଣାଇଥିଲେ। ଏଥିସହ ଅପରେସନ୍‌ରେ ସାମିଲ ହୋଇଥିବା ଉଭୟ ରାଜ୍ୟର ଯବାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହା ପୂର୍ବରୁ ଡିଜିପି ଶ୍ରୀ ଖୁରାନିଆ କଳାହାଣ୍ଡି ଜିଲ୍ଲା ଯୁଗସାଇପାଟଣା ସିଆର୍‌ପିଏଫ୍‌ କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କ ସହିତ ମତ ବିନିମୟ କରିଥିଲେ। ପରେ ଭବାନୀପାଟଣା ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ସେଠାରୁ ଭବାନୀପାଟଣା ପୁଲିସ ସଦର ମୁଖ୍ୟାଳୟଠାରେ ପହଞ୍ଚି ଆଣ୍ଟି ନକ୍ସଲ ସେଲ୍‌ରେ ଏକ ସମୀକ୍ଷା କରିଥିଲେ। ଏଥିରେ ଆଇଜି ଅପରେସନ ଜେ.ଏନ୍‌.ପଙ୍କଜ, ଡିଆଇଜି ଅପରେସନ ଏ. ସିଂହ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ଓ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ପ୍ରମୁଖ ସାମିଲ ହୋଇଥିଲେ। ସିକ୍ୟୁରିଟି ଫୋର୍ସ ଓ ଗୁଇନ୍ଦା ଗତିବିଧିକୁ କଡ଼ାକଡ଼ି କରି ଅପରେସନ୍‌ ନିମନ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସାମ୍ବାଦିକମାନଙ୍କୁ ଭେଟି ଛତିଶଗଡ଼ରେ ଉଭୟ ରାଜ୍ୟର ମିଳିତ ପ୍ରୟାସରେ ପୁଲିସକୁ ବଡ଼ ସଫଳତା ମିଳିଛି ବୋଲି କହିଥିଲେ। ବର୍ତ୍ତମାନ ଛତିଶଗଡ଼ରେ ବଡ଼ ଅପରେସନ ଚାଲିଥିବା ଯୋଗୁଁ ଓଡ଼ିଶା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe