ମର୍ଜାକୁଦ ଦ୍ୱୀପ: ଉଛୁଳା ନଦୀରେ ଦେଶୀ ଡଙ୍ଗା ଭରସା

Advertisment
ମର୍ଜାକୁଦ ଦ୍ୱୀପ: ଉଛୁଳା ନଦୀରେ ଦେଶୀ ଡଙ୍ଗା ଭରସା

ବୌଦ୍ଧ : ଜନ୍ମରୁ ମୃତ୍ୟୁ ଯାଏ ଜଳବନ୍ଦି ଜିଉଁଛନ୍ତି ମର୍ଜାକୁଦବାସୀ। ବର୍ଷକୁ ଛ’ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହନ୍ତି। ଖରା ଦିନେ ଅସ୍ଥାୟୀ ରାସ୍ତାରେ ଯାତାୟାତ କରନ୍ତି। ନଦୀରେ ପାଣି ଆସିବା ପରେ ମହାନଦୀ ଦ୍ବାରା ଏକ ପ୍ରକାର ବନ୍ଦି ଜୀବନ ବିତାନ୍ତି। ବର୍ଷା ଦିନରେ ଗଭୀର ମହାନଦୀର ସ୍ରୋତ କାଟି ଏମାନଙ୍କ ଜୀବନଯାତ୍ରା ଆରମ୍ଭ ହୁଏ। ପୂର୍ବରୁ ପ୍ରଶାସନ ଦ୍ବାରା ଲଞ୍ଚର ବ୍ୟବସ୍ଥା କରାଯାଉଥିଲା। ସେତୁ ନିର୍ମାଣ ଚାଲିଥିବାରୁ ଚଳିତ ବର୍ଷ ଲଞ୍ଚର ବ୍ୟବସ୍ଥା କରାଯାଇ ନାହିଁ। ଭରା ନଦୀରେ ଦେଶୀ କାଠ ଡଙ୍ଗା ହିଁ ଭରସା।

publive-image

ମର୍ଜାକୁଦରେ ବୌଦ୍ଧ ଏନ୍‌ଏସିର ୧୩ ଓ ୧୪ ନଂ ୱାର୍ଡ ରହିଛି। ସହରାଞ୍ଚଳ ଅନ୍ତର୍ଗତ ହୋଇଥିଲେ ସୁଦ୍ଧା ଏଠାକାର ବାସିନ୍ଦା ଅନେକ ମୌଳିକ ସୁବିଧାରୁ ବଞ୍ଚିତ। ସ୍ୱାସ୍ଥ୍ୟ, ଗମନା ଗମନ, ଶିକ୍ଷା ସବୁଥିରେ ବାଧକ ସାଜିଛି ମହାନଦୀ। ନଦୀ ବଢ଼ିଲେ ଏମାନଙ୍କ ଦୁର୍ଦ୍ଦଶା ବଢ଼େ। ଦୈବୀ ଦୁର୍ବିପାକରୁ ଏମାନଙ୍କୁ ବଞ୍ଚାଇବା ପାଇଁ କେହି ନାହାନ୍ତି। ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା ପାଇବା ସାତ ସପନ ହୋଇଛି। କିଛିଦିନ ପୂର୍ବରୁ ସାପ କାମୁଡ଼ାରେ ଜଣଙ୍କ ଜୀବନ ଯାଇଛି। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ପରେ ପାଞ୍ଚ ଦିନ ହେଲା ମହାନଦୀରେ ଉଛୁଳା ପରିସ୍ଥିତି ଦେଖା ଦେଇଛି। ଫଳରେ ମର୍ଜାକୁଦ ଘାଟରେ ଠିକ ଭାବରେ ଡଙ୍ଗା ପଡ଼ୁ ନାହିଁ। ନଦୀ ମୁହାଣକୁ ନେଇ ସେଠାରୁ ଡଙ୍ଗା ଛାଡ଼ୁଛି। ନଦୀର ସ୍ରୋତ କାଟି ଆସିବା ବେଳେ ମଝିରେ ଠିଆ ହୋଇଛି ଅର୍ଦ୍ଧନିର୍ମିତ ସେତୁର ପିଲର। ନାବିକଙ୍କ ସାମାନ୍ୟ ଅସାବଧାନତାରେ ପିଲର୍‌ରେ ପିଟି ହୋଇ ଲୋକଙ୍କ ଜୀବନ ଯିବା ଆଶଙ୍କା ରହିଛି। ଫଳରେ ଦିନକୁ ଥରେ ଡଙ୍ଗା ଆସି ଫେରୁଛି।

ସକାଳ ଆଠଟାରେ ମର୍ଜାକୁଦରୁ ଡଙ୍ଗା ଆସି ବୌଦ୍ଧ କୂଳରେ ପହଞ୍ଚୁଛି। ଦିନ ଦୁଇଟା ବେଳେ ଫେରୁଛି। ଉପରବେଳା ଡଙ୍ଗା ବାହିବାକୁ ନାବିକମାନେ ସାହସ କରୁ ନାହାନ୍ତି। କୌଣସି କାରଣରୁ ଡଙ୍ଗା ଛାଡ଼ିବା ସମୟରେ ପହଞ୍ଚି ନପାରିଲେ ପୁଣି ଆର ଦିନକୁ ଅପେକ୍ଷା। ରାତିରେ କୌଣସି ରୋଗୀ ଗୁରୁତର ହେଲେ ମୃତ୍ୟୁ ହେବା ଥୟ। ଏଭଳି ପରିସ୍ଥିତିରେ ପୂର୍ବ ବର୍ଷ ଭଳି ଜିଲ୍ଲା ପ୍ରଶାସନ ମଟର ଲଞ୍ଚର ବ୍ୟବସ୍ଥା କରିବାକୁ ମର୍ଜାକୁଦବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe