ଯାଜପୁରସଦର/ବରୀ: ଚିତ୍ରକୋଣ୍ଡା ସରକାରୀ ଆବାସିକ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଲୋକଙ୍କ ମନରୁ ନ ଲିଭୁଣୁ ଯାଜପୁର ବରୀରେ ମାଟ୍ରିକ୍ ପରୀକ୍ଷା ଦେଉଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମାତୃତ୍ବ ଘଟଣା ସମସ୍ତଙ୍କୁ ହତବାକ୍ କରିଛି। ଛାତ୍ରୀଜଣଙ୍କ ମାଟ୍ରିକ ପରୀକ୍ଷାର ଦୁଇଟି ବିଷୟରେ ପରୀକ୍ଷା ଦେଇ ସାରିଥିଲେ। ଆଜି ତୃତୀୟ ଦିବସ ଗଣିତ ପରୀକ୍ଷା ପୂର୍ବରୁ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେବା ପରେ ଉଭୟ ମା’ ଓ ଗୁରୁତର ନବଜାତ ଶିଶୁକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବରୀ ପୁଲିସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
କୁମାରୀ ମାତୃତ୍ବର ଅପବାଦ ମୁଣ୍ଡେଇଥିବା ଏହି ଛାତ୍ରୀଜଣକ ବରୀ ଅଞ୍ଚଳର ଏକ ହାଇସ୍କୁଲରେ ପଢ଼ୁଛନ୍ତି। ଆଜି ସେ ଗଣିତ ପରୀକ୍ଷା ଦେଇଥା’ନ୍ତେ। ଗତକାଲି ରାତିରେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନାବାଳିକାଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ପ୍ରସବ ଯନ୍ତ୍ରଣା ବୋଲି ପରିବାର ଲୋକଙ୍କୁ ଡାକ୍ତର କହିବାର କିଛି ସମୟ ପରେ ସେଠାରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା।
ଦେଇପାରିଲେନି ଗଣିତ ପରୀକ୍ଷା, ଜନ୍ମଦେଲେ କନ୍ୟା ସନ୍ତାନ
ଶିଶୁ ସୁରକ୍ଷା ବିଭାଗ ଓ ପୁଲିସ ପକ୍ଷରୁ ତନାଘନା
ଅଭିଯୁକ୍ତ ଅଟକ, କଠୋର କାର୍ଯ୍ୟାନୁଷ୍ଠାନ ଦାବି
ଅନ୍ୟପଟେ ଏହି ଘଟଣା ଜଣାପଡ଼ିବା ପରେ ଛାତ୍ରୀ ପଢ଼ୁଥିବା ହାଇସ୍କୁଲରେ ବରୀ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ଯାଜପୁର ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶିଶୁ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ବରୀ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବରୀ ପୁଲିସ ଏହି ଘଟଣାରେ ନିକଟବର୍ତ୍ତୀ ଗ୍ରାମର ଜଣେ ଡ୍ରାଇଭର (ଅଭିଯୁକ୍ତ) କାହ୍ନୁ ଜେନା (୨୪)କୁ ଅଟକ ରଖି ପଚରାଉଚରା କରୁଛନ୍ତି। ନାବାଳିକା ଛାତ୍ରୀଙ୍କ ସହିତ ଅଭିଯୁକ୍ତ ବଳପୂର୍ବକ ଶାରୀରିକ ସଂପର୍କ ରଖିଥିଲା ଏବଂ ଭୟ ଦେଖାଇ ଘଟଣାକୁ ଚପାଇ ରଖିଥିଲା ବୋଲି ଅଭିଯୋଗ ହୋଇଛି। ଚିକିତ୍ସା ପରେ ନାବାଳିକା ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏଡିଏମଓ ଡାକ୍ତର ଅନୁପ କୁମାର ନାଥଶର୍ମା କହିଛନ୍ତି।
Follow Us