Advertisment

ଫୁଲୁଛି ମହାନଦୀ, ମର୍ଜାକୁଦକୁ ଡଙ୍ଗା ଚଳାଚଳ ପ୍ରଭାବିତ

Advertisment
ଫୁଲୁଛି ମହାନଦୀ, ମର୍ଜାକୁଦକୁ ଡଙ୍ଗା ଚଳାଚଳ ପ୍ରଭାବିତ

ବୌଦ୍ଧ : ହୀରାକୁଦ ଡ୍ୟାମର ୧୧ଟି ଗେଟ୍‌ ଖୋଲା ହେବା ପରେ ମହାନଦୀ ତଳମୁଣ୍ଡରେ ପାଣି ଆସିଛି। ଏଥି ସହିତ ବିଭିନ୍ନ ଶାଖା ନଦୀ ଓ ନାଳର ପାଣି ମିଶି ବୌଦ୍ଧ ଜିଲ୍ଲା ଅଞ୍ଚଳରେ ମହାନଦୀର ଦୁଇ କୂଳ ପୂରି ରହିଛି। ମହାନଦୀର ଏଭଳି ସ୍ଥିତି ମର୍ଜାକୁଦ ଦ୍ବୀପବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବାହ୍ୟ ଜଗତ ସହ ସଂଯୋଗ ରକ୍ଷା କରିବା ଏକମାତ୍ର ମାଧ୍ୟମ ଡଙ୍ଗା ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଯେ କୌଣସି ମୂହୁର୍ତ୍ତରେ ମର୍ଜାକୁଦବାସୀ ବିପଦର ସମ୍ମୁଖୀନ ହେବା ଆଶଙ୍କା ଦେଖା ଦେଇଛି।

ବୌଦ୍ଧଗଡ଼ ଏନ୍‌ଏସିର ୧୩ ଓ ୧୪ ନଂ ୱାର୍ଡ ଥିବା ମର୍ଜାକୁଦ ଦ୍ବୀପରେ ପ୍ରାୟ ୩ ହଜାର ୨ ଶହ ଲୋକ ବସବାସ କରନ୍ତି। ଦୀର୍ଘ ଦିନର ଆନ୍ଦୋଳନ ପରେ ମର୍ଜୁକୁଦ ସେତୁ ନିର୍ମାଣ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମେ’ ମାସ ସୁଦ୍ଧା ସେତୁ ନିର୍ମାଣ ଶେଷ ହେବା ଆଶା କରାଯାଉଛି। ଚଳିତ ବର୍ଷା ଋତୁ ମର୍ଜାକୁଦବାସୀଙ୍କ ଶେଷ ଡଙ୍ଗା ଯାତ୍ରା କୁହାଯାଉଥିବା ବେଳେ ଏହି ୬ ମାସ ଲୋକଙ୍କ ପାଇଁ ଯୁଗ ସଦୃଶ ହୋଇଛି। ବର୍ଷର ୬ ମାସ ଅସ୍ଥାୟୀ ରାସ୍ତାରେ ଯାତାୟତ କରିବା ପରେ ସେମାନଙ୍କ ଜଳବନ୍ଦୀ ଜୀବନ ଆରମ୍ଭ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଡଙ୍ଗା ହିଁ ଏମାନଙ୍କ ଯାତାୟତର ଏକମାତ୍ର ମାଧ୍ୟମ।

ଦୈନନ୍ଦିନ ସାମଗ୍ରୀ, ଜୀବିକା, ସ୍ବାସ୍ଥ୍ୟ ଆଦି ଯାବତୀୟ କାମ ପାଇଁ ଏମାନେ ବୌଦ୍ଧ ସହର ଉପରେ ନିର୍ଭର କରନ୍ତି। ଡଙ୍ଗାରେ ପାରିହୋଇ ବୌଦ୍ଧକୁ ଆସିବା ପରେ ହିଁ ବାହ୍ୟ ଜଗତ ସହ ସଂଯୋଗ ସ୍ଥାପନ ‌ହୁଏ। ନଦୀରେ ପାଣି ବଢ଼ିବା ସହ ଦୁଇ ଦିନ ଧରି ଲାଗି ରହିଥିବା ଝିପି ଝପି ବର୍ଷା ଡଙ୍ଗା ଚଳାଚଳରେ ବାଧକ ସାଜିଛି। ଭରା ନଦୀରେ ଦେଶୀ ଡଙ୍ଗାରେ ଲୋକଙ୍କୁ ପାର କରିବାକୁ ନାବିକମାନେ ସାହସ କରିପାରୁ ନାହାନ୍ତି। ଶୁକ୍ରବାର ମର୍ଜାକୁଦରୁ ଥରେ ଡଙ୍ଗା ବୌଦ୍ଧ ପଟକୁ ଆସି ଫେରିଥିବା ଜଣାଯାଇଛି। ଏଭଳି ସମୟରେ ଗ୍ରାମର କୌଣସି ବ୍ୟକ୍ତି ହଠାତ୍‌ ରୋଗରେ ଗୁରୁତର ହେଲେ ବୌଦ୍ଧ ଡାକ୍ତରଖାନାକୁ ଆଣିବା ମୁସ୍କିଲ। ସେପଟେ ଏନ୍‌ଏସି ପକ୍ଷରୁ ଲଞ୍ଚ ଚଳଳାଚଳର ବ୍ୟବସ୍ଥା ରହିଛି। ତେବେ ନଦୀରେ ପଥର ଥିବାରୁ ଅଧିକ ପାଣି ନ ହେବା ପର୍ଯ୍ୟନ୍ତ ଏହାକୁ ଚଳାଇବା ସମ୍ଭବ ହୋଇ ପାରୁ ନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe