ମଶାଣି ଭୂଇଁରେ ନେଇଛନ୍ତି ଆଶ୍ରୟ, କ୍ୟାନସର ରୋଗୀଙ୍କୁ ଘରୁ ତଡ଼ି ଦେଲେ

Advertisment
ମଶାଣି ଭୂଇଁରେ ନେଇଛନ୍ତି ଆଶ୍ରୟ, କ୍ୟାନସର ରୋଗୀଙ୍କୁ ଘରୁ ତଡ଼ି ଦେଲେ

ସମ୍ବଲପୁର: କ୍ୟାନ‌ସର ରୋଗୀ, ଗନ୍ଧ ବାହାରୁଛି କହି ଘରୁ ତଡ଼ି ଦେଲେ। ଗାଁ ଲୋକ କେହି ବି ସହଯୋଗର ହାତ ବଢ଼େଇଲେ ନାହିଁ। ବୁର୍ଲା ଡାକ୍ତରଖାନାରୁ ବି ତାଙ୍କୁ ଫେରାଇ ଦିଆଗଲା। ଏଭଳି ସ୍ଥିତିରେ ଅନ୍ୟ ଉପାୟ ନପାଇ ଗାଁ ମଶାଣି ସଂଲଗ୍ନ ଏକ ଆମ୍ବତୋଟାରେ ଆଶ୍ରୟ ନେଇଛନ୍ତି ଏକ ଦମ୍ପତି। ଏଭଳି ହୃଦୟ ବିଦାରକ ଚିତ୍ର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଅଂଚଳରୁ ସାମ୍‌ନାକୁ ଆସିଛି।

ଜମନକିରା ବ୍ଲକ କଦଳୀପାଳ ଗାଁର ଉଣ୍ଡୁ ନାଏକ(୬୦)। ସପରିବାର ବେଲପାହାଡ଼ ଅଂଚଳରେ ରହୁଥିଲେ। କୌଣସି କାରଣରୁ ବିବାଦ ହେବାରୁ ପତ୍ନୀ ଓ ପୁଅ‌ ତାଙ୍କୁ ସେଠାରୁ ତଡ଼ି ଦେଲେ। ବାଧ୍ୟ ହୋଇ ନିଜ ଗାଁ କଦଳୀପାଳକୁ ଚାଲିଆସିଲେ ଉଣ୍ଡୁ। ଗାଁରେ ନିଜ ଭାଇ ଥିଲେ ମଧ୍ୟ ତାଙ୍କୁ ପଚାରିଲେ ନାହିଁ। ଏଭଳି ସ୍ଥିତିରେ ସେ କିଛି ବର୍ଷ ତଳେ କୁଲୁଣ୍ଡି ଅଂଚଳର ଜଣେ ବିଧବା ମହିଳାଙ୍କୁ ବିବାହ କରିଥିଲେ। ସମ୍ବଲପୁର ପୁଟିବନ୍ଧ ଅଂଚଳରେ ରହି ଶ୍ରମିକ ଭାବେ କାମକରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ। ହେଲେ, ଅଚାନକ ଉଣ୍ଡୁ କ୍ୟାନସରରେ ଆକ୍ରାନ୍ତ ହୋଇଗଲେ।

ତାଙ୍କ ଗାଲରେ ଘା’ ହୋଇଗଲା। ଧାରକରଜ କରି ବୁର୍ଲା ଭିମ୍‌ସାରକୁ ଚିକିତ୍ସା ଲାଗି ଆସିଥିଲେ। ଭିମ୍‌ସାରରୁ ତାଙ୍କୁ କଟକ ରେଫର କରିଦିଆଗଲା। କଟକରେ ପ୍ରାୟ ୩ ମାସ ରହିଥିଲେ। ତଥାପି, ସେ ପୂରା ଆରୋଗ୍ୟ ଲାଭ କରିପାରିଲେ ନାହିଁ। ଡାକ୍ତର ଔଷଧ ଦେଇ କିଛି ମାସ ପରେ ପୁଣି ଆସିବାକୁ ପରାମର୍ଶ ଦେଇଥିଲେ। ହେଲେ, ଗାଁକୁ ଆସିବା ବେଳେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଣ୍ଡୁଙ୍କ ଭାଇବୋହୂ ଓ ପୁତୁରା ଗାଳିଗୁଲଜ କରି ଘରକୁ ତଡ଼ି ଦେଲେ। ‘ ଗାଲରେ ଘା’ ହୋଇଛି। ଦୁର୍ଗନ୍ଧ ବାହାରୁଛି। ଘରେ ରହି ହେଉ ନାହିଁ’ ଆଦି ଅଭିଯୋଗ ଆଣି ଗାଲିଗୁଲଜ କଲେ। ଗାଁ ଲୋକଙ୍କ ଦ୍ବାରସ୍ଥ ହେବା ପରେ ବି କିଛି ସମାଧାନର ରାସ୍ତା ବାହାରି ପାରିଲା ନାହିଁ। ଗାଁ ଲୋକେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ।

ସାହାଯ୍ୟ ସହଯୋଗ ପାଇଁ ନିବେଦନ କଲେ ବି କେହି ଟଙ୍କାଟିଏ ସହାଯ୍ୟ କଲେ ନାହିଁ। ବହୁ କଷ୍ଟରେ ଏକ ଅଟୋରିକ୍ସା ଯୋଗାଡ଼କରି ବୁର୍ଲା ଡାକ୍ତରଖାନାକୁ ଗଲେ। ମାତ୍ର, ସେଠାରୁ ବି ତାଙ୍କୁ ଫେରାଇ ଦିଆଗଲା। ଏଭଳି ସ୍ଥିତିରେ କଦଳୀପାଳ ଗାଁଠାରୁ ଅଳ୍ପ ଦୂରରେ ଥିବା ମଶାଣି ସଂଲଗ୍ନ ଆମ୍ବତୋଟା‌ରେ ରହୁଛି। ଆମ୍ବତୋଟାରେ ମଦ ବିକ୍ରି ପାଇଁ ଆଗରୁ ଜଣେ କୁଡ଼ିଆ ତିଆରି କରିଥିଲେ। ସେହି ଭଂଗା କୁଡ଼ିଆରେ ଏବେ ଆଶ୍ରୟ ନେଇଛୁ ବୋଲି ଉଣ୍ଡୁଙ୍କ ଦ୍ବିତୀୟ ପତ୍ନୀ ମମତା ନାଏକ କାନ୍ଦ କାନ୍ଦ ହୋଇ କହିଛନ୍ତି। ଉଣ୍ଡୁ ଏବେ ଚାଲିବୁଲି ପାରୁ ନାହାନ୍ତି। ସେ ଶଯ୍ୟାଶାୟୀ। ହାତରେ ଟଙ୍କା ବି ନାହିଁ। ଖାଇବାକୁ ବି କିଛି ନାହିଁ। ଗତକାଲିଠାରୁ ବଡ଼ ଅସୁବିଧାରେ ଅଛୁ। ଅଟୋରିକ୍ସାଚାଳକଙ୍କୁ ଭଡ଼ା ବି ଦେଇପାରିଲୁ ନାହିଁ। ଅଟୋଚାଳକ ଜଣେ ଭଲ ଲୋକେ। ସେ ଆମକୁ ଅସୁବିଧା ବୁଝିବା ପରେ  ତାଙ୍କ ଫୋନ୍ ନମ୍ବର ଦେଇଯାଇଛନ୍ତି, ଯେବେ ଟଙ୍କା ଯୋଗାଡ଼ ହୋଇଯିବ ଫୋନ୍‌କରି ଡାକିବ ବୋଲି ମମତା କହିଛନ୍ତି। ମରିଯାଇଛି ମାନବିକତା। ନିଜ ରକ୍ତ ସଂପର୍କୀୟ ବି ପର କରିଦେବା ପରେ ଭାଗ୍ୟକୁ ଆଦରି ସେମାନେ ପଡ଼ି ରହିଛନ୍ତି। ପ୍ରଶାସନ ତୁରନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe