ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ୫ ଦିନର ଶିଶୁର ଯତ୍ନ ନେବ କିଏ? 

Advertisment
ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ୫ ଦିନର ଶିଶୁର ଯତ୍ନ ନେବ କିଏ? 

Pexels

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ଅବହେଳିତ ହୋଇ ପଡ଼ିଛନ୍ତି ଗର୍ଭବତୀ, ପ୍ରସୂତି ଓ ଶିଶୁ। ପ୍ରଶାସନର ବି ସେମାନଙ୍କ ପ୍ରତି ଦରଦ ନାହିଁ। ସରକାରୀ ଯୋଜନା ବାଟବଣା ହୋଇଛି। ୨ ଦିନ ପୂର୍ବେ ବାଙ୍ଗିରିପୋଷି ବ୍ଲକ୍‌ର ଜଣେ ୮ ମାସର ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ନିଜ ଘର ଭିତରେ ଆଖି ବୁଜିଲେ। ତଦନ୍ତରୁ ଜଣାପଡ଼ିଲା, ଗର୍ଭବତୀଙ୍କ ପାଇଁ ଥିବା ସମସ୍ତ ସରକାରୀ ଯୋଜନାରୁ ସେ ବଞ୍ଚିତ ଥିଲେ। ସେହିପରି ୫ ଦିନ ତଳେ ପିଆର୍‌ଏମ୍‌ ହାସ୍‌ପାତାଳରେ ଚିକିତ୍ସା ଅଭାବରୁ ୩ ଜଣ ପ୍ରସୂତିଙ୍କ ମୃତ୍ୟୁ ଘଟିଥିଲା। ଆଉ ସେହି ମୃତକଙ୍କ ମଧ୍ୟରୁ ଜଣଙ୍କ ୫ ଦିନର ଶିଶୁ ଏବେ କେଉଁଠି ଥଇଥାନ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ‌; ବେତନଟୀ ଥାନା ଅଧୀନ ଲଙ୍ଗଳକଟାର ହରିଶ୍ଚନ୍ଦ୍ର ମହାନ୍ତଙ୍କ ପତ୍ନୀ ବାସନ୍ତୀ ଗତ ୧ ତାରିଖ ଦିନ ବାରିପଦା ପିଆର୍‌ଏମ୍‌ ହାସ୍‌ପାତାଳରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଧାରଣା ‌ଦେଇଥିଲେ। ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ନବଜାତ ଶିଶୁର ଯତ୍ନ ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଭରସା କରି ଶିଶୁକନ୍ୟାକୁ ଧରି ଘରକୁ ଆସିଥିଲେ ହରିଶ୍ଚନ୍ଦ୍ର। ହେଲେ ଏହା ପରଠାରୁ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଦେଖାନାହିଁ। ମା’ ଛେଉଣ୍ଡ ଛୁଆକୁ ଧରି ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉନାହାନ୍ତି ହରିଶ୍ଚନ୍ଦ୍ର। କାରଣ କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣ କରି ତାଙ୍କ ଘରଟିକୁ ଭାଙ୍ଗି ଦେଇଥିଲେ। ଏହା ପରଠାରୁ ହରିଶ୍ଚନ୍ଦ୍ରଙ୍କର ରହିବାର ଠିକଣା ନାହିଁ। ଆଉ ଏବେ ଶିଶୁକନ୍ୟାକୁ କେମିତି ସମ୍ଭାଳିବେ ବୋଲି ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପିଲାଟିର ଦାୟିତ୍ବ ନନେଲେ ଜୋରଦାର୍‌ ଆନ୍ଦୋଳନ କରାଯିବ ବୋଲି ଦାନ୍ତିଆମୁହାଁ ସମିତି ସଭ୍ୟ ସୁକୁଲ ମୁର୍ମୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe