ଅନ୍‌ଲାଇନ୍‌ରେ ମାଟ୍ରିକ୍‌ ପରୀକ୍ଷା ସୂଚନା

ଅନ୍‌ଲାଇନ୍‌ରେ ମାଟ୍ରିକ୍‌ ପରୀକ୍ଷା ସୂଚନା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଫେବ୍ରୁଆରି ୨୩ରୁ ମାର୍ଚ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଟ୍ରିକ ପରୀକ୍ଷା-୨୦୧୮ ସଂପର୍କିତ ସମସ୍ତ ସୂଚନା ବୋର୍ଡର ନିଜସ୍ୱ ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଜାରି କରାଯାଇଛି। ରାଜ୍ୟର ସମସ୍ତ ହାଇସ୍କୁଲଗୁଡିକ ନିଜର ୟୁଜର ଆଇଡି-ସ୍କୁଲ୍‌ କୋଡ୍‌ ଓ ପାସ୍‌ ଓ୍ଵାର୍ଡ (ଶେଷଥର ବ୍ୟବହାର ହୋଇଥିବା) ଲଗ୍‌ ଇନ୍‌ କରି ନିଜସ୍ୱ ସ୍କୁଲ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିପାରିବେ। ଏହି ଓ୍ଵବ୍‌ସାଇଟ୍‌ରେ ମାଟ୍ରିକ୍‌ ପରୀକ୍ଷା, ରାଜ୍ୟମୁକ୍ତ ବିଦ୍ୟାଳୟ, ମାଧ୍ୟମା ପରୀକ୍ଷା ସଂକ୍ରାନ୍ତୀର ସମସ୍ତ ତଥ୍ୟ ଉପଲବ୍ଧ ରହିଛି।

ଓ୍ଵବ୍‌ସାଇଟ୍‌ରୁ ସଂପୃକ୍ତ ସ୍କୁଲ ପରୀକ୍ଷା କେନ୍ଦ୍ର ହୋଇଛି କି ନାହିଁ, ଯଦି ହୋଇଛି ତେବେ କେଉଁ କେଉଁ ବିଦ୍ୟାଳୟରେ କେତେ ଜଣ ପରୀକ୍ଷାର୍ଥୀ ସଂପୃକ୍ତ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି, ଏହା ନୋଡାଲ ସେଣ୍ଟର କି ନୁହେଁ, ଭୋକେସ୍‌ନାଲ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି କି ନାହିଁ ଆଦି ସମସ୍ତ ତଥ୍ୟ ଏଥିରେ ପ୍ରଦାନ କରାଯାଇଛି। ଯଦି ପ୍ରାକ୍‌ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି ତେବେ ଓ୍ଵବ୍‌ସାଇଟ୍‌ରେ ସଂପୃକ୍ତ ବିଦ୍ୟାଳୟକୁ ପରୀକ୍ଷା ସୂଚନା, ମାର୍କ ଫଏଲ୍‌, ଉପସ୍ଥାନ ଚିଠା, ଏକ୍ସ୍‌ଟରନାଲ୍‌ ପରୀକ୍ଷକଙ୍କ ତାଲିକା ଆଦି ପ୍ରଦାନ କରାଯାଇଛି। ଏହି େଓ୍ଵବ୍‌ସାଇଟ୍‌ରେ ପତ୍ରବିନିମୟ ପରୀକ୍ଷାର୍ଥୀମାନେ ନିଜ ନାମ ଓ ବାପାଙ୍କ ନାମ ଲଗ୍‌ଇନ୍‌ କରି ନିଜର ୟୁଆଇଏନ୍‌ ନଂ(ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର) ସହିତ ସେଣ୍ଟର ନାମ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା (ରେଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ) ପାଇଁ ମୋଟ ୫ଲକ୍ଷ ୯୦ ହଜାର ୩୩୦ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୨୮୧୮ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ୩୦୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଛି। ମଧ୍ୟମା ପରୀକ୍ଷା (ଭଉୟ ରେଗୁଲାର ଓ ଏକ୍ସରେଗୁଲାର) ପାଇଁ ୩୨୮୪ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ପାଇଁ ୪୬ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ୧୩ହଜାର ୯୭୮ଜଣ ପରୀକ୍ଷାର୍ଥୀ ଓ ୧୦୧ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe