ଗଣହତ୍ୟା, ଗଣଆତ୍ମହତ୍ୟା: ବର୍ଷେରେ ୪ ପରିବାର ସଫା

Advertisment

୧୪ଜଣଙ୍କ ଜୀବନ ଯାଇଛି

୧୪ଜଣଙ୍କ ଜୀବନ ଯାଇଛି

ଗଣହତ୍ୟା, ଗଣଆତ୍ମହତ୍ୟା: ବର୍ଷେରେ ୪ ପରିବାର ସଫା

ବରଗଡ଼: ମାତ୍ର ବର୍ଷେ ଭିତରେ ବରଗଡ଼ ଜିଲ୍ଲାରେ ଘଟିଛି ତିନିଟି ଲୋମହର୍ଷଣକାରୀ ଗଣହତ୍ୟା। ଏହାସହିତ ସଦ୍ୟ ସୋହେଲା ବ୍ଲକ୍‌ ମାଷ୍ଟରପଡ଼ାର ଗଣଆତ୍ମହତ୍ୟା। ସିଧା କହିଲେ, ବର୍ଷେ ଭିତରେ ଗଣହତ୍ୟା ଓ ଗଣଆତ୍ମହତ୍ୟା ମାମଲାରେ ୪ଟି ପରିବାର ସମ୍ପୂର୍ଣ୍ଣ ସଫା ହୋଇଯାଇଛି। ମୋଟ ୧୪ ଜଣଙ୍କ ଜୀବନ ଯାଇଛି।

ଏହି ଅବଧିର ପ୍ରଥମ ଘଟଣା ଗତବର୍ଷ ଅକ୍ଟୋବର ୩୦ ତାରିଖ ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଘଟିଥିଲା। ଏହି ଗଣହତ୍ୟାରେ କନ୍ଧପଡ଼ାରେ ରହୁଥିବା ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ବରୀ, ପୁଅ ଅରବିନ୍ଦ ଓ ଝିଅ ଶିବାନୀଙ୍କ ମୃତ୍ୟୁ ଘଟିଥିଲା। ଏଯାଏଁ ଏହି ବଡ଼ ଘଟଣା ଉପରୁ ପୁଲିସ ପରଦା ଉଠାଇ ପାରିନାହିଁ। କେଉଁ କାରଣରୁ ଏହି ନାରକୀୟ କାଣ୍ଡ ଘଟିଲା, ତାହା ପୁଲିସ୍‌ ସ୍ପଷ୍ଟ କରିପାରି ନାହିଁ। ଗତ ଏପ୍ରିଲ ମାସ ୧୮ ତାରିଖ ସେହି ଭେଡ଼େନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ପୁଣି ଏକ ଗଣହତ୍ୟା ହୋଇଥିଲା। ଦୀର୍ଘ ଦିନର ଛାନ୍‌ଭିନ୍‌ ପରେ ପୁଲିସ୍‌ ଅଭିଯୁକ୍ତ ଅନାମ ସାହୁ ଓରଫ୍‌ ବାସୁଦେବକୁ ମାସେ ପରେ ଗିରଫ କରିଥିଲା। ଅନାମ ନିଜ ମାମୁଁ ୭୦ ବର୍ଷୀୟ ଟଙ୍କଧର ସାହୁ, ତାଙ୍କ ଦୁଇ ପତ୍ନୀ ଦ୍ରୌପଦୀ ଓ ମାଧବୀଙ୍କୁ ପିଢ଼ାରେ ପିଟିପିଟି ହତ୍ୟା କରିଥିଲା।

ଏହାପରେ ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁର ଗଣହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଜମିବାଡ଼ି ବିବାଦକୁ ନେଇ ଘଟିଥିଲା ନାରକୀୟ କାଣ୍ଡ। ପୁତୁରାର ପୂରା ପରିବାରକୁ ସଫା କରି ଦେଇ କକା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡରେ ଗୁରୁଦେବ ବାଗ (୫୫), ତାଙ୍କ ପତ୍ନୀ ଶିବାଗ୍ରୀ ବାଗ (୪୮), ପୁଅ ଚୂଡ଼ାମଣି ବାଗ (୧୫) ଓ ଝିଅ ଶ୍ରାବଣୀ ବାଗ (୧୦)ଙ୍କ ଜୀବନ ଗଲା। ହତ୍ୟାକାଣ୍ଡ ଭିଆଇଥିବା ଗୁରୁଦେବଙ୍କ କକା ଶିବ ବାଗ (୫୮) ପୁଲିସ୍‌ ନିକ‌ଟରେ ଆତ୍ମସମର୍ପଣ କରିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ଏବେ ସୋହେଲାର ମାଷ୍ଟରପଡ଼ାରେ ଗଣଆତ୍ମହତ୍ୟା ଚର୍ଚ୍ଚାରେ ରହିଛି। ମାଷ୍ଟରପଡ଼ାର ଅର୍ଜୁନ ସାହୁଙ୍କ ୬ ତାରିଖ ପରଲୋକ ଘଟିଥିଲା। ପରିବାରଲୋକେ ସେହି ଦିନରୁ ମାନସିକ ଅବସାଦରେ ଥିଲେ। ରବିବାର ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା(୨୩) ଏକାସାଂଗରେ ବିଷ ପିଇଥିଲେ। ସେହି ଦିନ ଚିକିତ୍ସାଧୀନ ଅବସ୍ଥାରେ ବଂଶୀଧର ଏବଂ ସୁବର୍ଣ୍ଣାଙ୍କ ପରଲୋକ ଘଟିଥିଲା। ସୋମବାର କୁମୁଦିନୀ ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏହି ଅଭାବନୀୟ ଘଟଣାରେ ସାରା ପରିବାର ଉଜୁଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe