Advertisment

ମର୍ଜାକୁଦ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଜଳବନ୍ଦୀ ଜୀବନ ଆରମ୍ଭ

Advertisment
ମର୍ଜାକୁଦ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଜଳବନ୍ଦୀ ଜୀବନ ଆରମ୍ଭ

ବୌଦ୍ଧ : ମର୍ଜାକୁଦ। ମହାନଦୀ ଗର୍ଭର ଏହି ଦ୍ବୀପ ପାଇଁ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚିତି ରହିଛି। ହେଲେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଏମାନେ ବର୍ଷର ଛ’ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି। ମହାନଦୀରେ ପାଣି ଆସିଲେ ଏମାନଙ୍କ ଦୁଃଖ ଆରମ୍ଭ ହୁଏ। ଏବେ ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀରେ ପାଣି ଆସିଛି। ଫଳରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇ ଯାଇଛି। ରାସ୍ତା ଧୋଇବା ସହ ଲୋକଙ୍କ ସ୍ବାଭାବିକ ଯାତାୟତରେ ପ୍ରତିବନ୍ଧକ ଲାଗିଛି। ପୁଣି ଆରମ୍ଭ ହୋଇଛି ଦୁଃଖଦ ଜଳବନ୍ଦୀ ଜୀବନ।

publive-image

ବୌଦ୍ଧଗଡ଼ ଏନ୍‌ଏସିର ୧୩ ଓ ‌୧୪ ନମ୍ବର ୱାର୍ଡ ହେଉଛି ମର୍ଜାକୁଦ ଗାଁ। ତିନି ହଜାରରୁ ଅଧିକ ଲୋକ ଏଠାରେ ବସବାସ କରନ୍ତି। ସହରାଞ୍ଚଳ ଯୋଜନାରେ ସାମିଲ ହୋଇଥିଲେ ସୁଦ୍ଧା ଏମାନେ ଉପାନ୍ତ ଅଞ୍ଚଳର ବାସିନ୍ଦା ଭଳି କାଳ କାଟୁଛନ୍ତି। ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ପ୍ରତିବନ୍ଧକ ସାଜିଛି ମହାନଦୀ। ନଦୀରେ ପାଣି ଆସିବା ପରେ ସେମାନଙ୍କର ଛ’ ମାସର ଉନ୍ମୁକ୍ତ ଜୀବନଯାପନ ଅବଧି ଶେଷ ହୋଇଛି। ଏବେ ପୁଣି ଘେରାବନ୍ଦୀ ଜୀବନ ଆରମ୍ଭ। ଗ୍ରାମବାସୀ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପାଇଁ ବୌଦ୍ଧ ସହର ଉପରେ ନିର୍ଭର କରନ୍ତି। ମହାନଦୀ ଯୋଗୁଁ ଏମାନେ ମୌଳିକ ସୁବିଧାରୁ ବଞ୍ଚିତ। ସ୍କୁଲ, କଲେଜର ଛାତ୍ରଛାତ୍ରୀ ବିପଦସଂକୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ପାର ହୋଇ ବୌଦ୍ଧକୁ ଆସନ୍ତି। ରୋଗୀଙ୍କ ସ୍ଥାନାନ୍ତରଣ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ରୋଗରେ ଛଟପଟ ହେଉଥିବା ସାଧାରଣ ରୋଗୀ ହୁଅନ୍ତୁ ବା ଆସନ୍ନପ୍ରସବା ସମସ୍ତଙ୍କ ଜୀବନ ସୂତାଖିଅରେ ରହେ। ସଂକଟାପନ୍ନ ଅବସ୍ଥାରେ ଦୋଳାରେ ବୋହି ଓ ଡଙ୍ଗାରେ ପାର କରି ଡାକ୍ତରଖାନାକୁ ନିଆଯାଏ। ଏଭଳି ସ୍ଥିତିରେ ଅନେକ ରୋଗୀଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି।

publive-image

ଗ୍ରାମବାସୀଙ୍କ ଧାରାବାହିକ ଅଭିଯୋଗ ଓ ଆନ୍ଦୋଳନ ପରେ ମର୍ଜାକୁଦ ସେତୁ ନିର୍ମାଣ ଆରମ୍ଭ ହୋଇଛି। ସେପଟେ ମର୍ଜାକୁଦକୁ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛନ୍ତି। ମର୍ଜାକୁଦ ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ରାଜଧାନୀ ହେବ ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରକାଶ କରିଛନ୍ତି। ମର୍ଜାକୁଦର ବିକାଶ, ଲୋକଙ୍କ ଜୀବନ ସବୁକିଛି ସେତୁ ନିର୍ମାଣ ଉପରେ ନିର୍ଭର କରୁଛି। ବର୍ତ୍ତମାନ ନଦୀରେ ପାଣି ଆସିବାରୁ ସେତୁ ନିର୍ମାଣ କାମ ବନ୍ଦ ରହିଛି। ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ଯୁଦ୍ଧକାଳୀନ ଭିତ୍ତିରେ ସେତୁ ନିର୍ମାଣ କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe