ଜୟପୁରରେ ମାଟ୍ରିକ୍ ଚାମ୍ପିଅନ୍ସ ସମ୍ବର୍ଦ୍ଧନା ସମାରୋହ: ‘ବ୍ୟକ୍ତିତ୍ବ ହେଉ ବିଦ୍ୟାର୍ଥୀଙ୍କ ପରିଚୟ’

Advertisment

ପରୀକ୍ଷାରେ ରଖିଥିବା ନମ୍ବର ସଫଳତାର ପରିଚୟ ନୁହେଁ। ସୁନ୍ଦର ବ୍ୟବହାର ସହ ଜୀବନରେ ଭଲ ମଣିଷଟିଏ ହୋଇ ସାମାଜିକ ଦାୟିତ୍ବ ଓ କର୍ତ୍ତବ୍ୟ ବିଦ୍ୟାର୍ଥୀମାନଙ୍କର ପରିଚୟ ହେଉ। ଶନିବାର ଜୟପୁର କେସିସି ବ୍ୟାଙ୍କ ସମ୍ମିଳନୀ...

ପରୀକ୍ଷାରେ ରଖିଥିବା ନମ୍ବର ସଫଳତାର ପରିଚୟ ନୁହେଁ। ସୁନ୍ଦର ବ୍ୟବହାର ସହ ଜୀବନରେ ଭଲ ମଣିଷଟିଏ ହୋଇ ସାମାଜିକ ଦାୟିତ୍ବ ଓ କର୍ତ୍ତବ୍ୟ ବିଦ୍ୟାର୍ଥୀମାନଙ୍କର ପରିଚୟ ହେଉ। ଶନିବାର ଜୟପୁର କେସିସି ବ୍ୟାଙ୍କ ସମ୍ମିଳନୀ...

sdsdcxccx

ଜୟପୁର: ପରୀକ୍ଷାରେ ରଖିଥିବା ନମ୍ବର ସଫଳତାର ପରିଚୟ ନୁହେଁ। ସୁନ୍ଦର ବ୍ୟବହାର ସହ ଜୀବନରେ ଭଲ ମଣିଷଟିଏ ହୋଇ ସାମାଜିକ ଦାୟିତ୍ବ ଓ କର୍ତ୍ତବ୍ୟ ବିଦ୍ୟାର୍ଥୀମାନଙ୍କର ପରିଚୟ ହେଉ। ଶନିବାର ଜୟପୁର କେସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ‘ସମ୍ବାଦ’ ମାଟ୍ରିକ୍ ଚାମ୍ପିଅନ୍ସ-୨୦୨୫ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀମତୀ ପଟ୍ଟନାୟକ କହିଥିଲେ, ସଫଳତା ସହ ବିଫଳତାକୁ ସାମନା କରିବା ପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ। ଜୀବନରେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ବିଫଳତା ପରେ ଲକ୍ଷ୍ୟପଥରୁ ଦୂରେଇ ନ ଯାଇ ଏହାକୁ ନୂତନ ସୁଯୋଗ ଭାବି ଉଦ୍ୟମ କରନ୍ତୁ। କୌଣସି ପରୀକ୍ଷା କେବେ ବି ଶେଷ ପରୀକ୍ଷା ନୁହେଁ। ସୁଯୋଗ ପୁଣି ଥରେ ଆସିବ। ଯୁବପିଢ଼ିଙ୍କ ପାଇଁ ବର୍ତ୍ତମାନ ମୋବାଇଲ ବିଷ ସଦୃଶ୍ୟ ହୋଇଛି। ମୋବାଇଲରେ ‌ରିଲ୍‌ସ ନ ଦେଖି ଏହାର ସଦୁପଯୋଗ କର। ଏଥିପ୍ରତି ଯତ୍ନବାନ ନ ହେଲେ ମୂଲ୍ୟବାନ ସମୟ ଆଉ କେବେ ଫେରିବ ନାହିଁ। ପିଲାଙ୍କ ମୋବାଇଲ୍ ବ୍ୟବହାର ଉପରେ ବାପାମାଆ ମଧ୍ୟ ଧ୍ୟାନ ରଖନ୍ତୁ। ବୃତ୍ତିକୁ ନେଇ ଏବେ ଅନେକ ବିକଳ୍ପ ଥିବାରୁ ପିଲାଙ୍କ ଉପରେ ଅଭିଭାବକ ବିଶ୍ବାସ ରଖନ୍ତୁ।  ଅଧିକ ଚାପରେ ଛାତ୍ରଛାତ୍ରୀ ରହୁଥିବାରୁ ସେମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବାର ସମୟ ଆସିଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରେ ପରିବେଶ ଯୋଦ୍ଧା ତିଆରି କଲେ ଆମେ ଜଳବାୟୁ ପରିବର୍ତ୍ତନକୁ ରୋକି ପାରିବା ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ। 

ବିଫଳତା ସୁଯୋଗ ପାଇଁ ବାଟ କଢ଼ାଇ ନିଏ: ତନୟା
ପାଠକୁ ବଳି ଯାଉଛି ବାପାମାଆଙ୍କ ଚାପ: ରବୀନ୍ଦ୍ର
ବୃତ୍ତିଗତ ସଫଳତା ପାଇଁ ନିରନ୍ତର ପରିଶ୍ରମ କର: ଈଶ୍ବର

ମୁଖ୍ୟଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରବୀନ୍ଦ୍ରନାଥ ପଟ୍ଟନାୟକ କହିଥିଲେ, ପିଲାଙ୍କୁ ଇଞ୍ଜିନିୟର, ଡାକ୍ତର କରିବା ନିଶାରେ ସେମାନଙ୍କ ଇଚ୍ଛାକୁ ବାପାମାଆ ଗୁରୁତ୍ବ ଦେଉନାହାନ୍ତି। ପାଠକୁ ଅଭିଭାବକଙ୍କ ଚାପ ବଳି ଯାଉଛି। ଯାହା ବେଳେବେଳେ ଅଘଟଣର କାରଣ ସାଜୁଛି। ଇଂରାଜୀ କହିପାରୁଥିବା ଏବଂ ବଡ଼ ଚାକିରି କରୁଥିବା ଲୋକ ହିଁ ସଫଳ ବୋଲି ଭ୍ରାନ୍ତ ଧାରଣା ରହିଛି। ଅଭିଭାବକଙ୍କ ମାନସିକତାରେ ପରିବର୍ତ୍ତନ ସହିତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନକୁ ଅଧିକ ଗୁରୁତ୍ବ ଦିଅନ୍ତୁ। ବ୍ୟବସାୟ, ବାଣିଜ୍ୟକୁ ନେଇ ଭାରତ ପ୍ରଭାବଶାଳୀ ରାଷ୍ଟ୍ର ହୋଇପାରିବ ନାହିଁ। ଜ୍ଞାନର ପୀଠ ଭାରତ। ନୈତିକ ଶିକ୍ଷାର ବିକାଶ ହେଲେ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ସଫଳତାର ଶୀର୍ଷ ଛୁଇଁବ। ସୂଚନା ଓ ତଥ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପଦ ହୋଇଥିବାରୁ ଜ୍ଞାନ ବୃଦ୍ଧି ପାଇଁ ପତ୍ରିକା କିଣି ପଢ଼ିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା କେସିସି ବ୍ୟାଙ୍କ ସଭାପତି ଇଂ. ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ କହିଲେ, ବୃତ୍ତିଗତ ଜୀବନରେ ସଫଳତା ହାସଲ ପାଇଁ ନିରନ୍ତର ପରିଶ୍ରମ ଆବଶ୍ୟକ। ବର୍ତ୍ତମାନ ଓଡ଼ିଆ ଛାତ୍ରଙ୍କ ଚାହିଦା ସାରା ଦେଶରେ ରହିଛି। ପ୍ରତି ବର୍ଷ ଓଡ଼ିଶାରୁ ଉତ୍ତୀର୍ଣ୍ଣ ହେଉଥିବା ଓଡ଼ିଆ ଡାକ୍ତର ରାଜ୍ୟ ବାହାରେ କାର୍ଯ୍ୟ କରିବାର ସୁଯୋଗ ପାଉଛନ୍ତି। ୫ଲକ୍ଷରୁ ଊର୍ଦ୍ଧ୍ବ ଓଡ଼ିଆ ଇଞ୍ଜିନିୟର ବେଙ୍ଗାଲୁର ସମେତ ଅନ୍ୟ ରାଜ୍ୟରେ ନିୟୋଜିତ ଅଛନ୍ତି। କୃଷି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ କୃଷି ଶିଳ୍ପରେ ସ୍ବାବଲମ୍ବୀ ହେବାକୁ ପ୍ରୟାସ ନ କରି ଚାକିରି ପଛରେ ଗୋଡ଼ାଉଛନ୍ତି। ଅନ୍ୟପକ୍ଷରେ ଆଇଆଇଟି ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଫାର୍ମ ହାଉସ କରି ‌ମାସକୁ ୭ରୁ ୮ ଲକ୍ଷ ରୋଜଗାର କରୁଛନ୍ତି। ସମସ୍ତ ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିବାର ସୁଯୋଗ ନଥିବାରୁ ମେଧାବୀ ଛାତ୍ରଛାତ୍ରୀ ଉଦ୍ୟୋଗୀ ହୋଇ ସ୍ବାବଲମ୍ବୀ ହେବା ଉଚିତ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।
ଏହି ଅବସରରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ୮୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ୯୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ସ୍ବାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ସମାରୋହକୁ ବିଜ୍ଞାପନ ବିଭାଗ ପ୍ରବନ୍ଧକ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe