ପୁରୀ/ବ୍ରହ୍ମଗିରି/ମାଲକାନଗିରି/ପଡ଼ିଆ : ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍। କିଛି ଘଟଣାକୁ ସତ ବୋଲି ସ୍ବୀକାର କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ କିଛି ଅଭିଯୋଗକୁ ବୋର୍ଡ କର୍ତ୍ତୃପକ୍ଷ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ତେବେ, ପରୀକ୍ଷା ଯେତେ ଆଗକୁ ବଢ଼ୁଛି, ବିବାଦ ସେତିକି ସେତିକି ପିଛା ଧରୁଥିବା ଦେଖିବାକୁ ମିଳିଛି। ଏହି ବିବାଦକୁ ଆହୁରି ବଳ ଦେଇଛି ଉତ୍ତର ଖାତା ଅଦଳବଦଳ ଓ ଗାଏବ ଘଟଣା। ଆଜି ପୁରୀରେ ଉତ୍ତର ଖାତା ଅଦଳବଦଳ ହୋଇଥିବାବେଳେ ମାଲକାନଗିରିରୁ ଗଣିତ ଉତ୍ତର ଖାତା ଗାଏବ ହୋଇଯାଇଥିବା ଅଭିଯୋଗ ଅାସିଛି। ଏହି ଘଟଣା ପରେ ପୁଣିଥରେ ମାଟ୍ରିକ୍ ବିଭ୍ରାଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଅଭିଯୋଗ ଅନୁସାରେ, ପୁରୀରେ ୧୫ରୁ ଅଧିକ ସିଲ୍ ପ୍ୟାକେଟ୍କୁ ଖୋଲି ଉତ୍ତରଖାତା ଏପଟସେପଟ କରାଯାଇଛି। ଗତ ୨୨ ତାରିଖରେ ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ଛାତ୍ରଛାତ୍ରୀମାନେ ସାହିତ୍ୟ ପରୀକ୍ଷା ଦେଇଥିଲେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର କରାଯାଇଥିଲା। ନିୟମ ଅନୁଯାୟୀ, ପରୀକ୍ଷା ଶେଷ ହେବା ପରେ ପ୍ରତି ପରୀକ୍ଷା କେନ୍ଦ୍ର ଖାତା ସବୁ ସ୍ବତନ୍ତ୍ର ପ୍ୟାକେଟ୍ରେ ସିଲ୍ ହୋଇ ନୋଡାଲ୍ ସେଣ୍ଟରକୁ ଆସିବ। ସେହି ଅନୁସାରେ ଗତ ୨୨ ତାରିଖରେ ପରୀକ୍ଷା ଶେଷ ହେବା ପରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର (କୋଡ୍ ନଂ-୧୫୦ବିଏ)ରୁ ପ୍ରଶ୍ନପତ୍ର ସିଲ୍ ହୋଇ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟକୁ ଆସିଥିଲା। ପରେ କ’ଣ ହେଲା କେଜାଣି ଏହି ସିଲ୍ ପ୍ୟାକେଟ୍କୁ ଖୋଲି ଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାର ଫଟୋଚିତ୍ର ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ରେବଣା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି, ସିଲ୍ ପ୍ୟାକେଟ୍ ଖୋଲାଯିବା ପଛରେ ନିଶ୍ଚିତ ମନ୍ଦ ଉଦ୍ଦେଶ୍ୟ ରହିଛି। ଉତ୍ତରଖାତା ଅଦଳବଦଳ ପାଇଁ ଏପରି କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେବେ, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ହୃଷିକେଶ କାଣ୍ଡି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
/sambad/media/post_attachments/wp-content/uploads/2019/03/Mkg-Math-answer-sheet-stolen-2-1-300x176.jpg)
ଅନ୍ୟପକ୍ଷରେ, ମାଲକାନଗିରି ଜିଲ୍ଲା ପଡ଼ିଆ ଆଶ୍ରମ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରୁ ୧୦୮ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଗାଏବ ହୋଇଯାଇଛି। ଗତକାଲି ଥିଲା ଗଣିତ ପରୀକ୍ଷା। ମାଲକାନଗିରି ଜିଲ୍ଲା ପଡ଼ିଆସ୍ଥିତ ଆଶ୍ରମ ବିଦ୍ୟାଳୟ କେନ୍ଦ୍ରରେ ପରସନପାଲ୍ଲୀ ଉନ୍ନୀତ ହାଇସ୍କୁଲ, କାଲଦାପାଲ୍ଲୀ ଉନ୍ନୀତ ହାଇସ୍କୁଲ, ଗଠନପାଲ୍ଲୀ ନବୀନ ଚନ୍ଦ୍ର ମାଡକାମୀ ଉଚ୍ଚ ବିଦ୍ୟାଳୟ ଏବଂ ପଡ଼ିଆ ସ୍ଥିତ ଆଶ୍ରମ ବିଦ୍ୟାଳୟର ୧୦୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ୧୦ଟାରେ ଆରମ୍ଭ ହୋଇଥିବାବେଳେ ୧୧ଟା ୧୫ରେ ଅବଜେକ୍ଟିଭ୍ ପରୀକ୍ଷା ଶେଷ ହୋଇଥିଲା। ଏହାପରେ ସବଜେକ୍ଟିଭ୍ ପରୀକ୍ଷା ଆରମ୍ଭ ହୋଇଥିଲା। ଉଭୟ ପରୀକ୍ଷାର ଉତ୍ତର ଖାତା ସଂଗ୍ରହ ହେବାପରେ ଗୋଟିଏ ପ୍ୟାକେଟ କରି ସିଲ୍ କରାଯିବା କଥା। ତେଣୁ ଅବଜେକ୍ଟିଭ୍ ପରୀକ୍ଷାର ଓଏମଆର ସିଟ୍ କେନ୍ଦ୍ର ଅଧୀକ୍ଷକଙ୍କ ନିକଟକୁ ଆସିଥିଲା। ସେ ତାହାକୁ ଗଣତି ପରେ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ବାଇଁଙ୍କୁ ରଖିବାକୁ ଦେଇଥିଲେ। ତେବେ ଉପଅଧୀକ୍ଷକ ଉତ୍ତରଖାତାକୁ ସୁରକ୍ଷିତ ସ୍ଥାନରେ ରଖିବା ପରିବର୍ତେ ନିଜ ଟେବୁଲରେ ଛାଡ଼ି କୌଣସି କାମରେ କିଛି ସମୟ ପାଇଁ କଠୋରୀ ବାହାରକୁ ଯାଇଥିଲେ। ଫେରିବା ବେଳକୁ ସେଠାରେ ଆଉ ଉତ୍ତର ଖାତା ନଥିଲା। କିଛି ମିନିଟ ମଧ୍ୟରେ ଉତ୍ତର ଖାତା ଗୁଡ଼ିକ ଗାଏବ ହୋଇଯାଇଥିବା ବେଳେ ପରୀକ୍ଷା ଦାୟିତ୍ବରେ ଥିବା ଅନ୍ୟ ଶିକ୍ଷକ ଏବଂ କେନ୍ଦ୍ରର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକୁ ଏନେଇ ଅବଗତ କରାଯାଇଥିଲା। ବହୁ ସମୟ ଧରି ଖୋଜାଖୋଜି ଉତ୍ତର ଖାତା ନମିଳିବାରୁ ଗତକାଲି ଅପରାହ୍ନରେ ପଡ଼ିଆ ଥାନାରେ ଏତଲା ଦିଆଯାଇଥିଲା।
ଲିସ ମାମଲା ରୁଜୁ କରିବା ପରେ ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି। କେଉଁ ପରିସ୍ଥିତିରେ ଉତ୍ତର ଖାତା ଗାଏବ ହେଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଶିକ୍ଷକଙ୍କ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏପରି ହୋଇଥିବା କୁହାଯାଉଛି। ତେବେ ପୁଲିସର ତଦନ୍ତ ପରେ ହିଁ ଘଟଣା ପଛର ପଦାକୁ ଆସିବ ବୋଲି କୁହାଯାଉଛି।
Follow Us