ପର୍ଯ୍ୟାୟ କ୍ରମେ ଜିଲ୍ଲାରୁ ତହସିଲ୍ ପର୍ଯ୍ୟନ୍ତ ଗଣସତ୍ୟାଗ୍ରହ: ଜମାକାରୀ ମିଳିତମଞ୍ଚ

Advertisment
ପର୍ଯ୍ୟାୟ କ୍ରମେ ଜିଲ୍ଲାରୁ ତହସିଲ୍ ପର୍ଯ୍ୟନ୍ତ ଗଣସତ୍ୟାଗ୍ରହ: ଜମାକାରୀ ମିଳିତମଞ୍ଚ

ଭୁବନେଶ୍ୱର  : ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାର ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନାହିଁ। ତହସିଲ ଜରିଆରେ ଯାଞ୍ଚ ସରିଥିବା ଜମାକାରୀଙ୍କୁ ଅବିଳମ୍ବେ ଟଙ୍କା ଫେରସ୍ତ, ବାକି ସମସ୍ତ ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ ଓ ଯାଞ୍ଚ ସହ ଟଙ୍କା ଫେରସ୍ତ, ସାହାରା ଭଳି ଅନ୍ୟାନ୍ୟ ସଂସ୍ଥା ଯେଉଁମାନେ ଜମା ଟଙ୍କା ନେଉଛନ୍ତି ମାତ୍ର ପରିପକ୍ବ ରାଶି ଫେରାଉନାହାନ୍ତି, ସେହି ସମସ୍ତ ଜମାକାରୀଙ୍କୁ ପରିପକ୍ବ ରାଶି ଫେରସ୍ତ ପର୍ଯ୍ୟନ୍ତ ଜମାରାଶି ଆଦାୟ ବନ୍ଦ ରଖିବା ଦାବିରେ ୧୭ ଜାନୁଆରିରୁ ଜିଲ୍ଲା ସ୍ତରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜମାକାରୀମାନଙ୍କ ପକ୍ଷରୁ ସତ୍ୟାଗ୍ରହ ଚାଲିବ। ଜାନୁଆରୀ ୧୭ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ବ୍ୟାନର, ପ୍ଲାକାର୍ଡ ଓ ସ୍ଲୋଗାନ୍ ସହ ଭର୍ଚୁଆଲ୍ ମୋଡ଼ରେ କୋଭିଡ୍‌ ସତର୍କତା ସହ ସତ୍ୟାଗ୍ରହ ଚାଲୁରହିବ ବୋଲି ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ’ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଉପରମୁହଁା ଥିବା ସତ୍ତ୍ବେ ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ଜମାକାରୀଙ୍କ ଗଣସତ୍ୟାଗ୍ରହ ଚାଲିବ ବୋଲି ମଧ୍ୟ ମଞ୍ଚ ଘୋଷଣା କରିଛି।

ସଂକ୍ରମଣ ତଳମୁହାଁ ହେଲା ପରେ ସମୂହ ଜମାକାରୀ ଟଙ୍କା ଫେରସ୍ତ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବେ। ତଦନ୍ତ କମିସନ ୭ଟି ପର୍ଯ୍ୟାୟରେ ଆପାତତଃ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସୁପାରିସ କରିଥିଲେ। ସେଥି ମଧ୍ୟରୁ ସ୍ବଳ୍ପ କେତେକଙ୍କୁ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ କରି ବାକି ଜମାକାରୀଙ୍କୁ ଟଙ୍କା ଫେରାଉ ନାହାନ୍ତି। ୨୦୧୩ ମସିହାରେ ଦାଖଲ ହୋଇଥିବା ବାକି ସତ୍ୟପାଠ ଓ ୨୦୧୮-୧୯ ରେ ନେଇଥିବା ଲକ୍ଷଲକ୍ଷ ଜମାକାରୀଙ୍କ ସତ୍ୟପାଠର ଲଫାପା ଖୋଲିବା ପୂର୍ବରୁ ସରକାର ତଦନ୍ତ କମିସନ ବନ୍ଦ କରିଦେଲେ। କମ୍ପାନିମାନେ ଜମାକାରୀଙ୍କ ଟଙ୍କାକୁ ବିନିଯୋଗ କରି ସୃଷ୍ଟି କରିଥିବା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି, ହଜାର ହଜାର ଏକର ଜମି, କୋଠାବାଡ଼ି, ଗାଡ଼ିଘୋଡା ଓ ଶିଳ୍ପ ଇତ୍ୟାଦିକୁ ସରକାର ଜବତ କରି ସେଥିରୁ କିଛି ସମ୍ପତ୍ତି ବିକ୍ରି କରି ନିଜ ପାଖରେ କୋଟି କୋଟି ଟଙ୍କା ରଖୁଛନ୍ତି। କିନ୍ତୁ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଉ ନାହାନ୍ତି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe