ଆସିଲା ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ : ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର

Advertisment
ଆସିଲା ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ : ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗାଇଡଲାଇନରେ ୨୦୦୦ ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । ମାର୍ଚ୍ଚ ପହିଲାଠାରୁ କରୋନା କଟକଣା ମଧ୍ୟରେ ଯାତ୍ରାର ଆୟୋଜନ ହୋଇପାରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବାକୁ ଗାଇଡଲାଇନରେ କୁହା‌ଯାଇଛି। ଏଥିରେ ଯାତ୍ରା ତମ୍ବୁରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବା ଏବଂ ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟ‌ରେ ୬ଫୁଟର ଦୂରତା ରଖିବାକୁ କୁହାଯାଇଛି। ସଂକ୍ରମଣକୁ ଏଡ଼ାଇବା ପାଇଁ ଅନଲାଇନ ଟିକେଟ ବୁକିଂ କରିବାକୁ କୁହାଯିବା ସହ ଏକାଧିକ ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ କହିଛନ୍ତି ରାଜ୍ୟ ସରକାର। ଏଥସହ ସହ କରୋନା ଲକ୍ଷଣ ଥିବା ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସରକାର ଗତ ଫେବ୍ରୁଆରି ମାସର ଗାଇଡଲାଇନରେ ୫୦୦ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ହେଲେ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବା କାରଣ ଦର୍ଶାଇ ଯାତ୍ରା ପାଇଁ ଅନୁମତି ଦେଇ ନଥିଲେ। ଏ ନେଇ ସରକାର ତୁରନ୍ତ ଦୁଇ ହଜାର ଦର୍ଶକରେ ମଞ୍ଚ ଖୋଲିବାକୁ ଅନୁମତି ଦେବାକୁ ଦାବି କରି ଫେବ୍ରୁଆରି ୨୩ରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାର ସବୁ ସ୍ଥାନରେ ସଭା ସମିତି ଏବଂ ନିର୍ବାଚନରେ ରାଲି ପାଇଁ ଅନୁମତି ଦେଉଥିବା ବେଳେ ଯାତ୍ରା କରିବା ପାଇଁ ଅନୁମତି ଦେବାରେ କ’ଣ ଅସୁବିଧା ଅଛି ବୋଲି ସଂଘ ସଭାପତି ଦୈତାରୀ ପଣ୍ଡା ପ୍ରଶ୍ନ କରିଥିଲେ।

publive-image

ସରକାରଙ୍କର କରୋନା କଟକଣାକୁ ସମ୍ମାନ ଜଣାଇ ଘରେ ବସି ରହିଛୁ ତଥାପି ସରକାର ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଲେ କିନ୍ତୁ ଯାତ୍ରା ପେଣ୍ଡାଲ ପାଇଁ ଅନୁମତି ସତ୍ତ୍ବେ କ’ଣ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଉନାହାନ୍ତି ବୋଲି ସଂଘର ସଂପାଦକ ରମେଶ ଚନ୍ଦ୍ର ନାୟକ ପ୍ରଶ୍ନ କରିଥିଲେ। ସରକାର ଯେ ପର୍ଯ୍ୟନ୍ତ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେଇନାହାନ୍ତି ସେ ପର୍ଯ୍ୟନ୍ତ ଅନଶନରେ ବସିରହିବେ ବୋଲି କଳାକାରମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe