ମର୍ଜାକୁଦ ସେତୁ, ଅଭିଶପ୍ତ ଜୀବନରୁ ମୁକ୍ତି

Advertisment
ମର୍ଜାକୁଦ ସେତୁ, ଅଭିଶପ୍ତ ଜୀବନରୁ ମୁକ୍ତି

ବୌଦ୍ଧ : ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପ ବୌଦ୍ଧ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ହେଲେ, ଏଠାକାର ଲୋକେ ଅଭିଶପ୍ତ ଜୀବନ ଜିଇଁ ଆସୁଥିଲେ। ସେତୁଟିଏ ନଥିବାରୁ ବର୍ଷବର୍ଷ ଧରି ହଇରାଣ ହେଉଥିଲେ। ଏବେ ମର୍ଜାକୁଦ ସେତୁ ନିର୍ମାଣ ହେବାପରେ ଏଠାକାର ଲୋକଙ୍କ ଦୁଃଖ ଦୂର ହୋଇଛି। ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ ହୋଇ ନଥିଲେ ସୁଦ୍ଧା ଲୋକଙ୍କ ସୁବିଧା ପାଇଁ ଯାତାୟାତ ଆରମ୍ଭ ହୋଇଛି। ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁଛି।

ପ୍ରାୟ ୩ ହଜାର ୨ଶହ ଏକର ପରିମିତ ଅଞ୍ଚଳ ହେଉଛି ମର୍ଜାକୁଦ ଦ୍ବୀପ। ବୌଦ୍ଧଗଡ଼ ଏନ୍‌ଏସିର ଦୁଇଟି ୱାର୍ଡ ରହିଥିବା ବେଳେ ଜନସଂଖ୍ୟା ତିନି ହଜାରରୁ ଅଧିକ। ମାତ୍ର, ଏହା ଜିଲ୍ଲା ସଦର ମହକୁମା ସହରର ଏକ ଅଂଶ ହୋଇଥିଲେ ବି ସେତୁ ନଥିବାରୁ ଜରୁରୀ ସେବା ଏମାନଙ୍କ ପାଖକୁ ପହଞ୍ଚି ପାରୁନଥିଲା। ପିଢ଼ି ପରେ ପିଢ଼ି ଅବହେଳିତ ଭାବରେ ଜୀବନଯାପନ କରୁଥିଲେ । ବୌଦ୍ଧ ଏନ୍‌ଏସିର ଦୁଇ ୱାର୍ଡ ବିଶିଷ୍ଟ ମର୍ଜାକୁଦ ଗ୍ରାମକୁ ମହାନଦୀ ବର୍ଷକୁ ଛ’ ମାସବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖୁଥିଲା। ବର୍ଷକୁ ଛ’ ମାସ ଡଙ୍ଗା ହିଁ ଥିଲା ଏମାନଙ୍କ ଯାତାୟତର ମାଧ୍ୟମ। ପୂର୍ଣ୍ଣଗର୍ଭା ନଦୀ ଏମାନଙ୍କୁ ଆହାର ଯୋଗାଇବା ସହ ବିନାଶର କାରଣ ମଧ୍ୟ ହୋଇଛି। ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ଯିବାହେଉ କି ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଡଙ୍ଗାରେ ପାର୍‌ ହେବାବେଳେ ଦୁର୍ଘଟଣା ମଧ୍ୟ ଘଟିଛି। ବନ୍ୟା ସମୟରେ ନଦୀ ପାର୍‌ ହୋଇ ନପାରି ମହିଳାଙ୍କ ଜୀବନ ଯିବାଭଳି ଘଟଣା ଘଟିଛି। ଏହିସବୁ ଘଟଣାକୁ ନେଇ ମର୍ଜୁାକୁଦ ଚର୍ଚ୍ଚାରେ ରହି ଆସୁଥିଲା। ଲୋକଙ୍କ ଅଭିଶପ୍ତ ଜୀବନର କାହାଣୀ ବର୍ଷ ବର୍ଷ ଧରି ଗଣମାଧ୍ୟମରେ ଶିରୋନାମା ‌ହୋଇଛି।

ତେବେ, ମର୍ଜାକୁଦବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୧୮ ଫେବ୍ରୁଆରି ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ-ମର୍ଜାକୁଦ ସେତୁର ଶିଳାନ୍ୟାସ କରିଥିଲେ। ଡିସେମ୍ବର ୨୦୨୦ରେ ଏହାର ନିର୍ମାଣ ଶେଷ ହେବାର ଥିଲା। ହେଲେ, ବିଳମ୍ବରେ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଚଳିତବର୍ଷ ନଦୀରେ ପାଣି ଆସିବା ପୂର୍ବରୁ ରାସ୍ତା ଖୋଲିଛି। ସେତୁ ନିର୍ମାଣ ହେବାପରେ ଏବେ ଜିଲ୍ଲା ପ୍ରଶାସନର ପ୍ରସ୍ତାବିତ ଇକୋ-ଟୁରିଜିମ୍‌ କରିବା ପାଇଁ ବାଟ ଫିଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe