Hindustan Times
ବୌଦ୍ଧ: ବୌଦ୍ଧ ସିଜେଏମ୍ ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ବୁଧବାର ଏକ “ବନ୍ଧୁକ ମୁନରେ ବିବାହ ନିବେଦନ ଓ ହତ୍ୟା ଧମକ” ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ତ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ରୁଣ୍ତିମହୁଲ ଗ୍ରାମର ପଞ୍ଚାନନ ମୁନା(୪୦)। ମାମଲା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ରୁଣ୍ତିମହୁଲ ଗ୍ରାମର ପଞ୍ଚାନନ ୨୦୧୭ ମସିହା ଜୁନ ୨୬ ତାରିଖ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରପଦର ଗ୍ରାମର ହର ନାଗଙ୍କ ଘରକୁ ସକାଳ ୯ଟାରେ ଧସେଇ ପଶିଥିଲେ। ହର ଚାଷ ଜମିକୁ ଯାଇଥିବା ବେଳେ ଘରେ ତାଙ୍କର ସ୍ତ୍ରୀ ଓ ଝିଅ ଥିଲେ। ପଞ୍ଚାନନ ହରଙ୍କ ଝିଅ ମୁଣ୍ତରେ ପିସ୍ତଲ ରଖି ବିବାହ କରିବାକୁ କହିଥିଲେ।
ଏଥିରେ ରାଜି ନ ହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପଡ଼ୋଶୀଙ୍କ ପାଖରୁ ଖବର ପାଇ ହର ଘରକୁ ଆସି ପଞ୍ଚାନନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି କରି ହତ୍ୟା ଧମକ ଦେଇଥିଲେ। କଣ୍ଟାମାଳ ଥାନାରେ ହର ନାଗଙ୍କ ଲିଖିତ ଅଭିଯୋଗ ପରେ ପୁଲିସ କେସ୍ ନଂ ୬୦/୧୭ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ସିଜେଏମଙ୍କ କୋର୍ଟର ଏସଟି କେସ ନଂ.୩୭/୧୭ରେ ରୁଜୁ ହୋଇ ବିଚାର ଆରମ୍ଭ ହୋଇଥିଲା। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ବୁଧବାର ରାୟ ପ୍ରକାଶ କରିଛନ୍ତି। ମାମଲାକୁ ସରକାରୀ ଓକିଲ ଦେବରଞ୍ଜନ ବିଶି ପରିଚାଳନା କରୁଥିଲେ।
Follow Us