ସହିଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ : ‘ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଉତ୍ତରପିଢ଼ି ଅନୁଶୀଳନ କରନ୍ତୁ’

Advertisment
ସହିଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ : ‘ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଉତ୍ତରପିଢ଼ି ଅନୁଶୀଳନ କରନ୍ତୁ’

ଭୁବନେଶ୍ୱର : ପରାଧୀନ ଭାରତରେ ତତ୍କାଳୀନ ପ୍ରଜା ଆନ୍ଦୋଳନ ସମୟରେ ଓଡ଼ିଶାରେ ରଣପୁରର ଦୁଇ ମହାନ୍ ମୁକ୍ତିଯୋଦ୍ଧା ସହିଦ ରଘୁନାଥ ମହାନ୍ତି ଓ ସହିଦ ଦିବାକର ପରିଡ଼ାଙ୍କର ତ୍ୟାଗ ଓ ଆତ୍ମବଳିଦାନର କାହାଣୀ ସର୍ବଦା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଉତ୍ତରପିଢ଼ି ଓ ଯୁବବର୍ଗ ଅନୁଶୀଳନ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦୁଇ ସଂଗ୍ରାମୀଙ୍କ ମାଟି ନୟାଗଡ଼ ଜିଲ୍ଲାର ରଣପୁର ସମେତ ରାଜ୍ୟ ତଥା ଦେଶର ବିକାଶରେ କାର୍ଯ୍ୟ କରିବାକୁ କହିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ।

ଆଜି ଅପରାହ୍‌ଣରେ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହିଦ ରଘୁ-ଦିବାକରଙ୍କର ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ଏହା କହିଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ରଣପୁର ସାଂସ୍କୃତିକ ପରିଷଦ ଓ ସହିଦ ରଘୁ-ଦିବାକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ରଣପୁର ପ୍ରଜା ଆନ୍ଦୋଳନ ସମୟରେ ସହିଦ ରଘୁ-ଦିବାକରଙ୍କ ଅମର କାହାଣୀ ଉପସ୍ଥାପନ କରିଥିଲେ। ଏହାସହ ସେହି ସମୟରେ ରଣପୁର ପାଇଁ ବ୍ରିଟିସ୍‌ ଗୁଳିରେ ପ୍ରାଣବଳି ଦେଇଥିବା ସଂଗ୍ରାମୀ ଅର୍ଜୁନ ରାଉତଙ୍କୁ ସହିଦ ମାନ୍ୟତା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ରାଜ୍ୟ ଏବଂ ଜାତୀୟସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି ଦେଶମାତୃକା ପାଇଁ ସହିଦ ରଘୁ-ଦିବାକରଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିୟାରସିଂହ ଯୋଗଦେଇ ତତ୍କାଳୀନ ରଣପୁର ଗଡ଼ଜାତ ରାଜ୍ୟରେ ସ୍ୱେଚ୍ଛାଚାରୀ ଶାସନ, ରଘୁ-ଦିବାକରଙ୍କ ଦ୍ୱାରା ରଚିତ ବିପ୍ଲବାତ୍ମକ କବିତା ପ୍‌ଙକ୍ତିର ବିଶ୍ଳେଷଣ ସହ ସେମାନଙ୍କର ସଂଗ୍ରାମ କାହାଣୀର ସୁଦୀର୍ଘ ଇତିହାସ ବିଶଦ୍ ଭାବେ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ସଂପାଦକ ଗୌରାଙ୍ଗ ନାୟକ ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସକାଳେ ଭୁବନେଶ୍ୱର ୟୁନିଟ୍‌-୯ ରୋଡ୍‌ସ୍ଥିତ ସହିଦ୍ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀ, ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଏବଂ ସହିଦ ରଘୁ ଦିବାକର ସ୍ମୃତି କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe