ମାଲକାନଗିରି/ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ୍ର ଏକ ଆବାସିକ ସ୍କୁଲ୍ରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାର ତଦନ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଆର୍ଡିସି ବି. ପରମେଶ୍ବରମ୍। ଆର୍ଡିସି ସ୍କୁଲ୍ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ସମସ୍ତ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। କିପରି ଓ କେଉଁ ସ୍ଥିତିରେ ଏପରି ଘଟଣା ଘଟିଲା, ପୀଡ଼ିତା ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ନିୟମିତ ଯାଞ୍ଚ ହେଉଥିଲା କି ନାହିଁ ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି ଆର୍ଡିସି। ପୀଡ଼ିତାଙ୍କୁ ଭେଟି ଅଭିଭାବକଙ୍କ ସହ ମଧ୍ୟ କଥା ହୋଇଥିଲେ ଆର୍ଡିସି। ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ ପରେ ଆର୍ଡିସିଙ୍କ ନେତୃତ୍ବରେ ବସିଥିଲା ରୁଦ୍ଧଦ୍ବାର ବୈଠକ। ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ପିଏ ଆଇଟିଡିଏ ଯୁଗଳ ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ରୁଦ୍ଧଦ୍ବାର ବୈଠକରେ କଣ ଆଲୋଚନା ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ଦେଇନି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ମେଟ୍ରନ୍ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ବହିଷ୍କାର ସହିତ ଏଏନ୍ଏମ୍ କବିତା କୁମାରୀ ପାତ୍ର ଓ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ମାଡ଼କାମୀଙ୍କୁ ନିଲମ୍ବିତ କରିଛି।
ସ୍କୁଲ୍ରେ ପହଞ୍ଚିଲା ବିଜେପି ପ୍ରତିନିଧି ଦଳ
ବିଧାନସଭାରେ ପ୍ରସଙ୍ଗ ଉଠିବ: ବିଧାୟକ
ସେହିପରି ବିଜେପିର ଜିଲ୍ଲା ସଭାପତି ଅଶୋକ ପରିଡ଼ାଙ୍କ ସମେତ ବାଲିମେଳା ଏନ୍ଏସି ଅଧ୍ୟକ୍ଷ ପ୍ରଦୀପ ନାୟକ, ଉପସଭାପତି ସନ୍ତୋଷିନୀ ପାତ୍ର, ସୀମାଞ୍ଚଳ ପ୍ରଧାନ, ମଣ୍ଡଳ ସଭାପତି ଜ୍ୟୋତିରଞ୍ଜନ ବେହେରା ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସବିଶେଷ ବିବରଣୀ ସଂଗ୍ରହ ପରେ ସରକାରଙ୍କୁ ଅବଗତ କରିବେ ବୋଲି ଜିଲ୍ଲା ବିଜେପି ସଭାପତି ଶ୍ରୀ ପରିଡ଼ା କହିଛନ୍ତି। ଶ୍ରୀ ପରିଡ଼ାଙ୍କ କହିବାନୁଯାୟୀ ଜାନୁଆରି ୨୮ରେ ଛାତ୍ରୀ ଜଣକ ଖୋଖୋ ମ୍ୟାଚ୍ ଖେଳି ବିଜୟୀ ହୋଇଛନ୍ତି। ସେ ଗର୍ଭବତୀ ଥିବା ସମ୍ପର୍କରେ ସହପାଠୀମାନେ ଜାଣିଥିଲେ ମଧ୍ୟ କାହାକୁ ନ କହିବା ପାଇଁ ପୀଡ଼ିତା ଛାତ୍ରୀ ସହପାଠୀଙ୍କୁ ତାଗିଦ୍ କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନଜରରୁ ବର୍ତ୍ତିବା ପାଇଁ ସବୁବେଳେ ଢିଲା ସ୍ବିଟର୍ ଏବଂ ସାଲ୍ ଘୋଡାଇ ହୋଇ ରହୁଥିବା ତଦନ୍ତରୁ ଜଣାପଡ଼ିଥିବା ଶ୍ରୀ ପରିଡ଼ା କହିଛନ୍ତି। ତେବେ ପୀଡ଼ିତା ଛାତ୍ରୀ ୮ ମାସ ଧରି ଗର୍ଭବତୀ ଥିଲେ ମଧ୍ୟ କିପରି ଏଏନ୍ଏମ୍ ଜାଣି ପାରିଲେନି ବୋଲି ବିଜେପି ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି। ଏପଟେ ଆଦିବାସୀ ଛାତ୍ରୀଙ୍କୁ ପ୍ରଶାସନର ଅଣଦେଖାକୁ ନେଇ ବିଧାନସଭାରେ ପ୍ରଶ୍ନ କରିବେ ବୋଲି କହିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ।
Follow Us