ସମ୍ବଲପୁରରେ ‘ସମ୍ବାଦ’ ମାଟ୍ରିକ ଚାମ୍ପ୍‌-୨୦୧୯ : ପ୍ରତିଭାବାନ ସହ ଭଲ ମଣିଷ ହେବାକୁ ଆହ୍ବାନ

Advertisment

ପଦ ପ୍ରତି ନୁହେଁ, କାର୍ଯ୍ୟ ପ୍ରତି ସମର୍ପିତ ହୁଅ, ସଂକୀର୍ଣ୍ଣ ବିଚାରଧାରାରୁ ବର୍ତ୍ତିବାକୁ ଗଭୀର ଅଧ୍ୟୟନ ଜରୁରୀ

ପଦ ପ୍ରତି ନୁହେଁ, କାର୍ଯ୍ୟ ପ୍ରତି ସମର୍ପିତ ହୁଅ, ସଂକୀର୍ଣ୍ଣ ବିଚାରଧାରାରୁ ବର୍ତ୍ତିବାକୁ ଗଭୀର ଅଧ୍ୟୟନ ଜରୁରୀ

ସମ୍ବଲପୁରରେ ‘ସମ୍ବାଦ’ ମାଟ୍ରିକ ଚାମ୍ପ୍‌-୨୦୧୯ : ପ୍ରତିଭାବାନ ସହ ଭଲ ମଣିଷ ହେବାକୁ ଆହ୍ବାନ

ସମ୍ବଲପୁର : ବର୍ତ୍ତମାନର ମେଧାବୀ ଛାତ୍ରଛାତ୍ରୀମାନେ ହାତଗଣତି ପେସାର ମୋହରେ ପଡ଼ୁଛନ୍ତି। କିନ୍ତୁ କୌଣସି ପେସା ଛୋଟ ବା ବଡ଼ ନୁହେଁ। ସେହି ପେସାରେ ଶ୍ରେଷ୍ଠତା ଅର୍ଜନ କରିବା ହିଁ ସବୁଠୁ ବଡ଼ କଥା। ତେଣୁ ଛାତ୍ରଛାତ୍ରୀମାନେ ପଦ ପଛରେ ନ ଧାଇଁ କାର୍ଯ୍ୟ ଓ ଜ୍ଞାନ ପ୍ରତି ସମର୍ପିତ ହେବା ଉଚିତ ବୋଲି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଅଟଳ ଚୌଧୁରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରବିବାର ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ଏ୧ ଛାତ୍ରଛାତ୍ରୀଙ୍କ ସମ୍ବର୍ଧନା କାର୍ଯ୍ୟକ୍ରମ ‘ମାଟ୍ରିକ୍ ଚାମ୍ପ ୨୦୧୯’ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ର. ଚୌଧୁରୀ କହିଛନ୍ତି, ବର୍ତ୍ତମାନ ଶିକ୍ଷାର ଢାଞ୍ଚାରେ ଅନେକ ପରିବର୍ତ୍ତନ ଆସିଛି। ଆଦୌ ପାଠ ପଢ଼ି ନଥିବା ବ୍ୟକ୍ତି ବି ନିଜ ବ୍ୟବହାରିକ ଜ୍ଞାନ ଓ ଅଭିଜ୍ଞତା ବଳରେ ସେହି ବିଷୟର ଡିଗ୍ରିଧାରୀଙ୍କୁ ଆଚମ୍ବିତ କରି ‌ପାରୁଛନ୍ତି। ତେଣୁ ପୁସ୍ତକ ଜ୍ଞାନ ସହିତ ବ୍ୟବହାରିକ ଜ୍ଞାନ ରହିବା ଜରୁରୀ।

କ‌ାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଉତ୍ତରାଞ୍ଚଳ ପୁଲିସ୍‌ ଡିଆଇଜି ସତ୍ୟବ୍ରତ ‌ଭୋଇ କହିଲେ, ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କୁ ତୀବ୍ର ପ୍ରତିଯୋଗିତା ମଧ୍ୟରେ ନିଜ କ୍ୟାରିୟର ଗଢ଼ିବାକୁ ପଡ଼ୁଛି। ସେଥି ପାଇଁ ଆଗୁଆ ଯୋଜନା କରି ସେହି ଅନୁଯାୟୀ ପାଠ ପଢ଼ିବାକୁ ହେଉଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର କିଛି କିଛି ଶକ୍ତି ଓ ଦୁର୍ବଳତା ରହିଛି। ସମସ୍ତେ ନିଜ ଶକ୍ତି ବା ପ୍ରତିଭାକୁ ଚିହ୍ନି ପାରିପାର୍ଶ୍ବିକ ସୁଯୋଗର ସଦୁପଯୋଗ କରି ଆଗକୁ ବଢ଼ିଲେ ଜୀବନରେ ସଫଳତା ନିଶ୍ଚିତ ମିଳିବ। ତେବେ ସଫଳ ହେବା ସହ ନିଜକୁ ଭଲ ମଣିଷ କରି ଗଢ଼ି ତୋଳିବାକୁ ବି ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ଭୋଇ ପରାମର୍ଶ ଦେଇଛନ୍ତି।

ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ଭବାନୀ ଶଂକର ହୋତା କହିଲେ, ବର୍ତ୍ତମାନ ସରକାରୀ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଦୋହଲି ଯାଇଛି। ସରକାରୀ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ପାଇଁ ସରକାର ଓ ଆମେ ସମସ୍ତେ ଦାୟୀ ବୋଲି ଶ୍ରୀ ହୋତା କହିଥିଲେ।

ସଭାରେ ସଭାପତିତ୍ବ କରିଥିଲେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ। ସେ କହିଥିଲେ, ସାଂପ୍ରତିକ ସମୟରେ କାରିଗରୀ କୌଶଳ ଓ ବିଚାରଧାରାରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଜ୍ଞାନ ପ୍ରାପ୍ତି ସହଜ ହୋଇଛି କିନ୍ତୁ, ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ତଥ୍ୟ ବି ପ୍ରସାରିତ ହେଉଛି। ଏହାକୁ ଅନ୍ଧ ଭାବରେ ଗ୍ରହଣ ନକରି ସମସ୍ତେ ଗଭୀର ଜ୍ଞାନ ଆହରଣରେ ବ୍ରତୀ ହେବା ଉଚିତ। ବିଶ୍ବର ବିଭିନ୍ନ ଭାଷା ଏବେ ସଂକଟରେ ଥିବାବେଳେ ନିଜ ମାତୃଭାଷା ସମ୍ବଲପୁରୀ-କୋଶଲି ଓ ଓଡ଼ିଆକୁ ବଞ୍ଚାଇ ରଖିବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣ ଉପ ମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ସ୍ବାଗତ ସମ୍ଭାଷଣ ରଖିଥିଲାବେଳେ ବରିଷ୍ଠ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଅତିଥି ପରିଚୟ ଦେଇଥିଲେ। ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ହୋଇ ପାରିଥିବାରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ପିଲାଙ୍କ ଭବିଷ୍ୟତ ଗଠନ ନେଇ ଉପାଦେୟ ପରାମର୍ଶ ଦେଇଥିଲେ।

ରବିବାର ଅନୁଷ୍ଠିତ ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ୮୧ ଜଣ ଏ୧ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସଂପୃକ୍ତ ଛାତ୍ରଛାତ୍ରୀଙ୍କ ୪୧ଟି ହାଇସ୍କୁଲର ଶିକ୍ଷକଙ୍କୁ ବି ସମ୍ବର୍ଧିତ କରା ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ‘ସମ୍ବାଦ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସୋନପୁର ଜିଲ୍ଲା ପ୍ରତିନିଧି ରତନ ପଟ୍ଟନାୟକ, ବରଗଡ଼ ଜିଲ୍ଲା ପ୍ରତିନିଧି ଅଂଜନ ପ୍ରଧାନ, ବୌଦ୍ଧ ଜିଲ୍ଲା ପ୍ରତିନିଧି ସନ୍ତୋଷ ସିଂହଦେଓଙ୍କ ସମେତ ‘ସମ୍ବାଦ’ ଓ ‘କନକ ଟିଭି’ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଜିଲ୍ଲା ପ୍ରତିନିଧି ଜ୍ଞାନରଂଜନ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe