ରାଜ୍ୟରେ ମାତୃ ମୃତ୍ୟୁ ହାର ୧୪ ପଏଣ୍ଟ ହ୍ରାସ, ଦେଶର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୫ ରାଜ୍ୟ ଭିତରେ ଓଡ଼ିଶା

Advertisment

୨୦୦୧/୦୩ରେ ୩୫୮ ପଏଣ୍ଟରୁ ୨୦୧୭/୧୯ରେ ୧୩୬କୁ ଖସିଲା

୨୦୦୧/୦୩ରେ ୩୫୮ ପଏଣ୍ଟରୁ ୨୦୧୭/୧୯ରେ ୧୩୬କୁ ଖସିଲା

ରାଜ୍ୟରେ ମାତୃ ମୃତ୍ୟୁ ହାର ୧୪ ପଏଣ୍ଟ ହ୍ରାସ, ଦେଶର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୫ ରାଜ୍ୟ ଭିତରେ ଓଡ଼ିଶା

jagranjosh.com

ଭୁବନେଶ୍ବର : ମାତୃ ମୃତ୍ୟୁହାର ରୋକିବା ଦିଗରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟିମ୍ ବା ସିଆରଏସ୍‌ ୨୦୧୭/୧୯ରେ ମାତୃ ମୃତ୍ୟୁ ହାର(ଏମ୍‌ଏମ୍‌ଆର)ରେ ୧୪ ପଏଣ୍ଟ ହ୍ରାସ ପାଇଛି। ମାତୃ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ଯେଉଁ ୫ଟି ରାଜ୍ୟ ଭଲ ପ୍ରଦର୍ଶନ କରିଛନ୍ତି ଏଥିରେ ପଞ୍ଚମ ସ୍ଥାନରେ ଓଡ଼ିଶା ରହିଛି। ୨୦୧୬/୧୮ରେ ଏମ୍‌ଏମ୍‌ଆର ୧୫୦ ପଏଣ୍ଟ ଥିବା ବେଳେ ୨୦୧୭/୧୯ରେ ଏହା ୧୩୬କୁ ଖସି ଆସିଛି। ମାତ୍ର ସର୍ବଭାରତୀୟ ସ୍ତରରେ ମାତୃ ମୃତ୍ୟୁହାର ୧୦୩ ଥିବା ବେଳେ ଓଡ଼ିଶାରେ ଏହା ୩୩ ପଏଣ୍ଟ ଅଧିକ ରହିଛି।

୧ଲକ୍ଷ ଶିଶୁଙ୍କ ଜନ୍ମରେ ଯେତିକି ସଂଖ୍ୟକ ମା’ ପ୍ରାଣ ହରାଇଥାନ୍ତି ତାହାକୁ ମାତୃ ମୃତ୍ୟୁ ହାର ‌ଭାବେ ବିଚାର କରାଯାଇଥାଏ। ୨୦୦୧/୦୩ ମସିହାରୁ ରାଜ୍ୟରେ ଲଗାତାର ଭାବେ ମାତୃ ମୃତ୍ୟୁ ହାର ହ୍ରାସ ପାଉଛି। ଏହି ବର୍ଷ ରାଜ୍ୟରେ ମାତୃ ମୃତ୍ୟୁ ହାର ୩୫୮ ଥିବା ବେଳେ ୨୦୨୭/୧୯ରେ ଏହା ୧୩୬କୁ ଖସି ଆସିଛି। ଏହି ସମୟରେ ଦେଶରେ ପ୍ରତି ୧ଲକ୍ଷ ଶିଶୁଙ୍କ ଜନ୍ମରେ ୩୦୧ଜଣ ମା’ ପ୍ରାଣ ହରାଉଥିବା ବେଳେ ଏବେ ତାହା ୧୦୩ ରହିଛି। ତେବେ ମାତୃ ମୃତ୍ୟୁ ହାରରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ବେ ଓଡ଼ିଶା ଦେଶର ୧୯ଟି ବଡ଼ ରାଜ୍ୟ ଭିତରେ ୧୪ ନମ୍ବର ସ୍ଥାନରେ ରହିଛି। ଓଡ଼ିଶା ପଛକୁ ଆସାମରେ ସର୍ବାଧିକ ୨୦୫ ମା’ଙ୍କ ଜୀବନ ଯାଉଥିବା ବେଳେ ଉତ୍ତର ପ୍ରଦେଶରେ ୧୬୭, ଛତିଶଗଡ଼ ୧୬୦, ମଧ୍ୟପ୍ରଦେଶ ୧୬୩, ରାଜସ୍ଥାନ ୧୪୧ ଜଣ ପ୍ରାଣ ହରାଉଛନ୍ତି। ମାତ୍ର ମାତୃ ମୃତ୍ୟୁ ହାର ରୋକିବା ଦିଗରେ ପଶ୍ଚିମବଙ୍ଗର ପ୍ରଦର୍ଶନ ସବୁଠାରୁ ଖରାପ ରହିଛି। ୨୦୧୭/୧୯ରେ ପଶ୍ଚିମ, ହରିୟାନା, ଉତ୍ତରାଖଣ୍ଡ, ଛତିଶଗଡ଼ରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇଛି।

publive-image 11Alive.com

ରାଜ୍ୟରେ ମାତୃ ମୃତ୍ୟୁ ହାର ରୋକିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ସଂପୂର୍ଣ୍ଣା’ ଯୋଜନା ଅନୁଯାୟୀ ଅପହଞ୍ଚ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ସେବା ଯୋଗାଇ ଦିଆଯାଉଛି। ଗର୍ଭ ଧାରଣ ସମୟରେ ୪ଥର ଚେକ୍‌ଅପ୍‌, ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ପାଇଁ ସ୍ବତନ୍ତ୍ରଭାବେ ପରିବହନ ବ୍ୟବସ୍ଥା, ମା’ ଗୃହ, ପ୍ରସବ ଗୃହକୁ ଗୁଣାବତ୍ତାକୁ ବୃଦ୍ଧି, ‌ମା’କୁ ବେବି କିଟ୍‌ ଇତ୍ୟାଦି ପ୍ରଦାନ କରାଯାଉଛି। ଏହାବାଦ୍ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଲକ୍ଷ୍ୟ, ଏଫ୍‌ଆରୟୁ ୟୁନିଟ୍‌, ଭିଏଚ୍‌ଏସ୍‌ଏନ୍‌ଡି, ଏମ୍‌ସିପି କାର୍ଡର ବିତରଣ ଭଳି ଯୋଜନାକୁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ କାର୍ଯ୍ୟକାରୀ କରାଯାଇଛି।

ପରିବାର କଲ୍ୟା‌ଣ ନିର୍ଦେଶକ ଡା.ବିଜୟ ପ‌ାଣିଗ୍ରାହୀ କହିଛନ୍ତି, ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି)ରେ ୨୦୩୦ ସୁଦ୍ଧା ଏମ୍‌ଏମ୍‌ଆରକୁ ୭୦ ପଏଣ୍ଟକୁ ଖସାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ରାଜ୍ୟ ସରକାର ଏହା ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ପ୍ରଚେଷ୍ଟା କରୁଛନ୍ତି। ଗତ ୨ବର୍ଷ ଧରି କୋଭିଡ ସଂକ୍ରମଣ ସତ୍ତ୍ବେ ଓଡ଼ିଶାର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତୃ ମୃତ୍ୟୁ ହାରକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯେଉଁ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହାକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଉଦ୍ୟମ କରାଯିବ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe