Outlook India
ଯାଜପୁର : ଯାଜପୁର ଜିଲ୍ଲାରୁ ଲୁଟ୍ ହେଉଛି ବ୍ୟାପକ ଲଘୁ ଖଣିଜ। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନିର୍ବାଚନମଣ୍ଡଳୀ ତଥା ବିଂଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀଶଯ୍ୟାରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ବିନା ପରିବେଶ ଅନୁମତିରେ ବହୁ ବାଲିଘାଟ ଚାଲିଛି। ପରିବେଶ ଅନୁମତି ନଥିବା ବାଲିଖାଦାନ ଚଳାଇବା ପାଇଁ କିଏ ଅନୁମତି ଦେଇଛି ବୋଲି ପ୍ରଶ୍ନ ହେଉଛି।
ବିଂଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀର ୭ଟି ବାଲିଘାଟ ଓଳେଇଚନ୍ଦନପୁର, ମନେଇ, କଲ୍ୟାଣପୁର, ଗୌଡ଼ସାହି, ମଲ୍ଲିପୁର, ବାଙ୍କିପାଳ ଓ ଗୁହାଳି ଘାଟ ଲିଜ୍ ଦିଆଯାଇଛି। ଅପରପକ୍ଷରେ ଜରୀ, ସିଂହପୁର, କଣ୍ଟିପୁର, ବଗମରା, ସୟଦପୁର, ମାଁସଡ଼ା, ଚନ୍ଦ୍ରମୁଁ ସମେତ ୧୦ଟି ସ୍ଥାନରେ ବିନା ଲିଜ୍ରେ ବାଲିଖାଦାନ ଚାଲିଛି। ଲିଜ୍ ଦିଆଯାଇଥିବା ଖାଦାନ ମଧ୍ୟରୁ ଅଧିକାଂଶ ଅନୁମତି ଠାରୁ ଢେର ଅଧିକ ଅଞ୍ଚଳରୁ ବାଲି ଚାଲାଣ କରୁଥିଲେ ମଧ୍ୟ ତହସିଲର ନଜର ନାହିଁ।
ସୂଚନା ଅଧିକାର ତଥ୍ୟ ମୁତାବକ ବିଂଝାରପୁର ତହସିଲରେ ୨୦୨୨-୨୩ ଆର୍ଥିକ ବର୍ଷରେ ୫ଟି ବାଲି ଖାଦାନ ଚାଲିଥିଲା। ଗୁହାଳି, ବାଙ୍କିପାଳ, ଫତେପୁର, କଲ୍ୟାଣପୁର, ଓଳେଇଚନ୍ଦନପୁର ମୌଜାରେ ବାଲି ଖାଦାନ ଥିଲା । ଗୁହାଳି ବାଲିଖାଦାନରୁ ୧୩ ଲକ୍ଷ ୯୭ ହଜାର ୭୦୩ ଟଙ୍କା ରାଜସ୍ୱ, ବାଙ୍କିପାଳ ବାଲିଖାଦାନରୁ ୩୫ ଲକ୍ଷ ୨୭ ହଜାର ୪୩୯ ଟଙ୍କା, ଫତେପୁର ବାଲିଖାଦାନରୁ ୧୭ ଲକ୍ଷ ୮୨ ହଜାର ୮୪୧ ଟଙ୍କା, କଲ୍ୟାଣପୁର ବାଲିଘାଟରୁ ୩ ଲକ୍ଷ ୬୮ ହଜାର ୧୫ ଟଙ୍କା, ଓଳେଇଚନ୍ଦନପୁର ବାଲିଖାଦାନରୁ ୩ ଲକ୍ଷ ୪୬ ହଜାର ୯୭୬ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଦର୍ଶାଯାଇଛି। ଏହି ତହସିଲରେ ଗୌଡ଼ସାହି ମୌଜାର ଖାତା ନମ୍ବର-୭୫୩ ଓ ପ୍ଲଟ ନମ୍ବର-୩୪୫୮ ରେ ୧୨.୬୦ ଏକର ପରିମିତ ଅଞ୍ଚଳକୁ ବାଲିଖାଦାନ ଭାବେ ଲିଜ୍ ଦିଆଯାଇ ରାଜସ୍ୱ ଆଦାୟ କରାଯାଇଛି । ତେବେ ସ୍ଥାନ ରାସ୍ତା କିସମ ବୋଲି ଜଣାପଡିଛି। ରାସ୍ତା କିସମ ଅଞ୍ଚଳକୁ ତହସିଲ କେମିତି ଓ କେଉଁ ଆଧାରରେ ବାଲି ଖାଦାନ ଭାବେ ଲିଜ୍ ଦେଲା? ରାସ୍ତା କିସମକୁ ପରିବେଶ ମଞ୍ଜୁରି କେମିତି ମିଳିଲା ବୋଲି ପ୍ରଶ୍ନ ହେଉଛି।
୨୦୨୩-୨୪ ବର୍ଷ ଠାରୁ ରାଜସ୍ବ ବିଭାଗ ପରିବର୍ତ୍ତେ ଖଣି ବିଭାଗକୁ ଲଘୁ ଖଣିଜ ସମ୍ପଦ ଦାୟିତ୍ବ ସରକାର ପ୍ରଦାନ କରିଛନ୍ତି। ଆର୍ଥିକ ବର୍ଷର ପ୍ରଥମ ୩ ମାସ ବିନା କାଗଜପତ୍ରରେ ଖଣିଖାଦାନ କିପରି ଚାଲିଛି ବୋଲି ପ୍ରଶ୍ନ ଉଠୁଛି। ରାଜସ୍ବ ଓ ଖଣି ବିଭାଗ ମଧ୍ୟରେ କାଗଜପତ୍ର ହସ୍ତାନ୍ତର ଆଳରେ ବ୍ୟାପକ ଚୋରାବାଲି ଚାଲାଣ ହେଉଛି। ଏପରିକି ବାଲିଘାଟକୁ ନେଇ ବିଂଝାରପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି। ଗତବର୍ଷ ମାର୍ଚ୍ଚ ୨୪ ତାରିଖରେ ମନେଇ ବାଲିଘାଟରେ ବୋମାମାଡ଼ ହୋଇ ସୁରେନ୍ଦ୍ର ଦାଶଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ବିଂଝାରପୁର ଅଞ୍ଚଳର ରାଜସ୍ବ ଲୁଟ୍ ଓ ଆଇନ ଶୃ୍ଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି।
Follow Us