Wikimedia Commons
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ ୧୦ ବର୍ଷ ହେଲା ମାରାଗୁଡ଼ା ଲୋକମହୋତ୍ସବ ଆୟୋଜିତ ହେଉନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ଥାନୀୟ ସଭ୍ୟତାକୁ ନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ ମିଶି ଲୋକମହୋତ୍ସବ ପାଳନ କରୁଛନ୍ତି। ହେଲେ, ନୂଆପଡ଼ା ଜିଲ୍ଲାରେ ପ୍ରଶାସନର ଅବହେଳା ଯୋଗୁଁ ଏହା ଗତ ୧୦ ବର୍ଷ ହେଲା ଆଉ ଆୟୋଜିତ ହେଉନାହିଁ। ଯଦ୍ବାରା ଜିଲ୍ଲାର ବହୁବର୍ଷ ପୁରୁଣା ସଭ୍ୟତା ମାରାଗୁଡ଼ାକୁ ବଞ୍ଚାଇ ରଖିବା ପାଇଁ ହେଉଥିବା ଉଦ୍ୟମରେ ରୋକ୍ ଲାଗିଛି। ତେଣୁ ଜିଲ୍ଲାର ଏହି ମାରାଗୁଡ଼ା ସଭ୍ୟତାକୁ ବଞ୍ଚାଇବାକୁ ହେଲେ ଜିଲ୍ଲାବାସୀ ଆଗକୁ ଆସିବା ନିହାତି ଜରୁରି ବୋଲି ନୂଆପଡ଼ା ସଦର ହମକୁମା ପୁଲିସ୍ ପଡ଼ିଆ ରଙ୍ଗମଞ୍ଚରେ ଆୟୋଜିତ କୋଶଲି ଧନୁଯାତ୍ରା ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି।
ଇତିହାସରୁ ଜଣାଯାଏ ଯେ, ଅଷ୍ଟମ ଓ ଦ୍ବାଦଶ ଶତାବ୍ଦୀରେ ଲାଲଚୁରୀ ଓ ଚୌହାନ ବଂଶର ରାଜାମାନଙ୍କ ଦ୍ବାରା ସହରୀ ସଭ୍ୟତା ଗଢ଼ି ଉଠିଥିଲା। ଏହି ମାରାଗୁଡ଼ା ସଭ୍ୟତାଟି ଦକ୍ଷିଣ କୋଶଲର ରାଜଧାନୀ ରହିଥିଲା। ଏଠାରେ ବହୁ ରାଜା ମହାରାଜ ରହୁଥିଲେ ବୋଲି ଗବେଷକମାନେ ମତ ଦେଇଛନ୍ତି। ୧୯୭୪ -୮୪ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମାରାଗୁଡ଼ାରେ ଖନନ କରାଯାଇଥିଲା। ଖନନ ବେଳେ ଶିବ ମନ୍ଦିର ସହ ଅନ୍ୟ ମୂଲ୍ୟବାନ ମୂର୍ତ୍ତି, ସ୍ବର୍ଣ୍ଣମୁଦ୍ରା ମଧ୍ୟ ମିଳିଥିଲା। ହେଲେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ମାରାଗୁଡ଼ା ସଭ୍ୟତାକୁ ଧ୍ୟାନ ନଦେବାରୁ ମାରାଗୁଡ଼ାର ସମସ୍ତ ଚିହ୍ନ ଲୁପ୍ତ ହେବାକୁ ବସିଲାଣି ବୋଲି ଐତିହାସିକମାନେ ମତ ଦେଇଛନ୍ତି।
Follow Us